ବ୍ରାଜିଲ-ମେକ୍ସିକୋ ପ୍ରି-କ୍ୱାର୍ଟର

ମସ୍କୋ/ନିଝନି: ବିଶ୍ୱକପ୍‌ ଇତିହାସର ସଫଳତମ ତଥା ଲୋକପ୍ରିୟ ଦଳ ବ୍ରାଜିଲ ଗ୍ରୁପ୍‌-ଇ ବିଜେତା ଭାବେ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। ଦୁଇଟି ବିଜୟ ଏବଂ ଗୋଟିଏ ମ୍ୟାଚ୍‌କୁ ଅମୀମାଂସିତ ରଖି ବ୍ରାଜିଲ ମୋଟ ୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ଗୋଟିଏ ବିଜୟ ଦୁଇଟି ଡ୍ର’ ପାଇ ଏହି ଗ୍ରୁପର ଦ୍ୱିତୀୟ ଦଳ ଭାବେ ସ୍ୱିଜରଲାଣ୍ଡ (୫) ପ୍ରି-କ୍ୱାର୍ଟରରେ ସ୍ଥାନ ସୁରକ୍ଷିତ କରି ନେଇଛି। ଅନ୍ୟପକ୍ଷରେ ସର୍ବିୟା (୩) ଏବଂ କୋଷ୍ଟାରିକା (୧) ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହି ବିଦାୟ ନେଇଛନ୍ତି। ବୁଧବାର ଶେଷ ଦୁଇ ମୁକାବିଲାରେ ବ୍ରାଜିଲ ୨-୦ରେ ସର୍ବିୟାକୁ ହରାଇଥିଲା। ଅନ୍ୟପକ୍ଷରେ ସ୍ୱିଜରଲାଣ୍ଡ-କୋଷ୍ଟାରିକା ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ପ୍ରି-କ୍ୱାର୍ଟରରେ ବ୍ରାଜିଲ ମେକ୍ସିକୋକୁ ଭେଟିବ।

ଅଟକିଲା ସର୍ବିୟା

ପୈଲିନୋଙ୍କ ୩୬ ମିନିଟ୍‌ ଗୋଲ୍‌ ବଳରେ ବ୍ରାଜିଲ୍‌ ପ୍ରଥମାର୍ଧରେ ୧-୦ରେ ଆଗୁଆ ରହିଥିଲା। ସେହିଭଳି ୬୮ ମିନିଟରେ ନେମାରଙ୍କ କର୍ନର ସଟ୍‌କୁ ହେଡରରେ ସଫଳତାର ସହ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ଥିଏଗୋ ସିଲ୍‌ଭା ବ୍ରାଜିଲ ବିଜୟକୁ ପକ୍କା କରି ନେଇଥିଲେ। ସର୍ବିୟା ଶେଷ ପର୍ଯ୍ୟନ୍ତ କୌଣସି ଗୋଲ୍‌ ଦେଇ ନ ପାରିବାରୁ ବ୍ରାଜିଲ ଏକତରଫା ବିଜୟ ସହ ପ୍ରି-କ୍ୱାର୍ଟରକୁ ଯାଇଥିଲା।  ବ୍ରାଜିଲ୍‌ ଏହି ବିଜୟ ସହ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ବିଜୟ ପାଇଥିଲା। ଅନ୍ୟପକ୍ଷରେ ସର୍ବିୟା ଦୁଇଟି ପରାଜୟ ସହ ବିଦାୟ ନେଇଥିଲା। ଏକମାତ୍ର ମ୍ୟାଚ୍‌ରେ ବିଜୟ ଏହି ଦଳ କୋଷ୍ଟାରିକା ବିପକ୍ଷରେ ପାଇଥିଲା।

ସମ୍ବନ୍ଧିତ ଖବର