ବୁମ୍‌ରା-ଭୁବିଙ୍କ ଚମକ

ଡବଲ୍ ମେଡେନ୍‌ରୁ ଆରମ୍ଭ

ଭାରତ ପ୍ରଥମେ କ୍ଷେତ୍ରରକ୍ଷଣ କରିବା ଲାଗି ଆମନ୍ତ୍ରିତ ହେବା ପରେ ଠିକଣା ଆରମ୍ଭ କରିଥିଲା। ଦଳର ଦୁଇ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଏବଂ ଯଶପ୍ରୀତ୍ ବୁମରା ନିଜ ନିଜ ପ୍ରଥମ ଓଭରକୁ ମେଡେନ୍ (ରନ୍ ବିହୀନ) ପକାଇଥିଲେ। ନ୍ୟୁଜିଲାଣ୍ଡ୍‌କୁ ପ୍ରଥମ ରନ୍ ପାଇଁ ପାଳିର ୧୬ତମ ବଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଭୁବି ଏବଂ ବୁମ୍‌ ମଧ୍ୟ ନିଜର ଦ୍ବିତୀୟ ଓଭରରେ ସମାନ ୧ ରନ୍ ଲେଖାଏଁ ବ୍ୟୟ କରିଥିଲେ। ବୁମରା କିନ୍ତୁ ମାର୍ଟିନ ଗପ୍ଲିଲଙ୍କୁ ସ୍ଲିପ୍‌ରେ କୋହଲିଙ୍କ ହାତରେ କ୍ୟାଚ୍‌ କରାଇ ଭାରତକୁ ପ୍ରଥମ ସଫଳତା ‌ଦେଇଥିଲେ। ଚତୁର୍ଥ ଓଭର ଶେଷ ବେଳକୁ ନ୍ୟୁଜିଲାଣ୍ଡ୍‌ ୧/୨ରେ ସଂଘର୍ଷ କରିଥିଲା। ଭାରତୀୟ ଦ୍ରୁତ ବୋଲର ଯୋଡ଼ି ଏତେ ପ୍ରଭାବ ବିସ୍ତାର କରିଥିଲେ ଯେ ହେନରି ନିକଲ୍ସ ଏବଂ କେନ୍ ୱିଲିୟମସନ୍ ବାନ୍ଧି ହୋଇଯାଇଥିଲେ। ସପ୍ତମ ଓଭର ଶେଷ ସୁଦ୍ଧା ଦଳୀୟ ସ୍କୋର୍‌ ୧୦/୧ରେ ରହିଥିଲା। ଅଷ୍ଟମ ଓଭର ଶେଷ ବଲ୍‌ରେ ବୁମରାଙ୍କୁ କଭର୍ ସୀମାରେଖା ବାହାରକୁ ଖେଳି ପାଳିର ପ୍ରଥମ ଚୌକା ମାରିଥିଲେ ହେନରି ନିକଲ୍ସ।
ଚହଲ, ପାଣ୍ଡ୍ୟା ଖଳ ନାୟକ
ଭାରତୀୟ ଦ୍ରୁତ ବୋଲର ଭଲ ଆରମ୍ଭ ଦେଇଥିଲେ। ଭୁବି-ବୁମ୍‌ ଆକ୍ରମଣରୁ ହଟିଯିବା ପରେ ନ୍ୟୁଜିଲାଣ୍ଡ୍ ରନ୍ ସଂଗ୍ରହ କଥା ଚିନ୍ତା କରିଥିଲା। କିନ୍ତୁ ହାର୍ଦିକ ପାଣ୍ଡ୍ୟା ଏବଂ ୟୁଜବେନ୍ଦ୍ର ଚହଲ ଖଳ ନାୟକ ସାଜିଥିଲେ ମାତ୍ରାଧିକ ଅତିରିକ୍ତ ରନ୍ ବ୍ୟୟ କରି। ମିଳିତ ଭାବ ଉଭୟ ୧୩ ରନ୍ କେବଳ ଅତିରିକ୍ତ ଭାବେ ଦେବା ସହିତ ୧୩ ଅତିରିକ୍ତ ବଲ୍ ବୋଲିଂ କରିବାକୁ ବାଧ୍ୟ ହୋଇଥିଲେ। ଚହଲ ମୋଟ ୮ ୱାଇଡ୍ ଏବଂ ପାଣ୍ଡ୍ୟା ୫ ୱାଇଡ୍ ବଲ୍ ପକାଇଥିଲେ। ପଳରେ ଏମାନଙ୍କ ବୋଲିଂ ଚିତ୍ର ନ୍ୟୁଜିଲାଣ୍ଡ୍ ପାଳି ତୁଳନାରେ ଢେର ଉପରେ ରହିଥିଲା। ଚହଲ ୧୦-୦-୬୩-୧୦ ଏବଂ ପାଣ୍ଡ୍ୟା ୧୦-୦-୫୫-୧ ବୋଲିଂ ଚିତ୍ର ପାଇଥିଲେ। ମ୍ୟାଚ୍‌ର ୪୪ତମ ଓଭରରେ ଚହଲ ୧୮ ରନ୍ ବ୍ୟୟ କରିବା ଏବଂ ପାଳିର ଏକମାତ୍ର ଛକାର ଶିକାର ହେବା ମଧ୍ୟ ବୋଲିଂ ଚିତ୍ରକୁ ଅଧିକ ବିଗାଡ଼ି ଦେଇଥିଲା।
ରସ୍ ଟେଲର @ ୫୦
ନ୍ୟୁଜିଲାଣ୍ଡ୍ ଦଳର ପୂର୍ବତନ ଅଧିନାୟକ ତଥା ଶେଷ ବିଶ୍ବକପ୍‌ ଖେଳୁଥିବା ରସ୍ ଟେଲର ବେଶ୍‌ ଦାୟିତ୍ବପୂର୍ଣ୍ଣ ପାଳି‌ ଖେଳିଛନ୍ତି। ବର୍ଷା ବାଧା ବେଳକୁ ଟେଲର (୬୭*, ୮୫ ବଲ୍‌, ୩‌ ଚୌକା, ୧ ଛକା) କ୍ରିଜ୍‌ରେ ମହଜୁଦ ଥିଲେ। ଏହି ଅବସରରେ ୫୦ତମ ଦିନିକିଆ ଅର୍ଧଶତକ ହାସଲ କରିଥିଲେ। କିନ୍ତୁ ନ୍ୟୁଜିଲାଣ୍ଡ୍ ପାଳି ଶେଷ ହୋଇନଥିବାରୁ ସେ ୭୦ତମ ଥର ପାଇଁ ଦିନିକିଆରେ ୫୦+ ‌ସ୍କୋର୍ କରିଥିବା ଗଣାଯାଇଛି। ଟେଲରଙ୍କ ନାମରେ ୨୦ ଦିନିକିଆ ଶତକ ମଧ୍ୟ ରହିଛି।
ମନେ ପଡ଼ିଲା ୧୯୮୩
ମଙ୍ଗଳବାର ମା‌ଞ୍ଚେଷ୍ଟରରେ ସେମିଫାଇନାଲ୍ ପୂର୍ବରୁ ମନେ ପଡ଼ିଥିଲା ଏହି ପଡ଼ିଆର ୧୯୮୩ ମସିହା ସଂଯୋଗ। ସମାନ ପଡ଼ିଆରେ ଇଂଲଣ୍ଡକୁ ପଶ୍ଚାତ୍‌ଧାବନ କରି ହରାଇବା ପରେ ଭାରତ ପହଞ୍ଚିଥିଲା ଫାଇନାଲରେ। ୨୦୦୩ ଏବଂ ୨୦୧୧ ମସିହାରେ ଭାରତ ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଆଗକୁ ବଢ଼ିଥିଲା। ୧୯୯୬ ଏବଂ ୨୦୧୫ ମସିହା ପଶ୍ଚାତଧାବନରେ ବିଫଳ ହୋଇ ସେମିଫାଇନାଲରୁ ବିଦାୟ ନେଇଥିଲା।

ସମ୍ବନ୍ଧିତ ଖବର