ଓଡ଼ିଶା କ୍ରିକେଟର ଲୋକପ୍ରିୟ ଭାଷ୍ୟକାର ଶବ୍ଦର ବାଦ୍‌ଶାହା ବୁବୁ

କେନ୍ଦୁଝର : କ୍ରିକେଟ୍‌ ପଡ଼ିଆରେ ସେ ଶବ୍ଦର ବାଦ୍‌ଶାହା। କିଏ କେତେବେଳେ ପଡ଼ିଆକୁ ଆସିବ ଓ ପଡ଼ିଆରେ ପ୍ରତିଟି ମୁହୂର୍ତ୍ତରେ ଘଟୁଥିବା ଘଟଣାର ବର୍ଣ୍ଣନା ପାଇଁ କେଉଁ ଶବ୍ଦ ବ୍ୟବହାର ହେବ ତାହା ତାଙ୍କୁ ବେଶ୍‌ ଭଲଭାବେ ଜଣା। ନିଜ ଶବ୍ଦର ଯାଦୁରେ କ୍ରିକେଟ ପଡ଼ିଆରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଏପରି ଜ‌ଣେ ଭାଷ୍ୟକାର ହେଉଛନ୍ତି କେନ୍ଦୁଝରର ବୁବୁ ସିହ୍ନା।

କେନ୍ଦୁଝର ସହର ବାସିନ୍ଦା ବୁବୁଙ୍କ ସ୍ବର କେବଳ ଜିଲ୍ଲାରେ ନୁହେଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସ୍‌ନ (ଓସିଏ) ଦ୍ବାରା ପରିଚାଳିତ ଓପିଏଲ୍‌ରେ ମଧ୍ୟ ଶୁଣିବାକୁ ମିଳିଛି। ବୁବୁଙ୍କ ପରିଚୟ ହେଉଛି ସେ ଜଣେ କ୍ରିକେଟ ଭାଷ୍ୟକାର। ରାଜ୍ୟସ୍ତରର ବିଭିନ୍ନ କ୍ରିକେଟ୍‌ ପ୍ରତିଯୋଗିତାରେ ଧାରାବିବରଣୀ ଦେଉଥିବା ବୁବୁ ଜାତୀୟସ୍ତରର ଭାଷ୍ୟକାର ହେବାକୁ ଲକ୍ଷ୍ୟ ରଖିଛନ୍ତି। କେନ୍ଦୁଝର ଜିଲ୍ଲାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ଏମିତି କୌଣସି ଗୁରରୁତ୍ବପୂର୍ଣ୍ଣ କ୍ରିକେଟ୍‌ ପ୍ରତିଯୋଗିତା ନାହିଁ ଯେଉଁଠି ତାଙ୍କ ସ୍ବର ଶୁଭେନାହିଁ। ତାଙ୍କ ଧାରାବିବରଣୀ ଖେଳାଳିଙ୍କ ମଧ୍ୟରେ ଯୋଶ୍‌ ଭରିବା ସହ ଦର୍ଶକଙ୍କୁ ବାନ୍ଧି ରଖିଥାଏ।

ସେ ଏକାଧାରରେ ଓଡ଼ିଆ, ଇଂରାଜୀ, ହିନ୍ଦୀ ଓ ବଙ୍ଗଳାରେ ଧାରାବିବରଣୀ ଦେବା‌ର ଦକ୍ଷତା ରଖିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗର ୫୦୦ରୁ ଅଧିକ କ୍ରିକେଟ୍‌ ପ୍ରତିଯୋଗିତାରେ ସେ ଧାରାବିବରଣୀ ଦେଇସାରିଛନ୍ତି। ସବୁଠୁ ବଡ଼ କଥା ହେଉଛି ରାଜ୍ୟର ପ୍ରମୁଖ କ୍ରିକେଟ୍‌ ପ୍ରତିଯୋଗିତା କୁହାଯାଉଥିବା ଓଡ଼ିଶା ପ୍ରିମିୟର ଲିଗ୍‌ରେ ସେ ଥିଲେ ସର୍ବାଧିକ ପ୍ରଶଂସିତ ଭାଷ୍ୟକାର। ଓପିଏଲ ସମେତ ଅଂଶୁମାନ ସ୍ମାକରୀ କ୍ରିକେଟ୍‌ କପ୍‌, ସଂଜିତ ସ୍ମାରକୀ କପ୍‌, ଲେଟ୍‌କଟ୍‌ ବାରିପଦା, ସୋରର ମହାବୀର କପ୍‌, କଟକ ପ୍ରମିୟର ଲିଗ୍‌, କଳିଙ୍ଗ କପ୍‌, ପାଣିକୋଇଲି କପ୍‌, ହିଙ୍ଗୁଳା କପ୍‌, କିଟ୍‌ ପ୍ରିମିୟର ଲିଗ୍‌, ହାଇଟେକ୍‌ ପ୍ରିମିୟର ଲିଗ୍‌, କଳ୍ପତରୁ ଦାସ ସ୍ମାରକୀ କ୍ରିକେଟ୍‌, ଆଜାଦ ଚ୍ୟାଲେଞ୍ଜ ଟ୍ରଫି, ଶଙ୍କର ସ୍ପୋର୍ଟିଂ କପ୍‌, ଭଦ୍ରକ ପ୍ରିମିୟର ଲିଗ୍‌, ମା ତାରିଣୀ କପ୍‌, ସୋରୋ ମହିଳା କପ୍‌, ନୟାଗଡ଼ କପ୍‌ ଆଦି ଶତାଧିକ ସର୍ବଭାରତୀୟ ପ୍ରତିଯୋଗିତାରେ ସେ ଧାରାବିବରଣୀ ଦେଇଛନ୍ତି।

ଭାରତୀୟ ଦଳର ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କଠାରୁ ଆରମ୍ଭ କରି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ପ୍ରଶଂସା କରିଛନ୍ତି। ରାଜ୍ୟର ବିଭିନ୍ନ ପଡ଼ିଆରେ ସେ ବର୍ଷ ବର୍ଷ ଧରି ଧାରାବିବରଣୀ ଦେବା ପରେ ଏବେ ଜାତୀୟସ୍ତରର ପ୍ରତିଯୋଗିତାରେ ସୁଯୋଗ ପାଇବା ଅପେକ୍ଷାରେ ଅଛନ୍ତି। ସୁଯୋଗ ମିଳିଲେ ଗ୍ରାମାଞ୍ଚଳରେ ଥିବା ତାଙ୍କ ଭଳି ପ୍ରତିଭାର ବିକାଶ ହୋଇପାରିବ ବୋଲି ବୁବୁ କହିଛନ୍ତି।

ସମ୍ବନ୍ଧିତ ଖବର