ଯୁଗଳ ବିଜୟ ସୁଯୋଗ:କେପ୍‌ଟାଉନ୍‌ରେ ପୁରୁଷ, କିମ୍ବର୍ଲିରେ ମହିଳା

କେପଟାଉନ/କିମ୍ବର୍ଲି : ବୁଧବାର, ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଯୁଗଳ ବିଜୟ ସୁଯୋଗ ନେଇ ଆସିବ। ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତ ପାଖରେ ଆସନ୍ତାକାଲି ଏକାଥରକେ ଦୁଇଟି ମ୍ୟାଚ୍‌ ଜିତିବାର ସୁବର୍ଣ୍ଣ ସୁଯୋଗ ରହିବ। ପୁରୁଷ ଦଳ କେପ୍‌ଟାଉନ୍‌ରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ଜିତିଲେ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଥର ପାଇଁ କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳାରେ ୩-୦ରେ ଆଗୁଆ ହେବ। ଅନ୍ୟ ପକ୍ଷରେ ମହିଳା ଦଳ କିମ୍ବର୍ଲିରେ ବିଜୟର ସ୍ୱାଦ ଚାଖିଲେ ତିନି ଟିକିଆ ଶୃଙ୍ଖଳାକୁ ୨-୦ରେ ଜିତି ନେବ। ଭାରତୀୟ ପୁରୁଷ ଦଳ ୬ ଟିକିଆ ଶୃଙ୍ଖଳାର ପ୍ରଥମ ଦୁଇ ଦିନିକିଆକୁ ସହଜରେ ଜିତି ନେଇଥିଲା ବେଳେ ମହିଳା ଦଳ ମଧ୍ୟ ତିନି ଟିକିଆ ଶୃଙ୍ଖଳାର ପ୍ରଥମ ଲଢ଼େଇରେ ଏକତରଫା ବିଜୟ ହାସଲ କରିଛି। ସେପଟେ ଦକ୍ଷିଣ ଆଫ୍ରିକା ବୁଧବାର ଦୁଇଟି ମହତ୍ୱପୂର୍ଣ୍ଣ କ୍ରିକେଟ୍‌ ପରୀକ୍ଷାରେ ଅବତୀର୍ଣ୍ଣ ହେବ। ଉଭୟ ମହିଳା ଏବଂ ପୁରୁଷ ମ୍ୟାଚ୍‌ରେ ପରାଜୟ ଟାଳିବା କିନ୍ତୁ ଏହି ଦଳ ପାଇଁ ଆଦୌ ସହଜ ହେବନି।
ଭାରତ କେବେ ବି ୩-୦ରେ ଆଗୁଆ ହୋଇନି
ଦକ୍ଷିଣ ଆଫ୍ରିକାରେ ଖେଳିଥିବା ଦ୍ୱିପାକ୍ଷିକ ଶୃଙ୍ଖଳାଗୁଡ଼ିକରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ କେବେବି ୩-୦ରେ ଆଗୁଆ ହୋଇନି। ଏପରିକି କୌଣସି ଶୃଙ୍ଖଳାରେ ମଧ୍ୟ ତିନିଟି ମ୍ୟାଚ୍‌ ଜିତି ନାହିଁ। ୧୯୯୨-୯୩ରେ ଭାରତ ଦୁଇଟି ଦିନିକିଆ ଜିତିଥିଲା। ୨୦୧୦-୧୧ରେ ମଧ୍ୟ ଏହି ସଫଳତା ଦୋହରାଇଥିଲା। ଏପରିକି ୨୦୧୦-୧୧ରେ ୨-୧ରେ ଆଗୁଆ ହୋଇ ଯାଇଥିଲା। ହେଲେ ୫ ମ୍ୟାଚ୍‌ ଶୃଙ୍ଖଳାକୁ ୨-୩ରେ ହାରିଥିଲା। କେପ୍‌ଟାଉନରେ ବି ଭାରତ ତୁଳନାତ୍ମକ ଭାବେ ଭଲ କରିନି। ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିଟି ମ୍ୟାଚ୍‌ ଖେଳି ଭାରତ ଦୁଇଟିରେ ପରାଜିତ ହୋଇଥିଲା ବେଳେ ଗୋଟିକୁ ଜିତିଛି। ଅନ୍ୟ ପକ୍ଷରେ କେପଟାଉନରେ ଦକ୍ଷିଣ ଆଫ୍ରିକା ୩୩ ଦିନିକିଆ ଖେଳି ୨୮ଟିରେ ବିଜୟୀ ହୋଇଛି।
ଦକ୍ଷିଣ ଆଫ୍ରିକା ଦଳରେ ଅଦଳ ବଦଳ
ଡର୍ବାନ ଟେଷ୍ଟକୁ ହାରିବା ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳକୁ ଯେମିତି ରାହୁ ଗ୍ରାସ କରିଛି। ପରବର୍ତୀ ଦୁଇଟି ଦିନିକିଆରେ ଆତ୍ମସମର୍ପଣ କରିବା ସହ ଭାରତକୁ ୨-୦ରେ ଆଗୁଆ ହେବାର ସୁଯୋଗ ଦେଇଥିଲା ଦକ୍ଷିଣ ଆଫ୍ରିକା। ୟା’ ଭିତରେ ଦଳର ତିନି ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ, ଫାଫ୍‌ ଡୁ ପ୍ଲେସିସ୍‌ ଏବଂ କ୍ୱିଣ୍ଟନ୍‌ ଡିକକ୍‌ଙ୍କୁ ହରାଇଥିଲା। ଏଣୁ ବୁଧବାର ମ୍ୟାଚରେ ଏହି ଦଳ ଅନ୍ୟୁନ ତିନିଟି ପରିବର୍ତନ କରିବାକୁ ବାଧ୍ୟ। ଡି’ କକ୍‌ଙ୍କ ସ୍ଥାନରେ ଯୁବ ଓ୍ଵିକେଟ୍‌ ରକ୍ଷକ ହେନରିକ୍‌ କ୍ଲାସେନ୍‌ ଖେଳିବେ। ଏହା ହେଲେ ଆସନ୍ତାକାଲି ସେ ଅନ୍ତର୍ଜାତୀୟ କ୍ରିକେଟ୍‌ ଜୀବନ ଆରମ୍ଭ କରିବେ। ଖାଏଲିଲେ ଜୋଣ୍ଡୋ ଏବଂ ଫରହାନ ବେହାରଦିନ ସମ୍ଭବତଃ ଫାଫ୍‌ ଡୁ’ପ୍ଲେସିସ୍‌ ଏବଂ ଡିଭିଲିୟର୍ସଙ୍କ ସ୍ଥାନ ନେବେ। ନିର୍ଭରଯୋଗ୍ୟ ହାସିମ ଆମଲାଙ୍କ ବିଫଳତା ମଧ୍ୟ ଘରୋଇ ଦକ୍ଷିଣ ଆଫ୍ରିକା ପାଇଁ ଆଉ ଏକ ଚିନ୍ତା ଭାବେ ଉଭା ହୋଇଛି।
ଚହଲ-କୁଲଦୀପଙ୍କ ପାଇଁ ଚିନ୍ତାରେ ଘରୋଇ ଦଳ
ଅଧିନାୟକ ଫାଫ୍‌ ଡୁ’ପ୍ଲେସିସ୍‌, ବିସ୍ଫୋରକ ଏବି ଡିଭିଲିୟର୍ସ ଓ ଯୁବ ତାରକା କ୍ୱିଣ୍ଟନ୍‌ ଡି’ କକ୍‌ ବାଦ ପଡ଼ିବା ସହ ଭାରତୀୟ କ୍ରିକେଟ୍‌ ଦଳର ଦୁଇ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ପାଇଁ ଦକ୍ଷିଣ ଆଫ୍ରିକା ଅଧିକ ଚିନ୍ତାରେ ରହିଛି। ଚହଲ ଓ କୁଲଦୀପଙ୍କ ପାଇଁ ହିଁ ଭାରତ ପ୍ରଥମ ଦୁଇ ଦିନିକିଆରେ ଏକତରଫା ବିଜୟ ହାସଲ କରିଛି। କେପଟାଉନରେ ମଧ୍ୟ ଏହି ଦୁଇ ନବାଗତ ସ୍ପିନର ନିଣ୍ଣାୟକ ଭୂମିକା ନେବାର ଯଥେଷ୍ଟ ସମ୍ଭାବନା ରହିଛି। ସେଥିପାଇଁ ଭାରତ ବୁଧବାର କୌଣସି ବଡ଼ ଧରଣର ପରିବର୍ତନ କରିବା ଆଶା ପ୍ରାୟ ନାହିଁ।
୫ ସ୍ପିନରଙ୍କୁ ନେଇ ଦକ୍ଷିଣ ଆଫ୍ରିକାର ଅଭ୍ୟାସ
ଚହଲ ଓ କୁଲଦୀପଙ୍କୁ ପ୍ରତିହତ କରିବା ଲାଗି ଦକ୍ଷିଣ ଆଫ୍ରିକା ଖେଳାଳିମାନେ ମଙ୍ଗଳବାର ଜୋରଦାର ପ୍ରସ୍ତୁତି କରିଛନ୍ତି। ସେମାନେ ୫ ଜଣ କଳାତ୍ମକ ସ୍ପିନରଙ୍କୁ ଡାକି ନେଟ୍ସରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲେ। ଏହି ସ୍ପିନରମାନେ ଅଧିକାଂଶ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିଥିଲେ। ଏଥିନେଇ ଦ୍ରୁତ ବୋଲର କାଗିସୋ ରବାଦା କହିଥିଲେ ଯେ ଭାରତ ଏକ ଶକ୍ତିଶାଳୀ ଦଳ। ସେମାନେ ନିକଟରେ ଅଷ୍ଟ୍ରେଲିଆକୁ ସହଜରେ ହରାଇ ଦେଇଥିଲେ। ଘରୋଇ ପରିବେଶରେ ଅଧିକାଂଶ ମ୍ୟାଚ୍‌ ଖେଳି ଆସୁଥିଲେ ମଧ୍ୟ ଭାରତ ଏବେ ଚମତ୍କାର କ୍ରିକେଟ୍‌ ଖେଳୁଛି। ସେଥିପାଇଁ କୋହଲି ବାହିନୀକୁ ହରାଇବାକୁ ହେଲେ ଆମକୁ ସ୍ୱତନ୍ତ୍ର ପ୍ରସ୍ତୁତି କରିବାକୁ ପଡ଼ିବ।
ନ୍ୟୁଲାଣ୍ଡ୍ସରେ ବଡ଼ ସ୍କୋର ସମ୍ଭାବନା
ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଖେଳାଯିବ। ଏହି ଷ୍ଟାଡିୟମରେ ଖେଳା ଯାଇଥିବା ଗତ ପାଞ୍ଚଟି ଦିନିକିଆର ପ୍ରଥମ ବ୍ୟାଟିଂ କରୁଥିବା ଦଳ ଗୋଟିଏ ପାଳିରେ ହରାହାରି ୩୧୧ ରନ୍‌ କରିଛନ୍ତି। ଏଣୁ ବୁଧବାର ଏକ ବଡ଼ ସ୍କୋର ବାଲା ମ୍ୟାଚ୍‌ ଦେଖିବାକୁ ମିଳିବାର ସମ୍ଭାବନା ଅଧିକ। ନ୍ୟୁଲାଣ୍ଡ୍ସ ସବୁବେଳେ ଦକ୍ଷିଣ ଆଫ୍ରିକାର ପସନ୍ଦର ଦଳ ହୋଇଥିଲା ବେଳେ ଏଠାରେ ଏହି ଦଳର ବିଜୟ ପ୍ରତିଶତ ହେଉଛି ପାଖା ପାଖି ୮୫। ଭାରତ ଶେଷ ଥର ପାଇଁ ୨୦୧୦ରେ ଦକ୍ଷିଣ ଆଫ୍ରିକାକୁ କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳାରେ ହରାଇଥିଲା। ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ନ୍ୟୁ ଲାଣ୍ଡ୍ସରେ ଜେପି ଡୁମିନି ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଠାରେ ୮ ମ୍ୟାଚ୍‌ ଖେଳି ୩ ଅର୍ଧଶତକ ସହ ୩୧୧ ରନ୍‌ କରିଛନ୍ତି। ହାସିମ ଆମଲା ୬ ମ୍ୟାଚ୍‌ରୁ ୨ ଅର୍ଧଶତକ ସହ ୧୯୦ ରନ୍‌ କରିଛନ୍ତି।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯସପ୍ରୀତ ବୁମରା।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଏଦେନ ମର୍କରାମ, ହାସିମ ଆମଲା, ଜେପି ଡୁମିନି, ଇମ୍ରାନ ତାହିର, ଡେଭିଡ୍‌ ମିଲର, ମର୍ନି ମର୍କେଲ, କ୍ରିସ୍‌ ମୋରିସ୍‌, ଲୁଙ୍ଗି ଏନଗିଡ଼ି, ଆନ୍ଦିଲ ଫେଲୁଖୋଓ୍ଵା, କାଗିସୋ ରବାଦା ଖାୟେଲିଲେ ଜୋଣ୍ଡୋ, ଫରହାନ ବେହାରଦିନ, ହେନରିକ୍‌ କ୍ଲାସେନ।

ସମ୍ବନ୍ଧିତ ଖବର