୨-୦ରେ ଜିତିଲା ବ୍ରାଜିଲ୍‌

ସେଣ୍ଟ୍‌ ପିଟର୍ସବର୍ଗ: ପୂରା ୯୦ ମିନିଟ୍‌ ଖେଳ ଗୋଲଶୂନ୍ୟ ରହିଥିଲା। କିନ୍ତୁ ଇନ୍‌ଜ୍ୟୁରୀ ଟାଇମ୍‌ରେ ବ୍ରାଜିଲ୍‌ ୨-୦ରେ ବାଜି ମାରିନେଲା। ଶାମ୍ଭା ନୃତ୍ୟ ବି ଉଛୁଳି ଉଠିଲା ସେଣ୍ଟ୍‌ ପିଟର୍ସବର୍ଗରେ। ଘଟଣାବହୁଳ ଏହି ପ୍ରତୀକ୍ଷିତ ମୁକାବିଲାରେ ବ୍ରାଜିଲ୍‌ ୨-୦ ଗୋଲ୍‌ରେ କୋଷ୍ଟାରିକା କଷ୍ଟକୁ ଦୂର କରି ମଧ୍ୟ ପ୍ରି-କ୍ୱାର୍ଟର ଫାଇନାଲ୍‌ ଦୌଡ଼ରେ ସାମିଲ ହୋଇଗଲା। ପ୍ରଥମ ମ୍ୟାଚ୍‌ରେ ସ୍ୱିଜରଲାଣ୍ଡ୍‌ ସହ ପଏଣ୍ଟ୍‌ ବାଣ୍ଟିଥିବା ନେମାରଙ୍କ ଦଳ ଏଥି ସହିତ ମଧ୍ୟ ବଡ଼ ଆଶ୍ୱସ୍ତି ମାରିଲା। ନେମାର ବି ବ୍ୟକ୍ତିଗତ ଗୋଲ୍‌ ଦେଇ ସବୁ ନିରାଶାକୁ ପଛରେ ପକାଇ ମ୍ୟାଚ୍‌ ଶେଷରେ ପଡ଼ିଆରେ ଦୀର୍ଘ ସମୟ ବସି କାନ୍ଦି ପକାଇଥିଲେ। ଲଗାତାର ପରାଜୟ ସହିତ କୋଷ୍ଟାରିକା ଅଭିଯାନ ଆଗୁଆ ଶେଷ ହୋଇଗଲା। ପ୍ରଥମ ମ୍ୟାଚ୍‌ରେ କୋଷ୍ଟାରିକାକୁ ସର୍ବିଆ ପରାସ୍ତ କରିଥିଲା।
ଶୁକ୍ରବାରର ଏହି ମ୍ୟାଚ୍‌ ଘଟଣାବହୂଳ ଥିଲା ଏଇଥି ପାଇଁ ଯେ ୩ ହଳଦିଆ କାର୍ଡ, ନେମାରଙ୍କ ଛଳନା, ଭାର୍‌ ଜରିଆରେ ବ୍ରାଜିଲ୍‌କୁ ମିଳିଥିବା ପେନାଲ୍‌ଟି ପ୍ରତ୍ୟାଖ୍ୟାନ ହେବା ଆଦି ଏକାଧିକ ଘଟଣା ନଜରକୁ ଆସିଥିଲା। କିନ୍ତୁ ମ୍ୟାଚ୍‌ ଥିଲା ଅନ୍ୟତମ ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ। ମ୍ୟାଚ୍‌ର ଉଭୟାର୍ଧ ଗୋଲଶୂନ୍ୟ ରହିବାରୁ ୫ ଥର ବିଜେତା ବ୍ରାଜିଲ୍‌ ବେଳା ଖରାପ ବୋଲି ଚର୍ଚା ଆରମ୍ଭ ହୋଇଯାଇଥିଲା। ଆହତ ସମୟ ଭରଣା ପାଇଁ ଅତିରିକ୍ତ ଖେଳ ଅବଧି ଆରମ୍ଭ ହେବା ମାତ୍ରେ ବ୍ରାଜିଲ୍‌ ଭାଗ୍ୟ ଉଦୟ ହେବା ଭଳି ହୋଇଥିଲା। ବର୍ଧିତ ଅବଧିର ପ୍ରଥମ ମିନିଟ୍‌ (୯୧ତମ)ରେ ଫିଲିପ୍‌ କଟିନୋଙ୍କ ଗୋଲ୍‌ ଶାମ୍ଭା ଶିବିରରେ ଜୀବନ ଭରି ଦେଇଥିଲା। ରବର୍ଟ ଫିର୍ମିନୋ ବକ୍ସ ଅଞ୍ଚଳକୁ ବଲ୍‌ ପଠାଇବା ପରେ ଗାବ୍ରିଏଲ୍‌ ଜେସସ୍‌ଙ୍କ ଜରିଆରେ ପାଇଥିବା ବଲକୁ କଟିନୋ ଗୋଲ୍‌ରେ ପରିଣତ କରି ଦେଇଥିଲେ। ଶେଷ ତଥା ୯୭ତମ ମିନିଟ୍‌ରେ କୋଷ୍ଟାରିକା ରକ୍ଷଣଭାଗ ଦୁର୍ବଳତାରୁ ସମ୍ପୂର୍ଣ୍ଣ ଫାଇଦା ଉଠାଇ ନେମାର ସହଜରେ ଗୋଲ୍‌ ଦେଇଥିଲେ। ନେମାର ଓ କଟିନା ହଳଦିଆ କାର୍ଡ ପାଇଥିଲେ ମଧ୍ୟ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଚମକ ଛାଡ଼ିଥିଲେ। ମ୍ୟାଚ୍‌କୁ ବ୍ରାଜିଲ୍‌ ୨-୦ରେ ଜିତିଥିଲେ ମଧ୍ୟ କୋଷ୍ଟାରିକା କିଛି କମ୍‌ କଷ୍ଟ କରିନଥିଲା।

ଭାର୍‌ ବି ଜିତିଲା
ବ୍ରାଜିଲ୍‌-କୋଷ୍ଟାରିକା ମ୍ୟାଚ୍‌ରେ ଭାର୍‌ (ଭିଡିଓ ଆସିଷ୍ଟାଣ୍ଟ ରେଫରି)ର ଏକ ମୁହୂର୍ତ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ନେମାରଙ୍କୁ ଫାଉଲ୍‌ ମାରିବା କାରଣରୁ ରେଫରି କୋଷ୍ଟାରିକା ବିପକ୍ଷରେ ପେନାଲଟି ଦେଇଥିଲେ। ଖେଳାଳି ଓ ପ୍ରଶଂସକ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ଶେଷରେ ସତ କଥାକୁ ପଦାରେ ପକାଇଥିଲା ଭାର୍‌। ବାସ୍ତବରେ ନେମାରଙ୍କୁ ଫାଉଲ୍‌ ହୋଇନଥିବାରୁ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା। କୋଷ୍ଟାରିକା ନିୟମିତ ସମୟରେ ଏକ ନିଶ୍ଚିତ ଗୋଲରୁ ବର୍ତିଯାଇଥିଲା। କିନ୍ତୁ ସବୁକିଛି ହରାଇଥିଲା ସମ୍ପ୍ରସାରିତ ସମୟରେ। ୭ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ବରଣ କରି ଛାଡ଼ି ଦେଇଥିଲା ମ୍ୟାଚ୍‌।

ସମ୍ବନ୍ଧିତ ଖବର