ବ୍ରାଜିଲ୍‌କୁ ରୋକିଲା ସ୍ୱିଜର୍‌ଲାଣ୍ଡ

ରୁସ୍ତୋଭ-ଅନ୍‌-ଡନ୍‌: ବିଶ୍ୱକପ୍‌ ଇତିହାସର ସଫଳତମ ଦଳ ବ୍ରାଜିଲ ମସ୍କୋରେ ଫିକା ଆରମ୍ଭ କରିଛି। ତାରକା ଖେଳାଳି ନେମାରଙ୍କ ସହ ଏହାର ସଂପୂର୍ଣ୍ଣ ଅଗ୍ରଭାଗ ବିଫଳ ହେବା ପରେ ୟୁରୋପୀୟ ଶକ୍ତି ସ୍ୱିଜରଲାଣ୍ଡ୍‌ ଏହି ଦଳକୁ ଅଟକାଇ ଦେଇଛି। ରବିବାର ରାତିରେ ଖେଳା ଯାଇଥିବା ଗ୍ରୁପ୍‌-ଇ ମ୍ୟାଚ୍‌ରେ ସ୍ୱିଜରଲାଣ୍ଡ ରଣନୀତି ଆଗରେ ହରମାନି ବ୍ରାଜିଲ ପଏଣ୍ଟ୍‌ ବାଣ୍ଟିବାକୁ ବାଧ୍ୟ ହୋଇଛି। ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ ଦେବା ପରେ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି।

ମସ୍କୋ ମୁକୁଟ ଜିତିବାର ଅନ୍ୟତମ ଦାବିଦାର ତଥା ବିଶ୍ୱକପ୍‌ ଇତିହାସର ସଫଳତମ ଦଳ ବ୍ରାଜିଲ ରବିବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଆରମ୍ଭରୁ ସ୍ୱିଜରଲାଣ୍ଡ ରକ୍ଷଣଭାଗ ଉପରେ ଘନ ଘନ ଆକ୍ରମଣ କରିଥିଲା। ଯାହାର ଫଳ ୨୦ ମିିନିଟ୍‌ରେ ହିଁ ମିଳି ଯାଇଥିଲା। ବକ୍ସ ବାହାରୁ ଗୋଲ୍‌ ପୋଷ୍ଟକୁ ଲକ୍ଷ୍ୟ କରିବାର ଯୋଜନା କାମ ଦେବା ସହ ଫିଲିପ କୁଟିନୋ ଆଶାଜନକ ଭାବେ ବ୍ରାଜିଲକୁ ଆଗୁଆ କରି ଦେଇଥିଲେ। ମାର୍ସେଲୋଙ୍କ ତେରଛା ପାସ୍‌କୁ ହେଡରରେ ବକ୍ସ ବାହାରକୁ ପଠାଇ ଦେଇଥିଲେ। ହେଲେ ଏହା ସିଧା ଯାଇ କୁଟିନୋଙ୍କ ଆଗରେ ପଡ଼ିଥିଲା। କୁଟିନୋ ଡାହାଣ ପାଦରେ ୨୫ ଗଜ ଦୂରରୁ ଜବରଦସ୍ତ ସଟ୍‌ ମାରି ମ୍ୟାଚ୍‌ର ପ୍ରଥମ ଗୋଲ୍‌ ଅର୍ଜନ କରିଥିଲେ। ସ୍ୱିଜରଲାଣ୍ଡର ଅଗ୍ରଭାଗ ବ୍ରାଜିଲ ବକ୍ସକୁ ଏକାଧିକ ବାର ପ୍ରବେଶ କରିଥିଲେ। ହେଲେ ପ୍ରଥମାର୍ଧରେ ବ୍ରାଜିଲ ତୁଳନାତ୍ମକ ଭାବେ ଭଲ ଖେଳ ଖେଳିଥିଲା। କୁଟିନୋଙ୍କ ଗୋଲ୍‌ ବଳରେ ପ୍ରଥମାର୍ଧ ଶେଷ ସୁଦ୍ଧା ୧-୦ରେ ଆଗୁଆ ରହିଥିଲା। ମଧ୍ୟାନ୍ତର ପରେ ସ୍ୱିଜରଲାଣ୍ଡ ତା’ର ରଣନୀତି ବଦଳାଇ ସଫଳ ହୋଇଥିଲା। ଗୋଲ୍‌ ମୁହଁରେ କୌଣସି ବ୍ରାଜିଲ ଖେଳାଳି ନଥିବାର ସୁଯୋଗ ନେଇ ଷ୍ଟିଭେନ ଜୁବେର ହେଡରରେ ସ୍ଥିତି ୧-୧ କରି ନେଇଥିଲେ। ଜେରଦାନ ସାକିରି ଏଥିରେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ। ୫୦ ମିନିଟ୍‌ରେ ହୋଇଥିବା ଏହି ଗୋଲ୍‌ ସ୍ୱିଜରଲାଣ୍ଡ ଖେଳାଳିଙ୍କ ମନରେ ନୂଆ ଉତ୍ସାହ ଭରି ଦେଇଥିଲା। ପରବର୍ତୀ ୩୫ ମିନିଟ୍‌ ସହ ଆହତ ସମୟରେ ବ୍ରାଜିଲକୁ ବହୁ ସୁଯୋଗ ମିଳିଥିଲା। ହେଲେ ଏହାର ଚର୍ଚିତ ଅଗ୍ରଭାଗ ତାରକା ନେମାରଙ୍କ ସହ ଅଧିକାଂଶ ଅନ୍ୟ ଖେଳାଳି ଗୋଲ୍‌ ପୋଷ୍ଟରେ ବଲ୍‌ ପୂରାଇବାକୁ ବିଫଳ ହୋଇଥିଲେ। ଗତଥରର ବିଜେତା ଜର୍ମାନି ମେକ୍ସିକୋଠାରୁ ହାରିବା ଭଳି ବ୍ରାଜିଲ ସ୍ୱିଜରଲାଣ୍ଡ ସହ ପଏଣ୍ଟ୍‌ ବାଣ୍ଟିବା ତା ପ୍ରଶଂସକଙ୍କୁ ନିରାଶ କରିଛି।

ସମ୍ବନ୍ଧିତ ଖବର