ଭାଙ୍ଗିଲେ ବାଂଲା ଡ୍ରେସିଂ ରୁମ୍‌

କଲମ୍ବୋ: ନିଦାହାସ ଟ୍ରଫିର ଶୁକ୍ରବାର ଖେଳା ଯାଇଥିବା ବାଂଲଦେଶ-ଶ୍ରୀଲଙ୍କା ଶେଷ ଲିଗ ମ୍ୟାଚ୍‌ରେ ନୋ’ ବଲ୍‌କୁ ନେଇ ବାଂଲାଦେଶ ଖେଳାଳିମାନେ ପଡ଼ିଆ ଭିତରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଏପରିକି ଏହି ଖେଳାଳିମାନେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲେ। ପୂର୍ବତନ ଖେଳାଳିଙ୍କ ହସ୍ତକ୍ଷେପ ପରେ ଯାଇ ସେମାନେ ଶାନ୍ତ ପଡ଼ିଥିଲେ। ପଡ଼ିଆ ବାହାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ବାଂଲାଦେଶ ଖେଳାଳିଙ୍କ ଡ୍ରେସିଂ ରୁମ୍‌ କାଚ କବାଟ କିଛି ସମୟ ପରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ଲାଗୁଥିଲା ଯେମିତି ଡ୍ରେସିଂ ରୁମରେ କେହି ଭିତରୁ ଭାଙ୍ଗାରୁଜା କରିଥିଲା। ବାହାରେ ଲାଗିଥିବା ସିସିଟିଭିରେ ବାଂଲାଦେଶ ଖେଳାଳିମାନେ ତଳେ ପଡ଼ିଥିବା କାଚକୁ ମାଡ଼ି ବାହାରକୁ ଚାଲି ଆସୁଥିବାର ଦୃଶ୍ୟ ଥିଲା। ହେଲେ ଏହି ଲଙ୍ଗାକାଣ୍ଡ କିଏ ଘଟାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ। ତେବେ ବାଂଲାଦେଶର କିଛି ଖେଳାଳି ସନ୍ଦେହ ଘେରରେ ଅଛନ୍ତି। ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରଡ୍‌ ଏହି ବିଷୟରେ ବଣ୍ଟନ ବ୍ୟବସ୍ଥା ଦାୟିତ୍ୱରେ ଥିବା ସଂସ୍ଥାର କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ସଂପୃକ୍ତ କର୍ମଚାରୀମାନେ କିଛି ଖେଳାଳିଙ୍କ ନାଁ ନେଇଛନ୍ତି। ହେଲେ ବ୍ରଡ୍‌ ନିଜ ତଦନ୍ତ ରିପୋର୍ଟକୁ ବାହାରେ ପ୍ରକାଶ କରି ନାହାନ୍ତି। ଏହା ପୂର୍ବରୁ ଇସ୍ରୁ ଉଦାନା ବୋଲିଂ କରିଥିବା ଶେଷ ଓଭରର ନୋ’ ବଲ୍‌କୁ ନେଇ ପଡ଼ିଆ ଭିତରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ଖେଳାଳିମାନେ ପରସ୍ପର ସହ ଢେର ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ କରିଥିଲେ। ଏପରିକି ବାଂଲାଦେଶ ଅଧିନାୟକ ସକିବ-ଅଲ-ହାସନ ନିଜ ଖେଳାଳିଙ୍କୁ ପଡ଼ିଆ ଛାଡ଼ି ବାହାରକୁ ଚାଲି ଆସିବାକୁ କହିଥିଲେ। ହେଲେ ବ୍ୟାଟିଂ କରୁଥିବା ମହମ୍ମଦୁଲ୍ଲା ଓ ରୁବେଲ ହୁସେନ ଏଥିରେ ସାମାନ୍ୟ ଅମଙ୍ଗ ହୋଇଥିଲେ। ଶେଷରେ ଅମ୍ପାୟାର ଏବଂ ପୂର୍ବତନ ଖେଳାଳିଙ୍କ ବୁଝା ଶୁଝା ପରେ ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା। ମହମ୍ମଦୁଲ୍ଲା ଛକା ମାରି ବାଂଲାଦେଶକୁ ରୋମାଞ୍ଚକର ବିଜୟ ଉପହାର ଦେବା ପରେ ପଡ଼ିଆ ଛାଡ଼ିବା ବାଟରେ ମଧ୍ୟ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ପୁଣି ଥରେ ଯୁକ୍ତିତର୍କ ହୋଇଥିଲା। ଯାହାକୁ ବହୁ ପୂର୍ବତନ ଖେଳାଳି ତୀବ୍ର ନିନ୍ଦା କରିଛନ୍ତି।

ସକିବ ଓ ନୁରୁଲ ଦଣ୍ଡିତ
ଶୁକ୍ରବାର ଖେଳା ଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ସହ ଶ୍ରୀଲଙ୍କା ଖେଳାଳି ଏବଂ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିବାରୁ ବାଂଲାଦେଶ କ୍ରିକେଟ୍‌ ଦଳର ଅଧିନାୟକ ସକିବ-ଅଲ୍‌-ହାସନ ଏବଂ ବଦଳ ଖେଳାଳି ନୁରୁଲ ହାସନ ନିଜ ନିଜ ମ୍ୟାଚ୍‌ ପାଉଣାର ୨୫ ପ୍ରତିଶତ ହରାଇଛନ୍ତି। ଉଭୟଙ୍କୁ ଆଇସିସି ଗୋଟିଏ ଲେଖାଏଁ ଡିମେରିଟ୍‌ ପଏଣ୍ଟ ମଧ୍ୟ ପ୍ରଦାନ କରିଛି। ମ୍ୟାଚ୍‌ ନିର୍ଣ୍ଣାୟକ ମୋଡ଼ରେ ଥିଲା ବେଳେ ସକିବଙ୍କ ବାର୍ତା ନେଇ ପଡ଼ିଆକୁ ଆସିଥିବା ନୁରୁଲ ଶ୍ରୀଲଙ୍କା ଅଧିନାୟକ ଥିସାରା ପେରେରାଙ୍କ ସହ ଯୁକ୍ତିତର୍କ କରିଥିଲେ। ଅନ୍ୟ ପକ୍ଷରେ ସକିବ ଅମ୍ପାୟାର ନୋ’ ବଲ୍‌ ନ ଡାକିବା ପରେ ପଡ଼ିଆ ଛାଡ଼ି ବାହାରକୁ ଚାଲି ଆସିବାକୁ ବ୍ୟାଟିଂ କରୁଥିବା ମହମ୍ମଦୁଲ୍ଲା ଏବଂ ରୁବେଲ୍‌ ହୁସେନଙ୍କୁ ନିର୍ଦେଶ ଦେଇଥିଲେ। ଶନିବାର ସକାଳେ ଉଭୟ ନିଜ ନିଜର ଦୋଷ ସ୍ୱୀକାର କରିନେବା ପରେ ମ୍ୟାଚ୍‌ ରେଫରି ସେମାନଙ୍କୁ ଜରିମାନା କରିବା ସହ ଡିମେରିଟ୍‌ ପଏଣ୍ଟ ପ୍ରଦାନ କରିଥିଲେ। ସେପଟେ ବାଂଲାଦେଶ ଖେଳାଳିଙ୍କ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ତା’ର ପ୍ରତିକ୍ରିୟାରେ କହିଛି। ସକିବ ନିଜ ବ୍ୟବହାର ପାଇଁ ଦୁଃଖ ପ୍ରକାଶ କରିବା ସହ ସେହି ପରିସ୍ଥିତିରେ ନିଜ ଉପରେ ନିୟନ୍ତ୍ରଣ ରଖିବା ଠିକ୍‌ ହୋଇ ଥାଆନ୍ତା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର