ଆଡିଲେଡ୍‌ରୁ ବର୍ଡର-ଗାଭାସ୍କର ଶୃଙ୍ଖଳା:ଦିବାରାତ୍ର ଟେଷ୍ଟ୍‍କୁ ନେଇ ଅଷ୍ଟ୍ରେଲିଆ ଅନିଶ୍ଚିତ

ସିଡ୍‌ନି: ଡିସେମ୍ବରରେ ଭାରତୀୟ କ୍ରିକେଟ୍‌ ଦଳ ୪ ଟେଷ୍ଟ୍‍ ବିଶିଷ୍ଟ ବର୍ଡର-ଗାଭାସ୍କର ଶୃଙ୍ଖଳା ଖେଳିବାକୁ ଅଷ୍ଟ୍ରେଲିଆ ଯିବ। ଡିସେମ୍ବର ୬ରୁ ୧୦ ତାରିଖ ମଧ୍ୟରେ ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ୍‍ ଖେଳାଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ସୋମବାର ଏହାର ଖେଳସୂଚୀ ଘୋଷଣା କରିବା ପରେ ସ୍ପଷ୍ଟ ହୋଇଛି। ଆଡିଲେଡ୍‌ ଟେଷ୍ଟ୍‍କୁ ଦିବାରାତ୍ର ବିଶିଷ୍ଟ କରିବା ଲାଗି ପ୍ରସ୍ତାବ ଆସିଥିଲେ ମଧ୍ୟ ଭାରତ ଏହାକୁ ବିରୋଧ କରି ଆସିଛି। କିନ୍ତୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଭାରତକୁ ମନାଇବା ଲାଗି ପ୍ରୟାସ ଜାରି ରଖିଛି ବୋଲି କହିଛନ୍ତି ଏହାର ମୁଖ୍ୟ ଜେମ୍‌ସ ସଦରଲାଣ୍ଡ୍‌। ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ବିପକ୍ଷରେ ଗୋଲାପୀ ବଲ୍‌ ଟେଷ୍ଟ୍‍ ଖେଳି ସଫଳତା ଅର୍ଜନ କରିଥିବା ଅଷ୍ଟ୍ରେଲିଆ ମଧ୍ୟ ଭାରତ ବିପକ୍ଷ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‍କୁ ଦିବାରାତ୍ର କରିବାକୁ ପ୍ରସ୍ତାବ ବାଢ଼ିଥିଲା। ଭାରତ କିନ୍ତୁ ଏହାକୁ ବିରୋଧ କରି ଆସିଛି।

ଅଷ୍ଟ୍ରେଲିଆର ବିଶ୍ୱାସ ଦିବାରାତ୍ର ଟେଷ୍ଟ୍‍ ଏହି ଖେଳର ଭବିଷ୍ୟତ ଭାବେ ଉଭା ହେଉଛି। ଟେଲିଭିଜନ୍‌ ରେଟିଂ ଏବଂ ପ୍ରଶଂସକଙ୍କ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ଏହା ଭଲ ରହୁଛି। ଆସନ୍ତା ବର୍ଷ ଜାନୁଆରିରେ (୨୪-୨୮) ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ଏକ ଦିବାରାତ୍ର ଟେଷ୍ଟ୍‍ ଖେଳିବ ବୋଲି ଯୋଜନା କରିଛି। ଭାରତ ନିକଟରୁ ସକରାତ୍ମକ ସଙ୍କେତ ମିଳିବ ବୋଲି ସଦରଲାଣ୍ଡ୍‌ ଆଶା ପ୍ରକାଶ କରିଛନ୍ତି। ସଦରଲାଣ୍ଡ୍‌ ମଧ୍ୟ ନୂଆ ଟେଷ୍ଟ୍‍ ପ୍ରତିଯୋଗିତା ସୂଚୀରେ ଦିବାରାତ୍ର ଟେଷ୍ଟ୍‍ ରଖିବାକୁ ଆଇସିସିରେ ଚାପ ପକାଇଛନ୍ତି।
କ୍ରିକେଟ୍‌ ଅଷ୍ଟ୍ରେଲିଆ ମଧ୍ୟ ସୋମବାର ସ୍ପଷ୍ଟ କରିଛି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଏକମାତ୍ର ଟେ୍ଵଣ୍ଟି-୨୦ ଗୋଲ୍‌ଡକୋଷ୍ଟ୍‍ରେ ଖେଳାଯିବ। ନୂଆ ପର୍ଥ ଷ୍ଟାଡିୟମ୍‌ ଏବଂ କାନ୍‌ବେରାର ମାନୁକା ଓଭାଲ୍‌ରେ ପ୍ରଥମ ଥର ଟେଷ୍ଟ୍‍ ମ୍ୟାଚ୍‌ ଖେଳାଯିବ। ଅନ୍ତର୍ଜାତୀୟ କ୍ରିକେଟ୍‌ ଋତୁ ନଭେମ୍ବର ୪ରୁ ଆରମ୍ଭ କରିବ ଅଷ୍ଟ୍ରେଲିଆ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଦିନିକିଆ, ୧ ଟେ୍ଵଣ୍ଟି-୨୦ ଖେଳିବା ପରେ ଭାରତ ସହିତ ୩ ଟେ୍ଵଣ୍ଟି-୨୦, ୪ ଟେଷ୍ଟ୍‍, ୩ ଦିନିକିଆ ଅନ୍ତର୍ଜତୀୟ ଖେଳିବ। ଭାରତ ଅନ୍ୟ ୩ ଟେଷ୍ଟ୍‍ ପର୍ଥ, ମେଲବର୍ନ, ସିଡ୍‌ନିରେ ଖେଳିବ। ଏହା ପରେ ଜାନୁଆରି-ଫେବ୍ରୁଆରିରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ଶ୍ରୀଲଙ୍କା ସହିତ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ।
ଭାରତ-ଅଷ୍ଟ୍ରେଲିଆ ଖେଳସୂଚୀ
ନଭେମ୍ଭର ୨୧: ପ୍ରଥମ ଟେ୍ଵଣ୍ଟି-୨୦, ଗାବା।
ନଭେମ୍ବର ୨୩: ଦ୍ୱିତୀୟ ଟେ୍ଵଣ୍ଟି-୨୦, ମେଲ୍‌ବର୍ନ।
ନଭେମ୍ବର ୨୫: ତୃତୀୟ ଟେ୍ଵଣ୍ଟି-୨୦, ସିଡ୍‌ନି।
ଡିସେମ୍ବର ୬-୧୦: ପ୍ରଥମ ଟେଷ୍ଟ୍‍, ଆଡିଲେଡ୍‌।
ଡିସେମ୍ବର ୧୪-୧୮: ଦ୍ୱିତୀୟ ଟେଷ୍ଟ୍‍, ପର୍ଥ।
ଡିସେମ୍ବର ୨୬-୩୦: ତୃତୀୟ ଟେଷ୍ଟ୍‍, ମେଲ୍‌ବର୍ନ।
ଜାନୁଆରି ୩-୭: ଚତୁର୍ଥ ଟେଷ୍ଟ, ସିଡ୍‌ନି।
ଜାନୁଆରି ୧୨: ପ୍ରଥମ ଦିନିକିଆ, ସିଡନି।
ଜାନୁଆରି ୧୫: ଦ୍ୱିତୀୟ ଦିନିକିଆ, ଆଡିଲେଡ୍‌।
ଜାନୁଆରି ୧୮: ତୃତୀୟ ଦିନିକିଆ, ମେଲ୍‌ବର୍ନ।

ସମ୍ବନ୍ଧିତ ଖବର