ଭାଇ ଭାଙ୍ଗିଲା ଭାଇର ସ୍ବପ୍ନ, ଇଂଲଣ୍ଡରୁ ମାର୍କ, ଆୟର୍ଲାଣ୍ଡରୁ ପଲ୍‌

ପୁରୁଷ ହକି ବିଶ୍ବକପ୍ ଇତିହାସରେ ଗୋଟିଏ ଦଳରୁ ଦୁଇ ଭାଇ ଖେଳିବାର ଅନେକ ଉଦାହରଣ ରହିଛି। ଓଡ଼ିଆ ଭାଇ ଇଗ୍ନେସ ଏବଂ ପ୍ରବୋଧ ତିର୍କି ଏହି ତାଲିକାର ଅନ୍ୟତମ ସଫଳ ‌ଯୋଡ଼ି। ବଡ଼ ଭାଇ ଇଗ୍ନେସ  ସାନ ଭାଇ ପ୍ରବୋଧଙ୍କ ସହ ୨୦୦୬ ମଞ୍ଚେନଗ୍ଲାଡବ୍ୟାକ୍ ବିଶ୍ବକପ୍‌ରେ ଭାରତର ପ୍ରତିନିଧିତ୍ବ କରିଥିଲେ। ହେଲେ ଚଳିତ ବିଶ୍ବକପ୍‌ରେ ଏମିତି ଦୁଇ ଭାଇ ଅଛନ୍ତି ଯେଉଁମାନେ ପରସ୍ପର ବିପକ୍ଷରେ ଖେଳି ବେଶ୍ ଚର୍ଚା ସାଉଣ୍ଟୁଛନ୍ତି। ଏହି ଦୁଇ ଭାଇ ହେଲେ ମାର୍କ ଏବଂ ପଲ୍ ଗ୍ଲେଘୋର୍ନ। ମାର୍କ ଆୟର୍ଲାଣ୍ଡ ଦଳର ସଦସ୍ୟ ହୋଇଥିଲା ବେଳେ ପଲ୍ ଇଂଲଣ୍ଡର ପ୍ରତିନିଧିତ୍ବ କରୁଛନ୍ତି। ଆୟର୍ଲାଣ୍ଡରେ ଜନ୍ମଗ୍ରହଣ କରିଥିବା ଦୁଇ ଭାଇ ଏକାଠି ହକି ଖେଳିବା ଆରମ୍ଭ କରିଥିଲେ। ହେ‌ଲେ ମାର୍କ ଅଧିକ ସୁଯୋଗ ଆଶା‌ରେ ୨୦୦୮ରେ ଇଂଲଣ୍ଡ ସ୍ଥାନାନ୍ତର ହୋଇଯାଇଥିଲେ। ୩ ବର୍ଷର କୁଲିଂ ଅଫ୍ ପିରିୟଡ୍ ପରେ ୨୦୧୧ରେ ସେ ଇଂଲଣ୍ଡ ଦଳରେ ସ୍ଥାନ ପାଇଥିଲେ। ସେବେ‌ଠାରୁ ମାର୍କ ଇଂଲଣ୍ଡ ହକି ଦଳର ନିୟମିତ ସଦସ୍ୟ ପାଲଟି ଯାଇଛନ୍ତି। ପଲ୍ କିନ୍ତୁ ନିଜ ଜନ୍ମିତ ଦେଶ ଆୟର୍ଲାଣ୍ଡ ପକ୍ଷରୁ ଖେଳୁଛନ୍ତି। ଶୁକ୍ରବାର ପୁଲ୍-ବିର ଶେଷ ଲିଗ୍ ମ୍ୟାଚ୍‌ରେ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମୁହାଁମୁହିଁ ହୋଇଥିଲେ। ଏହି ଦୁଇ ଭାଇ ମଧ୍ୟ ଭୁବନେଶ୍ବର ବିଶ୍ବକପ୍‌ରେ ପ୍ରଥମ ଥର ପରସ୍ପର ବିପକ୍ଷରେ ଖେଳିଥିଲେ। ମାର୍କଙ୍କ ବିଳମ୍ବିତ ଗୋଲ୍ ବଳରେ ହିଁ ଆୟର୍ଲାଣ୍ଡକୁ ଇଂଲଣ୍ଡ ବିଦାୟର ପଥ ଦେଖାଇ ଦେଇଥିଲା। ଇଂଲଣ୍ଡର ପ୍ରଥମ ତିନି ଗୋଲ୍‌ରେ ମଧ୍ୟ ମାର୍କ ନିର୍ଣ୍ଣାୟକ ଭୁମିକା ନେଇଥିଲେ। କହିବାକୁ ଗଲେ ମାର୍କ ହିଁ ପଲ୍‌ଙ୍କ ବିଶ୍ବକପ୍‌ ଅଭିଯାନରେ ପୂର୍ଣ୍ଣଛେଦ ଟାଣିଥିଲେ।  ମ୍ୟାଚ୍ ଅମୀମାଂସିତ ରଖିଥିଲେ ଉଭୟ ଦଳ କ୍ରସ୍ ଓଭରକୁ ଯାଇ ଥାଆନ୍ତେ। ମାର୍କ ଇଂଲଣ୍ଡ ପାଇଁ ଖୁସି ଥିଲେ ମଧ୍ୟ ସାନ ଭାଇର ସ୍ବପ୍ନ ନିଜ ହାତରେ ଭାଙ୍ଗି ଦେଇଥିବାରୁ ଟିକିଏ ନିରାଶ ଅଛନ୍ତି। ତେବେ ପଡ଼ିଆ ଭିତରେ ଆମେ ଦୁଇ ଜଣ ପକ୍କା ପେସାଦାର। କେହି କାହାରିକୁ କୌଣସି ପ୍ରକାର ଦୟା ଦେଖାଉ ନାର୍ହି। ଉଭୟ ନିଜ ନିଜ ଦଳକୁ ଜିତାଇବାକୁ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଉ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।  ୩୩ ବର୍ଷୀୟ ମାର୍କ  ୨୩୩ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ୮୦ ମ୍ୟାଚ୍‌ରେ ସେ  ଇଂଲଣ୍ଡର ପ୍ରତିନିଧିତ୍ବ କରିଛନ୍ତି। ୩୧ ବର୍ଷୀୟ ପଲ୍ କେବଳ ଆୟର୍ଲାଣ୍ଡ ପକ୍ଷରୁ ୨୧୮ ମ୍ୟାଚ୍ ଖେଳିଛନ୍ତି। ମାର୍କ ଓ ପଲ୍ ଉତ୍ତର ଅୟେର୍ଲାଣ୍ଡର ଆଣ୍ଟ୍ରିମ ସହରରେ ଜନ୍ମ ଗ୍ରହଣ କରିଥିଲେ। କ୍ରିକେଟର ଏଡ୍ ଏବଂ ଡୋମିନିକ୍ ଜୋଏସ୍ ମଧ୍ୟ ଏହିଭଳି ଭାବେ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡରୁ ଖେଳୁଥିଲେ। ଉଭୟ ଆୟର୍ଲାଣ୍ଡରେ ଜନ୍ମ ଗ୍ରହଣ କରିଥିଲେ। ହେଲେ ଏଡ୍ ଇଂଲଣ୍ଡକୁ ବାଛିଥିଲା ବେଳେ ଡୋମିନିକ୍ ଆୟର୍ଲାଣ୍ଡରେ ରହିଥିଲେ।

ସମ୍ବନ୍ଧିତ ଖବର