ବାର୍ସେଲୋନା ପୁଣି କିଙ୍ଗ୍‌ସ କପ୍‌ ଜିତିଲା

ମାଦ୍ରିଦ୍‌: ସେଭିଲାକୁ ୫-୦ ଗୋଲ୍‌ରେ ପରାସ୍ତ କରି ବାର୍ସେଲୋନା ପୁଣି ଥରେ କିଙ୍ଗ୍‌ସ କପ୍‌ ବିଜେତା ହୋଇଛି। ଶନିବାର ଫାଇନାଲ୍‌ରେ ଲୁଇସ୍‌ ସୁଆରେଜ୍‌ଙ୍କ ଯୁଗଳ ପ୍ରଥମାର୍ଧ ଗୋଲ୍‌ ପରେ ପୂରା ଫର୍ମରେ ଥିବା ଆନ୍ଦ୍ରେ ଇନିସ୍ତା ଓ ଲିଓନେଲ୍‌ ମେସିଙ୍କ କମାଲ୍‌ ହିଁ ବାର୍ସେଲୋନାକୁ ଏକପାଖିଆ ବିଜୟ ଭେଟି ଦେଇଥିଲା। ସୁଆରେଜ୍‌ ମ୍ୟାଚ୍‌ର ୧୪ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେବା ପରେ ମେସି ଦ୍ୱିତୀୟ ଗୋଲ୍‌ କରିଥିଲେ। ତୃତୀୟ ଗୋଲ୍‌ଟି ପୁଣି ସୁଆରେଜ୍‌ ଦେଇଥିଲେ। ଇନିସ୍ତା ଚତୁର୍ଥ ଗୋଲ୍‌ କରି ସେଭିଲାକୁ ପୂରା ଚାପରେ ପକାଇ ଦେଇଥିଲେ। ଶେଷରେ ଫିଲିପେ କୋଣ୍ଟିନୋ ପେନାଲଟି ଗୋଲ୍‌ କରି ବାର୍ସେଲୋନାକୁ ୫-୦ର ବିଜୟ ଭେଟି ଦେଇଥିଲେ। ବାର୍ସେଲୋନା ମଧ୍ୟ ସେଭିଲାଠୁ ଚାମ୍ପିଅନ୍‌ସ ଲିଗ୍‌ କ୍ୱାର୍ଟର ଫାଇନାଲ୍‌ ପରାଜୟର ପ୍ରତିଶୋଧ ନେଇଗଲା। ପୁଣି ବାର୍ସେଲୋନା ମଧ୍ୟ କ୍ରମାଗତ ଚତୁର୍ଥ ଥର ପାଇଁ କିଙ୍ଗ୍‌ସ କପ୍‌ ଜିତିବାର ଗୌରବ ଅର୍ଜନ କରିବା ସାଙ୍ଗକୁ ମୋଟ ୩୦ ଥର ଏହି ପ୍ରତିଯୋଗିତା ଜିତିବାର କୀର୍ତିମାନ କଲା। ଶନିବାର ଫାଇନାଲ୍‌ ମ୍ୟାଚ୍‌ ବେଳେ ଉଭୟ ବାର୍ସେଲୋନା ଓ ସେଭିଲାର ପ୍ରଶଂସକମାନେ ଇନିସ୍ତାଙ୍କ ନାମ ଗାଇ ଚାଲିଥିଲେ। ସମ୍ଭବତଃ ଏହା ଇନିସ୍ତାଙ୍କ ପାଇଁ ଅନ୍ତିମ କିଙ୍ଗ୍‌ସ କପ୍‌ ଫାଇନାଲ୍‌ ଥିବାରୁ ଷ୍ଟାଡିୟମ୍‌ରୁ ତାଙ୍କ ପାଇଁ ଦର୍ଶକଙ୍କଠୁ ବିପୁଳ ସମର୍ଥନ ମିଳିଥିଲା।

ସମ୍ବନ୍ଧିତ ଖବର