ଦଳର ଭାଗ୍ୟ ନିର୍ଣ୍ଣୟରେ ଅଧିନାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ସୁନୀଲ ଗାଭାସ୍କର

ଚଳିତ ବର୍ଷର ଆଇପିଏଲ୍‌ ଦେଖାଇ ଦେଇଛି ଦଳର ଭାଗ୍ୟ ନିୟନ୍ତାରେ ଅଧିନାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ଥିବା ଦଳର ଅଧିନାୟକମାନେ ନିଜେ ଭଲ କରୁଛନ୍ତି ଏବଂ ସାଥୀ ଖେଳାଳିମାନଙ୍କୁ ଭଲ କରିବାକୁ ଉତ୍ସାହିତ କରୁଛନ୍ତି। ସେହିଭଳି ପଏଣ୍ଟ୍‌ ଟେବୁଲ୍‌ର ତଳେ ପଡ଼ିଥିବା ଦଳଗୁଡ଼ିକର ନେତାମାନେ ଖରାପ କରୁଛନ୍ତି ଏବଂ ଦଳ ଏହି କାରଣରୁ ସଂଘର୍ଷ କରୁଛି। ସନ୍‌ରାଇଜର୍ସ ପ୍ଲେ ଅଫ୍‌ ଯୋଗ୍ୟତା ଯଦି ନିଶ୍ଚିତ ହୋଇଛି ତାହା ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ପ୍ରଦର୍ଶନ ପାଇଁ ସମ୍ଭବ ବୋଲି କହିହେବ। ସେ କେବଳ ରନ୍‌ କରୁନାହାନ୍ତି, ନିଜ ଶକ୍ତି ଓ ଶାନ୍ତ ଶୀତଳ ସ୍ୱଭାବ ଜରିଆରେ ଦଳର ନେତୃତ୍ୱ ନେଇଛନ୍ତି। ଯାହାକି ‘ଶାନ୍ତ ଅଧିନାୟକ’ ଭାବେ ଅନ୍ୟମାନଙ୍କ ଈର୍ଷାର କାରଣ ହେଉଛନ୍ତି।

ଏପରିକି ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ବିପକ୍ଷ ମ୍ୟାଚ୍‌ରେ ସେ ଯେତେବେଳେ ସ୍ଲିପ୍‌ରେ ବିରାଟ କୋହଲିଙ୍କ କ୍ୟାଚ୍‌ ଛାଡ଼ିଦେଲେ ବିଶେଷ ବିବ୍ରତ ହୋଇନଥିଲେ। ବରଂ ପରବର୍ତୀ ବଲ୍‌ରେ ସେ କ୍ଷେତ୍ରରକ୍ଷଣ ସଜାଇବାରେ ଲାଗିପଡ଼ିଥିଲେ। କୋହଲିଙ୍କ ଭାଗ୍ୟ କିନ୍ତୁ ୟୁସୁଫ୍‌ ପଠାନ୍‌ଙ୍କ ଚମତ୍କାର କ୍ୟାଚ୍‌ରେ ଶେଷ ହୋଇଯାଇଥିଲା। ବାଙ୍ଗାଲୋର୍‌ ଅଧିନାୟକ ଦଳକୁ ଜିତାଇବାକୁ ବ୍ୟଗ୍ର ତଥା ସଙ୍କଳ୍ପବଦ୍ଧ ଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଅନ୍ୟ ଦଳ ପାଇଁ ଈର୍ଷାର କାରଣ ସାଜିବା ଭଳି ବ୍ୟାଟିଂକ୍ରମ ରଖିଥିବା ବାଙ୍ଗାଲୋର୍‌ ଖେଳାଳିମାନେ ପଶ୍ଚାତଧାବନ ବେଳେ ହଡ଼ବଡ଼େଇ ଯାଇଥିଲେ। ଏହା ପୁଣି ଥରେ ପ୍ରମାଣ କରିଦେଲା ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ରନ୍‌ କରିବା ତୁଳନାରେ ପଶ୍ଚାଧାବନ ବେଳେ ବଢ଼ୁଥିବା ରନ୍‌ ହାରକୁ ଛୁଇଁବା ଅଧିକ ଗୁରୁତ୍ୱପୂର୍ଣ୍ଣ। କୋହଲି ମଧ୍ୟ ତାଙ୍କ ଦଳ ଭିତରେ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଜଣେ ଖେଳାଳିଙ୍କୁ ଝୁରୁଛନ୍ତି। ପଡ଼ିଆ ସଜାଇବା ଓ ବୋଲିଂ ପରିବର୍ତନ ବେଳେ ଡଗ୍‌ ଆଉଟ୍‌ରୁ ରବି ଶାସ୍ତ୍ରୀ ଓ ସଞ୍ଜୟ ବାଙ୍ଗରଙ୍କ ଭଳି ଖେଳାଳିଙ୍କ ପରାମର୍ଶରୁ ବି ବଞ୍ଚିତ ହେଉଛନ୍ତି।
ଅନ୍ୟପକ୍ଷରେ ଦେଖିଲେ ରବିଚନ୍ଦ୍ରନ ଅଶ୍ୱିନ୍‌ ଜଣେ ଭୟଙ୍କର ଖେଳାଳି ଏବଂ ଦାୟିତ୍ୱ ନେବା ପରେ ନେତୃତ୍ୱକୁ ମଧ୍ୟ ସେ ଚମତ୍କାର ଭାବେ ତୁଲାଇ ପାରୁଛନ୍ତି। ନିଜ କ୍ରିକେଟ୍‌ରେ ଅନେକ ଥର ବୁଦ୍ଧି ପ୍ରୟୋଗ କରିବାର ଉଦାହରଣ ରଖିଛନ୍ତି। ଅଧିକ ଉନ୍ନତ କରିବା ଲାଗି ଅନ୍ୟକୁ ପ୍ରଶ୍ନ ପଚାରିବାରେ ସେ ଡରିଯାଆନ୍ତି ନାହିଁ। ନେତୃତ୍ୱ ଦକ୍ଷତା ତାଙ୍କୁ ଜାତୀୟ ଦଳର ଉପ ଅଧିନାୟକ ଦାୟିତ୍ୱ ଲାଗି ମଧ୍ୟ ବାଟ ଫିଟାଇପାରେ। ପ୍ରତିଟି ମ୍ୟାଚ୍‌ରେ ସେ କ୍ରମେ ଉନ୍ନତରୁ ଉନ୍ନତତର ହେବା ସବୁଠାରୁ ବଡ଼ କଥା। ଜଣେ ନିୟମିତ ଅଫସ୍ପିନର୍‌ ପାଇଁ ଲେଗ୍‌ ସ୍ପିନ୍‌ ବୋଲିଂ କରିବା ସମ୍ପୂର୍ଣ୍ଣ ବିରୋଧୀ କଚଟିର କାମ ହୋଇଥିଲେ ମଧ୍ୟ ଅଶ୍ୱିନ୍‌ ଏଭଳି ପ୍ରୟାସ କରିଥାନ୍ତି। ରୋହିତ ଶର୍ମା ଭଲ ରନ୍‌ କରୁଥିବା ବେଳେ ମୁମ୍ବାଇ ଜିତୁଛି। ସେ ମଧ୍ୟ ଦଳକୁ ଆତ୍ମବିଶ୍ୱାସର ସହ ନେତୃତ୍ୱ ଦେଉଛନ୍ତି। ଦଳ ଭଲ ପ୍ରତ୍ୟାବର୍ତନ କରୁଛି। ବୁଧବାର ସେ ଯଦି ଆଉ ଜଣେ ଭଲ ଅଧିନାୟକ ପାଇଥିବା କୋଲ୍‌କାତାକୁ ଭେଦିବେ ତେବେ ଯୋଗ୍ୟତା ଅର୍ଜନ ସହିତ ଟ୍ରଫି ବଜାୟର ସୁଯୋଗ ସୃଷ୍ଟି କରିପାରିବେ। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର