ନେଟ୍‌ସରେ ବୋଲିଂ କରିବେ ବୁମ୍‌ରା, ଭୁବିଙ୍କ ଉପରେ କଳା ବାଦଲ

ନୂଆଦିଲ୍ଲୀ: ପିଠିରେ ଆହତ କାରଣରୁ ଅସ୍ତ୍ରୋପଚାର କରାଇଥିବା ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଖୁବ୍ ଶୀଘ୍ର କ୍ରିକେଟ୍ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଶାରୀରିକ ଥଇଥାନ କାର୍ଯ୍ୟକ୍ରମ ଅଧୀନରେ ଥିବା ବୁମ୍‌ରା ଏହାର ଅଂଶବିଶେଷ ଭାବେ ବିଶାଖାପାଟଣାଠାରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ଦ୍ବିତୀୟ ଦିନିକିଆ ବେଳେ ଭାରତୀୟ ଦଳର ନେଟ୍‌ସରେ ବୋଲିଂ କରିବେ ବୋଲି ମଧ୍ୟ ସୂଚନା ମିଳିଛି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ପରଠାରୁ ବୁମ୍‌ରା ଖେଳଠାରୁ ଦୂରେଇ ରହିଥ‌ିଲେ ମଧ୍ୟ ତାଙ୍କ ଫିଟନେସ୍‌ରେ ଦ୍ରୁତ ଉନ୍ନତି ପରିଲଖିତ ହେଉଛି। ଏବେ ଭାରତୀୟ ଦଳ ଶିବିରରେ ଅଭ୍ୟାସ କରିବା ସହ ଖେଳାଳିଙ୍କ ଫିଟନେସ୍‌ ପରୀକ୍ଷା ପ୍ରଦାନକୁ ଏକ ମାନଦଣ୍ଡ କରାଯାଇଛି ବୋଲି ନିଜ ନାମ ଗୋପନ ରଖି ଜଣେ ବିସିସିଆଇ ଅଧିକାରୀ ପ୍ରକାଶ କରିଛନ୍ତି। ଗତ ବାଂଲାଦେଶ ବିପକ୍ଷ ଟେଷ୍ଟ୍‌ ପୂର୍ବରୁ ଭୁବନେଶ୍ବର କୁମାରଙ୍କୁ ଏଭଳି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହି ଧାରାରେ ବୁମ୍‌ରାଙ୍କ ପରୋକ୍ଷ ପରୀକ୍ଷା ଡିସେମ୍ବର ୧୮ ତାରିଖ ବିଶାଖାପାଟଣା ଦିନିକିଆ ପୂର୍ବରୁ ହେବ। ଜାତୀୟ ଦଳର ଫିଜିଓ ନୀତିନ ପଟେଲ୍ ଏବଂ ଟ୍ରେନର୍‌ ନିକ୍ ୱେବ୍‌ ଏହି ନେଟ୍‌ସ ବେଳେ ଉପସ୍ଥିତ ରହି ବୁମ୍‌ରାଙ୍କ ଫିଟନେସ୍‌ ପରଖିବେ। ଭାରତର ପରବର୍ତୀ ସୂଚୀରେ ଜାନୁଆରିରେ ନ୍ୟୁଜିଲାଣ୍ଡ୍ ଗସ୍ତ ରହିଛି। କିନ୍ତୁ ୨୬ ବର୍ଷୀୟ ବୁମ୍‌ରା ଏହି ଗସ୍ତ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା କିମ୍ବା ରଣଜୀ ଟ୍ରଫିରେ ଖେଳି ନିଜ ଲୟ ଦେଖାଇବାକୁ ବାଧ୍ୟ ହେବେ।

ଭୁବିଙ୍କ ଉପରେ କଳା ବାଦଲ
ଭାରତୀୟ ଦଳର ଅନ୍ୟତମ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ଆହତ ସମସ୍ୟାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ସେ ଆଘାତପ୍ରାପ୍ତ ଥିବାରୁ ଶିଖର ଧାୱନଙ୍କ ପରେ ଦ୍ବିତୀୟ ଖେଳାଳିଭାବେ ରବିବାରଠାରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳା‌ରୁ ବାଦ୍‌ ପଡ଼ିପାରନ୍ତି। ରବିବାରଠାରୁ ଚେନ୍ନାଇରୁ ଏହି ୩ ଟିକିଆ ଶୃଙ୍ଖଳାର ଶୁଭାରମ୍ଭ ହେଉଛି। ଭୁବନେଶ୍ବରଙ୍କ ଆହତ ସମ୍ପର୍କରେ ସ୍ପଷ୍ଟଭାବେ କିଛି କୁହାଯାଇନଥିଲେ ମଧ୍ୟ ବିସିସିଆଇ ଡାକ୍ତରୀ ଦଳର ଚୂଡ଼ାନ୍ତ ବିବରଣୀ ପରେ ତାଙ୍କ ବିକଳ୍ପ ଖେଳାଳି ଚୟନ କଥା ବିଚାର କରାଯିବ। ସେ ଶାରୀରିକ ଭାବେ ସକ୍ଷମ ଘୋଷିତ ନ ‌ହେଲେ ତାଙ୍କ ବଦଳରେ ନଭଦୀପ ସଇନି, ଖଲିଲ ଅହମ୍ମଦ କିମ୍ବା ସାର୍ଦୁଲ ଠାକୁରଙ୍କୁ ଦଳରେ ସୁଯୋଗ ମିଳିପାରେ। ଗତ ବିଶ୍ବକପ୍‌ ସମୟରେ ଭୁବି ପାକିସ୍ତାନ ବିପକ୍ଷ ମୁକାବିଲାରେ ମାତ୍ର ୨.୪ ଓଭର ବୋଲିଂ କରିଥିବା ବେଳେ ମାଂସପେଶୀ ଟାଣି ହୋଇଯିବାରୁ ଆଉ ଖେଳି ପାରିନଥିଲେ। ସେମିଫାଇନାଲ୍ ବିପକ୍ଷ ମ୍ୟାଚ୍‌କୁ‌ ସେ ‌ଫେରିଥିଲେ ମଧ୍ୟ ଗତ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ଘରୋଇ ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ।

ସମ୍ବନ୍ଧିତ ଖବର