ବ୍ରାଜିଲ୍‌କୁ ଖୁସି, ବିଶ୍ୱରୁ ନିନ୍ଦା ‘ନେ..ମାର୍‌’

ସମାରା: ଚଳିତ ଫିଫା ବିଶ୍ୱକପ୍‌ରେ ଲିଓନେଲ୍‌ ମେସି ଏବଂ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ବିଦାୟ ପରେ ଏକମାତ୍ର ବଡ଼ ଖେଳାଳି ଭାବେ ତିଷ୍ଠି ରହିଛନ୍ତି ବ୍ରାଜିଲ୍‌ ତାରକା ନେମାର୍‌ ଜୁନିୟର୍‌। ନିଜ ଖେଳ ଜୀବନରେ ଭଲ ସମୟରେ ରହିଛନ୍ତି ଏହି ଅଗ୍ରଭାଗ ଖେଳାଳି। କିନ୍ତୁ ବ୍ରାଜିଲ୍‌କୁ ଉଲ୍ଲସିତ ରଖିଥିବା ଏହି ଖେଳାଳି ବିଶ୍ୱବାସୀଙ୍କ ଆଗରେ ନିନ୍ଦିତ ହୋଇଛନ୍ତି ନିଜ ଆଚରଣ ପାଇଁ। ଏଥି ପାଇଁ ନେମାର ଏବେ ନିରପେକ୍ଷ ଫୁଟ୍‌ବଲ୍‌ପ୍ରେମୀଙ୍କ ମଧ୍ୟରେ ଅପ୍ରିୟ ପାଲଟିଛନ୍ତି। ପଡ଼ିଆରେ ତାଙ୍କ ଖେଳ ବେଶ ପ୍ରଭାବୀ, ଚତୁର, ଫୂର୍ତିଭରା ରହିଛି। ସୋମବାର ମେକ୍ସିକୋ ବିପକ୍ଷ ପ୍ରିକ୍ୱାର୍ଟରଫାଇନାଲ୍‌ରେ ସେ କିନ୍ତୁ ଏଭଳି ଛଳନା କରିଥିଲେ ଯାହା ତାଙ୍କ ପୂର୍ବ ସବୁ ଆଚରଣକୁ ଟପି ଯାଇଥିଲା। ତଳେ ପଡ଼ିଯାଇଥିବାବେଳେ ନିଜ ଗୋଡ଼କୁ ଧରି ଏତେ ଗଡ଼ିଥିଲେ ଏବଂ ଚିତ୍କାର କରିଥିଲେ ଯେ ତାଙ୍କ ଗୋଡ଼ ଭାଙ୍ଗିଯିବାର ଭ୍ରମ ଆଣିଥିଲା।

ତାଙ୍କ ଦଳୀୟ ସାଥୀ, ମେକ୍ସିକୋ ଖେଳାଳି, ରେଫରି, ସହକାରୀ ରେଫରି, ଚତୁର୍ଥ ରେଫରି ଆଦି ସମସ୍ତଙ୍କୁ ସମ୍ପୃକ୍ତ ହେବାକୁ ପଡ଼ିଥିଲା। ଶେଷରେ କିଛି ସ୍ପ୍ରେରେ ହିଁ ନେମାର ଫିଟ୍‌ ହୋଇଯାଇଥିଲେ ଏବଂ ଦୌଡ଼ିଥିଲେ ଅବଶିଷ୍ଟ ସମୟ ଖେଳିବାକୁ। ପ୍ରତି ମ୍ୟାଚ୍‌ରେ ନେମାର ବାରମ୍ବାର ଏଭଳି ତଳେ ପଡ଼ି ଛଳନା କରୁଥିବାରୁ ଏବେ ନେମାରଙ୍କ ନୂଆ ନାମ ନେ..ମାର୍‌ ପାଲଟିଗଲାଣି ନିନ୍ଦୁକ ଓ ଅପ୍ରିୟ ପ୍ରଶଂସକଙ୍କ ନିକଟରେ। ୨୬ ବର୍ଷୀୟ ଏହି ପିଏସ୍‌ଜି ଫରଓ୍ଵାର୍ଡ କିନ୍ତୁ ସୋମବାର ମେକ୍ସିକୋ ବିପକ୍ଷ ଉଭୟ ଗୋଲ୍‌ରେ ନିଜ ଅବଦାନ ରଖି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଗୋଟିଏ ସେ ସ୍କୋର୍‌ କରିଥିବାବେଳେ ଅନ୍ୟଟିକୁ ନିଜେ ବନାଇଥିଲେ। ପଡ଼ିଆ ଭିତରେ ପଡ଼ିବା ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେର ପ୍ରଶ୍ନ ଉଦ୍ରେକ ବେଳେ କୁନ୍ତୁ ପ୍ରଶିକ୍ଷକ ହସ୍ତକ୍ଷେପ କରି କହିଥିଲେ ‘ସେମାନେ ପଦାଘାତ କରିଥିଲେ, ମୁଁ ସ୍କ୍ରିନ୍‌ରେ ଦେଖିଛି’। ମକ୍ସେିକୋ ପ୍ରଶିକ୍ଷକ ଜୁଆନ୍‌ କାର୍ଲୋସ୍‌ ଓସୋରିଓ କିନ୍ତୁ କହିଥିଲେ ଏହା ଫୁଟ୍‌ବଲ୍‌ ପାଇଁ ଲଜ୍ଜା। ଜଣେ ମାତ୍ର ଖେଳାଳି ପାଇଁ ବହୁ ସମୟ ନଷ୍ଟ କରାଗଲା। ଏହା ଫୁଟ୍‌ବଲ୍‌ ପାଇଁ ଏକ ନକରାତ୍ମକ ଉଦାହରଣ ଏବଂ ପ୍ରହେଳିକା ଛଡ଼ା ଅନ୍ୟ କିଛି ନୁହେଁ। ପୂର୍ବତନ ଆଷ୍ଟନ୍‌ ଭିଲା ତାରକା ଡିଅନ୍‌ ଡବ୍‌ଲିନ୍‌ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି। ନେମାର କିନ୍ତୁ ଏସବୁକୁ ଖାତିର କରିନାହାନ୍ତି। ମୁଁ ପ୍ରଶଂସା କି ସମାଲୋଚନା ନେଇ ଚିନ୍ତା କରେ ନାହିଁ। କାରଣ ଏହା ତୁମ ଆଚରଣକୁ ପ୍ରଭାବିତ କରିଥାଏ। ଶେଷ ଦୁଇ ମ୍ୟାଚ୍‌ରେ ମୁଁ ଗଣମାଧ୍ୟମ ସହ କଥା ହେଉନାହିଁ କାରଣ ମୁଁ କଥା ହେବାକୁ ଚାହେଁ ନାହିଁ। ମୁଁ କେବଳ ଖେଳିବାକୁ ଚାହେଁ, ସାଥି ଖେଳାଳି ଏବଂ ମୋ ଦଳକୁ ସହାୟତା କରିବାକୁ ଚାହେଁ ବୋଲି କହିଛନ୍ତି ନେମାର। ସୂଚନାଯୋଗ୍ୟ, ବଡ଼ ଖେଳାଳି ଭାବେ ନେମାରଙ୍କୁ ପ୍ରତିପକ୍ଷ ଖେଳାଳି ଜଗିବା ସ୍ୱାଭାବିକ। ତଥାପି ଏହି ତାରକା ଏ ପର୍ଯ୍ୟନ୍ତ ମସ୍କୋ ବିଶ୍ୱକପ୍‌ରେ ସର୍ବାଧିକ ସଟ୍‌ (୨୩) ଏବଂ ଟାର୍ଗେଟ୍‌ରେ ସଟ୍‌ (୧୨) ଖେଳି ସାରିଛନ୍ତି। ୧୬ ଥର ସ୍ପଷ୍ଟ ଗୋଲସ୍କୋରିଂ ସୁଯୋଗ ଓ ୪୦ ଡ୍ରିବଲ୍‌ କରିଛନ୍ତି। ଅନ୍ୟପକ୍ଷରେ ୨୩ ଫାଉଲ୍‌ର ଶିକାର ହୋଇଛନ୍ତି। ସୋମବାର ମେକ୍ସିକା ବିପକ୍ଷରେ ସ୍କୋର୍‌ କରିବା ପରେ ଏହା ତାଙ୍କର ଷଷ୍ଠ ବିଶ୍ୱକପ୍‌ ଗୋଲ ହୋଇଥିଲା।

ସମ୍ବନ୍ଧିତ ଖବର