ବଲିଉଡ୍‌, ବୁକି, ବେଟିଂ:୬ ବର୍ଷ ହେବ ବେଟିଂ କରୁଥିଲେ ଅର୍‌ବାଜ

ବୁକି ଖାତାରେ ଅନେକ ବଲିଉଡ୍‌ ତାରକା:୬ ଗିରଫ, ସୋନୁର ହାଜତ ମିଆଦ ବଢ଼ିଲା

ମୁମ୍ବାଇ: କ୍ରିକେଟ୍‌ ଖେଳ ଏହାର କାୟା ବିସ୍ତାର କରିଚାଲିିଛି। ନୂଆ ନୂଆ ଲିଗ୍‌ ଆରମ୍ଭ ହେଉଥିଲା ବେଳେ ଆଗରୁ ଚାଲିଆସୁଥିବା ପ୍ରତିଯୋଗିତାକୁ ଅଧିକ ରୋମାଞ୍ଚକର କରିବା ଲାଗି ଆଇସିସି ଅହରହ ଚେଷ୍ଟା ଚଳାଇଛି। ତଦନୁଯାୟୀ ଖେଳାଳିଙ୍କ ରୋଜଗାର ମଧ୍ୟ ବହୁଗୁଣ ବଢ଼ିଛି। ହେଲେ ପ୍ରତ୍ୟକ୍ଷ ବା ପରୋକ୍ଷରେ କ୍ରିକେଟ୍‌ ଦର୍ଶକ ନିୟମିତ ଠକାମିର ଶିକାର ହୋଇ ଚାଲିଛନ୍ତି। କ୍ରିକେଟ୍‌ରେ ଦୁର୍ନୀତି ଦିନକୁ ଦିନ ବଢ଼ି ଚାଲିଥିଲା ବେଳେ ଫିକ୍ସିଂ ଓ ବେଟିଂ ମହାମାରିରେ ପରିଣତ ହେଲାଣି। ଦର୍ଶକମାନେ ଯାହା ଦେଖୁଛନ୍ତି ତାହା ଅନେକ ସମୟରେ ଆଗରୁ ଖେଳାଳି, ବୁକି ଏବଂ ଅଣ୍ଡରଓ୍ଵାର୍ଲଡର ସଲାସୁତରାରେ ସ୍ଥିର ହୋଇ ଯାଉଛି। ସେହିଭଳି କ୍ରିକେଟ୍‌ ମୁକାବିଲାର ଫଳାଫଳକୁ ନେଇ ବେଟିଂ ବା ଜୁଆ ଖେଳ ମଧ୍ୟ ଚରମ ସୀମାରେ ପହଞ୍ଚିଲାଣି। ଏହି ବେଆଇନ କାର୍ଯ୍ୟରେ ଅନେକ ବଲିଉଡ୍‌ ଅଭିନେତା ଏବଂ ଅଭିନେତ୍ରୀ ସାମିଲ ହେବା ସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ବେଟିଂ ମାଫିଆ ନିଜ ମନ ମୁତାବକ ଫଳ ପାଇଁ ଖେଳାଳି, ଅମ୍ପାୟାର, ପଡ଼ିଆ ପ୍ରସ୍ତୁତକାରୀଙ୍କୁ ନୂଆ ନୂଆ ଉପାୟରେ ଲାଞ୍ଚ ଦେବାକୁ ପଛାଉ ନାହାନ୍ତି।

ଅଲ୍‌ଜଜିରା ଚ୍ୟାନେଲରେ ପ୍ରସାରିତ ‘କ୍ରିକେଟ୍ସ ଫିକ୍ସର୍ସ’ ଶୀର୍ଷକ ପ୍ରମାଣିତ ଚିତ୍ରରେ ଭାରତୀୟ କ୍ରିକେଟ୍‌ ଦଳର ତିନିଟି ଟେଷ୍ଟ୍‌କୁ ବୁକିମାନେ ଫିକ୍ସ କରିବା ଦାବି ହୋଇଛି। କେତେକ ଭାରତ, ଶ୍ରୀଲଙ୍କା ଓ ପାକିସ୍ତାନର ପ୍ରଥମଶ୍ରେଣୀ କ୍ରିକେଟରଙ୍କ ସହ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ନାଁ ଏଥିରେ ଆସିଛି। ଏହି ଷ୍ଟିଙ୍ଗ୍‌ ଅପରେସନକୁ ନେଇ କ୍ରିକେଟ୍‌ ଜଗତରେ ସୃଷ୍ଟି ହୋଇଥିବା ଆଲୋଡ଼ନ ଥମି ନଥିଲା ବେଳେ ଆଇପିଏଲ୍‌ରେ ବେଟିଂ କରୁଥିବା ଏକ ବଡ଼ ର‍୍ୟାକେଟ୍‌ର ଫର୍ଦାଫାସ ଥାନେ ପୁଲିସ୍‌ କରିଛି। ବୁକି ସୋନୁ ଜଲାନ ଗିରଫ ହେବା ପରେ ଅନେକ ବଲିଉଡ୍‌ ସେଲିବ୍ରେଟି ନିୟମିତ କ୍ରିକେଟ୍‌ ଜୁଆ ଖେଳୁଥିବା ଜଣାପଡ଼ିଛି। ସେହିଭଳି ସୋନୁଠାରୁ ପୁଲିସ ଜବତ କରିଥିବା ଡାଇରିରେ ବେଟିଂରେ ସଂପୃକ୍ତ ଅନେକ ବଲିଉଡ୍‌ ଅଭିନେତାଙ୍କ ନାଁ ରହିଥିବା ପୁଲିସ୍‌ କହିଛି। ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ସାନ ଭାଇ ଅର୍‌ବାଜ ଖାନ୍‌ ଗତ ୫-୬ ବର୍ଷ ହେବ ବେଟିଂ କରୁଥିବା ସ୍ୱୀକାର କରିନେଇଛନ୍ତି। ସେପଟେ ସୋନୁର ଅଣ୍ଡରଓ୍ଵାଲ୍ଡ ଡନ୍‌ ଦାଉଦ ଇବ୍ରାହିମର କଳା ସାମ୍ରାଜ୍ୟ ବା ଡି’ କଂପାନି ସହ ଘନିଷ୍ଠ ସଂପର୍କ ଥିବା ସ୍ପଷ୍ଟ ହୋଇଛି। ଯାହା କ୍ରିକେଟ୍‌କୁ କଳିଙ୍କିତ କରିଛି।

ଥାନେ ପୁଲିସ ପର୍ଦାଫାସ କରିଥିବା ବେଟିଂ ର‍୍ୟାକେଟ୍‌ ମାମଲାରେ ଏବେସୁଦ୍ଧା ୬ ଜଣ ସନ୍ଦିଗ୍ଦଙ୍କୁ ଗିରଫ କରାଯାଇଛି। ଆଗକୁ ମଧ୍ୟ ଆହୁରି ଅନେକ ଅଭିଯୁକ୍ତଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି। ଏହି ୬ ଜଣଙ୍କୁ ପଚରା ଉଚରା ବେଳେ ବଲିଉଡ୍‌ ଅଭିନେତା ଓ ପ୍ରାୟୋଜକ ଅର୍‌ବାଜ ଖାନ୍‌ଙ୍କ ନାଁ ଆସିଥିଲା। ସେଥିପାଇଁ ଆଜି ତାଙ୍କୁ ପଚରା ଉଚରା କରାଯାଇଥିଲା। ଏହି ମାମଲାରେ ଆଉ କେତେକ ନୂଆ ଲୋକଙ୍କ ନାଁ ମଧ୍ୟ ଆସିଛି। ସେମାନଙ୍କୁ ଖୁବଶୀଘ୍ର ପଚରା ଉଚରା ପାଇଁ ଡକାଯିବ ବୋଲି ଡିସିପି ଅଭିଷେକ ତ୍ରିମୁଖେ କହିଛନ୍ତି। ସେପଟେ ପୁଲିସ୍‌ ଏହି ମାମଲାରେ ଅର୍‌ବାଜଙ୍କୁୁ ରାଜସାକ୍ଷୀ କରିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଅର୍‌ବାଜ ଆଜି ପୁଲିସକୁ ପୂର୍ଣ୍ଣ ସହଯୋଗ ଦେଇଥିଲା ବେଳେ ଆଗକୁ ମଧ୍ୟ ସହଯୋଗ କରିବା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ପୁଲିସ ସରକାର ଚଳଚ୍ଚିତ୍ରର ପ୍ରାୟୋଜକ ପରାଗ ସାଙ୍ଘବୀଙ୍କୁ ପଚରା ଉଚରା ପାଇଁ ଡାକିଛି। ସେପଟେ ବୁକି ସୋନୁ ଜଲାନର ହାଜତ ମିଆଦକୁ ୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ମାମଲା ସହ ବିସିସିଆଇର କୌଣସି ସଂପର୍କ ନାହିଁ। ଆବଶ୍ୟକ ହେଲେ ବିସିସିଆଇ ଦୁର୍ନୀତି ନିବାରଣ ସଂସ୍ଥା ପୁଲିସକୁ ସହଯୋଗ କରିବ ବୋଲି ଆଇପିଏଲ୍‌ କମିସନର ରାଜୀବ ଶୁକ୍ଳା ନିଜ ପ୍ରତିକ୍ରିୟାରେ କହିଛନ୍ତି।
ି

ସମ୍ବନ୍ଧିତ ଖବର