ଅଠରର ପ୍ରଥମ ପରୀକ୍ଷା, ଆଜିଠାରୁ କେପ୍‌ଟାଉନ୍‌ ଟେଷ୍ଟ୍‌

କେପଟାଉନ: ଅଠର ଆରମ୍ଭରୁ ଭାରତୀୟ କ୍ରିକେଟ୍‌ ଦଳ ଅଠାକାଠିରେ ପଡ଼ିଛି। ବିରାଟ ବାହିନୀ ସମ୍ମୁଖରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ନୂଆ ବର୍ଷର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ଏବଂ ବଡ଼ ଆହ୍ଵାନ ଭାବେ ଉଭା ହୋଇଛି। ଦୁର୍ଭାଗ୍ୟଜନକ ଭାବେ ଦକ୍ଷିଣ ଆଫ୍ରିକାରେ ଭାରତ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଟେଷ୍ଟ ଶୃଙ୍ଖଳା ଜିତି ନାହିଁ। ସେଥିପାଇଁ ସଂପ୍ରତି ଲଗାତାର ୯ ଶୃଙ୍ଖଳାରେ ଅପରାଜିତ ଥିବା ଭାରତୀୟ କ୍ରିକେଟ୍‌ ଦଳ ଏବେ ଅସଲ ଶକ୍ତି ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ଯାଉଛି। ଯାହାର ଶୁଭାରମ୍ଭ କେପଟାଉନର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ହେବ। ଶକ୍ରବାରଠାରୁ ଏଠାରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଖେଳାଯିବ। ଦେଢ଼ ମାସର ଦକ୍ଷିଣ ଆଫ୍ରିକା ଅଭିଯାନରେ ଭାରତୀୟ କ୍ରିକେଟ୍‌ ଦଳ ୩ ଟେଷ୍ଟ, ୬ ଦିନିକିଆ ଏବଂ ୩ ଟେ୍ଵଣ୍ଟି-୨୦ ଖେଳିବ। ତେବେ ଟେଷ୍ଟ ଶୃଙ୍ଖଳା ହିଁ ଟିମ୍‌ ଇଣ୍ଡିଆ ପାଇଁ ସମ୍ମାନର ପ୍ରଶ୍ନ ହେବ। ବିରାଟଙ୍କ ଯୁବ ଦଳ ଏବେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛି। ସେଥିପାଇଁ ଏଥର ଗସ୍ତରେ ଇତିହାସ ବଦଳାଇବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ହେଲେ ଦକ୍ଷିଣ ଆଫ୍ରିକାର ଦ୍ରୁତ ଏବଂ ବାଉନ୍ସି ପିଚ୍‌ରେ ଏହି ଆଶା ପୂରଣ ହେବା ସେତେଟା ହେଲା ଭଳି ମନେ ହେଉ ନାହିଁ। ସେହିଭଳି ଦକ୍ଷିଣ ଆଫ୍ରିକା ପାଖରେ ଏକ ଦୁର୍ଦ୍ଧର୍ଷ ବୋଲିଂ ବାହିନୀ ଥିଲା ବେଳେ ଟେଷ୍ଟ ମାନ୍ୟତାର ଶ୍ରେଷ୍ଠ ୨୦ ମଧ୍ୟରେ ଏହି ଦଳର ସର୍ବାଧିକ ସଂଖ୍ୟକ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି। ଘରୋଇ ପରିବେଶ ସହ ଅତୀତ ସଫଳତା ବି ଦକ୍ଷିଣ ଆଫ୍ରିକା ସପକ୍ଷରେ ଅଛି। ଭାରତ ପାଖରେ ମଧ୍ୟ ଏକ ଭଲ ଏବଂ ସନ୍ତୁଳିତ ଦଳ ରହିଛି। ସେଥିପାଇଁ ଶୁକ୍ରବାରଠାରୁ ବିଶ୍ୱ କ୍ରିକେଟ୍‌ର ଦୁଇ ମହାଶକ୍ତି ମଧ୍ୟରେ ହେବାକୁ ଥିବା ସିଂହ ଲଢ଼େଇକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ଗତ ଶୃଙ୍ଖଳାକୁ ଅବଶ୍ୟ ଭାରତ ୩-୦ରେ ଜିତି ନେଇଥିଲା। ହେଲେ ୨୦୧୫ର ସେହି ଶୃଙ୍ଖଳା ଭାରତ ଘରୋଇ ମାଟିରେ ଖେଳିଥିଲା। ଏଣୁ ଘାଇଲା ଦକ୍ଷିଣ ଆଫ୍ରିକା ଏଥର ସେହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ।

ଭାରତ ପ୍ରଥମ ଟେଷ୍ଟ ପୂର୍ବରୁ ଗୋଟିଏ ହେଲେ ବି ଅଭ୍ୟାସ ମ୍ୟାଚ୍‌ ଖେଳିବାର ସୁଯୋଗ ନପାଇବା ଦକ୍ଷିଣ ଆଫ୍ରିକାକୁ ଆହୁରି ଉତ୍ସାହିତ କରିଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ୍‌ ବି ପ୍ରଥମ ଟେଷ୍ଟ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଇ ସାରିଛନ୍ତି। ତେବେ ଭାରତୀୟ ଅଧିନାୟକ ବିରାଟ କୋହଲି ଏଥି ନେଇ ବିଚଳିତ ନାହାନ୍ତି। ଭାରତ ପାଖରେ ଦକ୍ଷିଣ ଆଫ୍ରିକାକୁ ହରାଇବାର ଶକ୍ତି ଓ ସାମର୍ଥ୍ୟ ଅଛି ବୋଲି ସେ କହିଛନ୍ତି। ଶେଷ ଚାରି ଦିନିକିଆ ଟେଷ୍ଟରେ ଜିମ୍ବାେଓ୍ଵକୁ ଦକ୍ଷିଣ ଆଫ୍ରିକା ମାତ୍ର ଦୁଇ ଦିନରେ ଧୂଳି ଚଟାଇ ସାରିଛି। ଯାହା ଭାରତ ପାଇଁ ଅନ୍ୟଏକ ବିପଦ ସଂକେତ ହୋଇଛି।

ଷଷ୍ଠ ସ୍ଥାନକୁ ନେଇ ଦ୍ୱନ୍ଦ୍ୱ
ଷଷ୍ଠ ସ୍ଥାନରେ କିଏ ବ୍ୟାଟିଂ କରିବ? ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଭାରତ ପାଇଁ ଏହା ଏକ ବଡ଼ ଚିନ୍ତା ଭାବେ ଉଭା ହୋଇଛି। ଏହି ସ୍ଥାନ ଲାଗି ଏବେ ହାର୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମା ଦାବିଦାର ଅଛନ୍ତି। ପାଣ୍ଡ୍ୟା ମାତ୍ର ୩ ଟେଷ୍ଟ ଖେଳିଥିଲା ବେଳେ ରୋହିତ ଭଲ ଲୟରେ ଅଛନ୍ତି। ହେଲେ ପାଣ୍ଡ୍ୟା ଦଳକୁ ପଞ୍ଚମ ବୋଲର ବିକଳ୍ପ ପ୍ରଦାନ କରିବେ। ରବୀନ୍ଦ୍ର ଜାଦେଜା ଜ୍ୱରରେ ପୀଡ଼ିତ ହେବା ପରେ ଆର ଅଶ୍ୱିନଙ୍କ ରୂପରେ ଭାରତ ମାତ୍ର ଜଣେ ସ୍ପିନରଙ୍କୁ ଖେଳାଇବାର ଅଧିକ ଆଶା ରହିଛି। ଶିଖର ଧାଓ୍ଵନ ସୁସ୍ଥ ହେବା ପରେ ଲୋକେଶ ରାହୁଲ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିବେ। ଯସପ୍ରୀତ ବୁମରା ଦକ୍ଷିଣ ଆଫ୍ରିକାରେ ପଦାର୍ପଣ କରିବା ଲକ୍ଷ୍ୟରେ ଥିଲେ ମଧ୍ୟ ପ୍ରଥମ ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଏକବାର କମ୍‌। ସେଥିପାଇଁ ମହମ୍ମଦ ସାମି, ଭୁବନେଶ୍ୱର କୁମାର ଏବଂ ଈଶାନ୍ତ ଶର୍ମା ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣର ଅଂଶ ହେବେ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, ଶିଖର ଧାଓ୍ଵନ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା/ହାର୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ଋଦ୍ଧିମାନ ସାହା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଈଶାନ୍ତ ଶର୍ମର୍ା।
ଭାରତକୁ ରୋକିବେ ମର୍କେଲ, ଫିଲାଣ୍ଡର ଓ ରବଦା ଦକ୍ଷିଣ ଆଫ୍ରିକା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ରୋକିବା ଦାୟିତ୍ୱ ତା’ର ତିନି ଦ୍ରୁତ ବୋଲର ଯୋଦ୍ଧା ମର୍ନି ମର୍କେଲ, ଭର୍ନାନ ଫିଲାଣ୍ଡର ଓ କିଗିସୋ ରବାଦାଙ୍କୁ ଦେବ। ଚତୁର୍ଥ ଦ୍ରୁତ ବୋଲର ଭାବେ ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ ଏବଂ ନବାଗତ ଆନ୍ଦିଲ ଫେହଲୁଖ୍ଵାଓ ଦଳରେ ରହିବେ। ନିୟମିତ ଓ୍ଵିକେଟ୍‌ ରକ୍ଷକ କ୍ୱିଣ୍ଟନ୍‌ ଡି’ କକ୍‌ ସଂପୂର୍ଣ୍ଣ ସୁସ୍ଥ ନଥିବାରୁ ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସ ଓ୍ଵିକେଟ୍‌ ରକ୍ଷକ ଭାବେ ଖେଳିବେ। ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ୍‌ ମଧ୍ୟକ୍ରମରେ ବ୍ୟାଟିଂ କରିବେ। ଭାରତୀୟ ବଂଶୋଦ୍ଭବ କେଶବ ମହାରାଜ ଏକମାତ୍ର ସ୍ପିନର ଭାବେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବେ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଫାଫ୍‌ ଡୁ’ ପ୍ଲେସିସ୍‌ (ଅଧିନାୟକ), ଡିନ୍‌ ଏଲଗାର, ଏଡେନ୍‌ ମାରକ୍ରମ, ହାସିମ ଆମଲା, ଏବି ଡିଭିଲିୟର୍ସ, ତେମ୍ବା ବୁଭାମା, କ୍ରିସ୍‌ ମୋରିସ୍‌/ଆନ୍ଦିଲ ଫେହଲୁଖ୍ଵାଓ, ଭର୍ନାନ ଫିଲାଣ୍ଡର, କାଗିସୋ ରବଦା, କେଶବ ମହାରାଜ, ମର୍ନି ମର୍କେଲ।

ସବୁଜ ପିଚ୍‌ ଓ ଡୁ’ ପ୍ଲେସିସ୍‌ଙ୍କ ଚେତାବନୀ
କେପଟାଉନର ନ୍ୟୁଲାଣ୍ଡ୍ସ ପିଚ୍‌ ଦ୍ରୁତ ବୋଲରଙ୍କୁ ସୁହାଇବ। ପାରମ୍ପରିକ ଦକ୍ଷିଣ ଆଫ୍ରିକା ପିଚ୍‌ ଭଳି ପେସ୍‌ ଏବଂ ବାଉନ୍ସ ଦେବ। ହେଲେ ଜଳାଭାବ ପାଇଁ ସିଞ୍ଚନରୁ ବଞ୍ଚିତ ହୋଇଥିବା ଆଉଟ୍‌ ଫିଲ୍ଡ ଅପେକ୍ଷାକୃତ ଧିମା ରହିବ। ପିଚ୍‌ ପ୍ରସ୍ତୁତି ନେଇ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ୍‌ ସନ୍ତୋଷ ଜାହିର କରିଛନ୍ତି। ତା’ ସହ ଭାରତ ଉପରେ ପୁରୁଣା ରାଗ ଶୁଝିବାର ଅଛି ବୋଲି ଚେତାବନୀ ଦେଇଛନ୍ତି। ଅଧିନାୟକ କୋହଲି ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ହୋଇଥିଲେ ମଧ୍ୟ କେବଳ ତାଙ୍କୁ ଦକ୍ଷିଣ ଆଫ୍ରିକା ବୋଲର ଲକ୍ଷ୍ୟ କରିବେ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। କେପଟାଉନରେ ଶୁକ୍ରବାର ପାଗ କୋହଲା ରହିବା ସହ ସର୍ବାଧିକ ତାପମାତ୍ରା ୨୩ ଡିଗ୍ରି ରହିବ। ବାୟୁମଣ୍ଡଳରେ ଆର୍ଦତା ବି ଭରି ରହିବ। ଯାହା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ କାମକୁ ଆହୁରି କଷ୍ଟକର କରିବ। ଟସ୍‌ ଜିତିବା ଦଳ ପ୍ରଥମେ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେବାର ଆଶା ଅଧିକ।

ନ୍ୟୁଲାଣ୍ଡ୍ସରେ ଭଲ ସୁଯୋଗ
୧୯୯୨ ମସିହାର ପ୍ରଥମ ଗସ୍ତଠାରୁ ୨୦୧୭ ଶେଷ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳ ଦକ୍ଷିଣ ଆଫ୍ରିକାରେ ମାତ୍ର ଦୁଇଟି ଟେଷ୍ଟ ଜିତିଛି। ତେବେ କେପଟାଉନର ନ୍ୟୁଲାଣ୍ଡ୍ସରେ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ସେତେଟା ଉଚ୍ଚକୋଟୀର ନଥିବାରୁ ଭାରତ ପାଇଁ ଏଠାରେ ଇତିହାସ ରଚିବାର ଏକ ଭଲ ସୁଯୋଗ ରହିଛି। ନ୍ୟୁଲାଣ୍ଡ୍ସରେ ଦକ୍ଷିଣ ଆଫ୍ରିକା ୫୪ ଟେଷ୍ଟ ଖେଳି ୨୩ଟିରେ ବିଜୟୀ ହୋଇଥିଲା ବେଳେ ୨୦ରେ ହାରିଛି। ୧୧ ମ୍ୟାଚ୍‌ ଅମୀମାଂସିତ ରହିଛି। ସୂଚନାଯୋଗ୍ୟ ଯେ ଭାରତ ୨୦୦୬-୦୭ ଗସ୍ତରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ବିଜୟ ହାସଲ କରିଥିଲା। ସେଥରର ତିନି ଟିକିଆ ଟେଷ୍ଟ ଶୃଙ୍ଖଳାର ଜୋହାନେସବର୍ଗରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ମାତ୍ର ୩ ଦିନ ଭିତରେ ଜିତି ନେଇ ଇତିହାସ ରଚିଥିଲା। ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଭାରତ ଏହି ଅନନ୍ୟ ସଫଳତା ପାଇଥିଲା। ତେବେ ଦକ୍ଷିଣ ଆଫ୍ରିକା ଶେଷ ଦୁଇ ଟେଷ୍ଟ ଜିତି ୨-୧ରେ ଶୃଙ୍ଖଳା ଜିତି ନେଇଥିଲା। ଦ୍ୱିତୀୟ ଟେଷ୍ଟ ବିଜୟ ଭାରତ ୨୦୧୦-୧୧ରେ ହାସଲ କରିଥିଲା। ଏହ ଗସ୍ତରେ ଭାରତ ସେଞ୍ଚୁରିଅନରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ପାଳି ପରାଜୟ ବରଣ କରିଥିଲା। ହେଲେ ଡର୍ବାନରେ ଆୟୋଜିତ ଦ୍ୱିତୀୟ ଟେଷ୍ଟକୁ ୮୭ ରନ୍‌ରେ ଜିତି ନେଇ ସ୍ଥିତି ୧-୧ କରି ନେଇଥିଲା। କେପଟାଉନରେ ଖେଳା ଯାଇଥିବା ତୃତୀୟ ତଥା ଶେଷ ଟେଷ୍ଟକୁ ଅମୀମାଂସିତ ରଖି ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ଶୃଙ୍ଖଳା ଅମୀମାଂସିତ ରଖିଥିଲା।

ସ୍ନାନ ପାଇଁ ମାତ୍ର ୨ ମିନିଟ୍‌ 

କେପ୍‌ଟାଉନ୍‌ରେ ଏବେ ଘୋର ଜଳ ସଙ୍କଟ ଦେଖା ଦେଇଛି। ସେଥିପାଇଁ ନ୍ୟୁଲାଣ୍ଡ୍ସ ପଡ଼ିଆରେ ଯେତିକି ଜଳ ସିଞ୍ଚନ ହେବା କଥା ସେତିକି ହୋଇ ପାରିନି। ଭାରତୀୟ ଖେଳାଳିଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଖେଳାଳିମାନଙ୍କୁ ସ୍ନାନ କରିବା ଲାଗି ମାତ୍ର ଦୁଇ ମିନିଟ୍‌ର ସମୟ ମିଳୁଛି। ଭାରତୀୟ ଦଳ ରହୁଥିବା ହୋଟେଲ ପକ୍ଷରୁ ଜଳ ସରକ୍ଷଣ ପାଇଁ ଭାରତୀୟ ଦଳକୁ ଅନୁରୋଧ କରାଯାଇଥିଲା ବେଳେ ଦୁଇ ମିନିଟ୍‌ ଭିତରେ ସ୍ନାନ ଶେଷ କରିବାକୁ କୁହାଯାଇଛି। ଏଥିନେଇ କେତେକ ଭାରତୀୟ ଖେଳାଳି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର