ମୁଷ୍ଟିଯୁଦ୍ଧ କ୍ୱାର୍ଟରରେ ବିକାଶ, ଅମିତ, ଧୀରଜ

ଜକାର୍ତା: ଭାରତୀୟ ତାରକା ବିକାଶ କ୍ରିଷ୍ଣନ୍‌ (୭୫ କେଜି), ଅମିତ (୪୯ କେଜି) ଏବଂ ଧୀରଜ (୬୪ କେଜି) ଏସୀୟ କ୍ରୀଡ଼ା ପୁରୁଷ ମୁଷ୍ଟିଯୁଦ୍ଧର କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ସୋମବାର ପ୍ରି-କ୍ୱାର୍ଟର୍‌ ଲଢ଼େଇରେ ୨୦୧୦ ସ୍ୱର୍ଣ୍ଣ ବିଜେତା ବିକାଶ ୫-୦ରେ ପାକିସ୍ତାନର ତନବୀର ଅହମ୍ମଦଙ୍କୁ ମାତ୍‌ ଦେଇ ତୃତୀୟ ପଦକ ଦୌଡ଼ରେ ଗୋଟିଏ ପାଦ ଅଗକୁ ବଢ଼ିଛନ୍ତି। ବିକାଶ ଏସୀୟ କ୍ରୀଡ଼ାରେ ୨୦୧୦ରେ ସ୍ୱର୍ଣ୍ଣ ଏବଂ ୨୦୧୪ରେ କାଂସ୍ୟ ପଦକ ଜିତିଥିଲେ। ବୁଧବାର କ୍ୱାର୍ଟର୍‌ ଫାଇନାଲ୍‌ରେ ସେ ଚୀନ୍‌ର ତୁହେତା ଏର୍ବିକେ ତାଙ୍ଗଲାତିଅହାନ୍‌ଙ୍କୁ ଭେଟିବେ। ଅମିତ ୫-୦ରେ ମୋଙ୍ଗଲିଆର ଖାର୍ଖୁ ଇଙ୍ଖମନ୍ଦାଖଙ୍କୁ ଏବଂ ଧୀରଜ ୩-୦ରେ କିର୍ଗିସ୍ତାନର ନୁର୍ଲାନ୍‌ କୋବାସେଭଙ୍କୁ ପରାସ୍ତ କରିଥିଲେ। କ୍ୱାର୍ଟର୍‌ରେ ଅମିତ ଉତ୍ତର କୋରିଆର କିମ୍‌ ଜାଙ୍ଗ୍‌ ରିଅଙ୍ଗ୍‌ଙ୍କୁ ଏବଂ ଉତ୍ତର କୋରିଆର ରି କୋନ୍‌ଥାଇ/ମଙ୍ଗୋଲିଆର ଚିନ୍‌ଜୋରିଗ୍‌ ବତାରସୁକଙ୍କୁ ଭେଟିବେ। ତେବେ ୫୬ କେଜି ବର୍ଗରେ ମହମ୍ମଦ ହୁସାମୁଦ୍ଦିନ୍‌ ୨-୩ରେ ମୋଙ୍ଗଲିଆର ଏନ୍‌ଖ-ଅମର ଖାର୍ଖୁଙ୍କଠୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର