ମଙ୍କଡିଂ ମାମଲାରେ ମୁହଁ ଖୋଲିଲେ ବଟଲର, ତୃତୀୟ ଅମ୍ପାୟାର ଭୁଲ ନିଷ୍ପତ୍ତି ନେଇଥିଲେ

0

ନୂଆଦିଲ୍ଲୀ: କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ଦ୍ବାରା ମଙ୍କଡିଂର ଶିକାର ହୋଇଥିବା ରାଜସ୍ଥାନ ରୟାଲ୍ସର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର ପ୍ରଥମ ଥର ପାଇଁ ଏହି ମାମଲାରେ ମୁହଁ ଖୋଲିଛନ୍ତି। ଅଶ୍ବିନଙ୍କ ଉପରେ ଦୋଷ ଦେବା ପରିବର୍ତେ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ବଟଲର। ସେହିଭଳି ଅଶ୍ବିନ୍ ହାତରୁ ବଲ୍ ଛାଡ଼ିବା ବେଳେ ସେ କ୍ରିଜ୍‌ ଭିତରେ ଥିଲେ ବୋଲି ଦାବି କରିଛନ୍ତି ଏହି ଇଂଲିସ୍ ବ୍ୟାଟ୍ସମ୍ୟାନ୍। ବଟଲର କହିଛନ୍ତି, ଆପଣ ଭିଡିଓ ଫୁଟେଜ୍ ଦେଖିଲେ ଜାଣି ପାରିବେ ଯେ ଭୁଲ ନିଷ୍ପତ୍ତି ନିଆଯାଇଥିଲା। କାରଣ ଅଶ୍ବିନ୍ ବଲ୍ ଛାଡ଼ିବା ସମୟରେ ମୁଁ କ୍ରିଜ୍ ଛାଡ଼ି ନଥିଲି। ସେହି ସମୟରେ ମୋତେ ବହୁତ ଖରାପ ଲାଗିଥିଲା। ମୁଁ ଭାବିଥିଲି ପ୍ରତିଯୋଗିତା ଆରମ୍ଭରୁ ଏଭଳି ହେବା ଏକ ଭଲ ପରମ୍ପରା ନୁହେଁ। ଏଣୁ ଯାହା ଘଟିଲା ମୁଁ ତାକୁ ପସନ୍ଦ କରେ ନାହିଁ କିମ୍ବା ଏହା ସହ ମୁଁ ଏକମତ ନୁହେଁ। ଏଭଳି ଘଟଣା ଯେମିତି ଭବିଷ୍ୟତରେ ନଘଟେ, ତାହା ଉପରେ ମୁଁ ନିଶ୍ଚିତ ଭାବେ ଧ୍ୟାନ ଦେବି। ଘଟଣା ପାଇଁ ପରବର୍ତୀ ଦୁଇ ମ୍ୟାଚ୍‌ରେ ମୁଁ ଭଲ କରି ପାରି ନଥିଲି। କେତେକ ଦୋଷ ଦୁର୍ବଳତା ଥିଲେ ମଧ୍ୟ ମଙ୍କଡିଂ ପୂର୍ବଭଳି କ୍ରିକେଟ୍‌ରେ ସାମିଲ ରହିବା ଉଚିତ। ସୂଚନାଯୋଗ୍ୟ ଯେ ମାର୍ଚ ୨୫ ତାରିଖରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ସମ୍ମୁଖରେ ପଞ୍ଜାବ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ଧା‌ର୍ଯ୍ୟ କରିଥିଲା। ଏହାର ଜବାବରେ ରାଜସ୍ଥାନ ୨ ୱିକେଟ୍‌ରେ ୧୦୮ ରନ୍ କରି ନେଇଥିଲା। ହେଲେ ୬୯ ରନ୍‌ରେ ବ୍ୟାଟିଂ କରୁଥିବା ବଟଲରଙ୍କୁ ଅଶ୍ବିନ ମଙ୍କଡିଂ ଆଉଟ୍ କରି ଦେଇଥିଲେ। ଫଳରେ ରାଜସ୍ଥାନ ନାଟକୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯ ୱିକେଟ୍ ବିନିମୟରେ ୧୬୯ ରନ୍ କରିବା ସହ ୧୪ ରନ୍‌ରେ ମ୍ୟାଚ୍ ହାରି ଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.