କୋହଲିଙ୍କୁ ସିଏଟ୍‌ ପୁରସ୍କାର

ମୁମ୍ବାଇ,: ସିଏଟ୍‌ ରେଟିଂ ପୁରସ୍କାର ଉତ୍ସବରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ବର୍ଷର ଶ୍ରେଷ୍ଠ ଅନ୍ତର୍ଜାତୀୟ ଖେଳାଳି ପୁରସ୍କାର ଲାଭ କରିଛନ୍ତି। ୨୯ ବର୍ଷୀୟ କୋହଲି ଗତବର୍ଷର ଚମତ୍କାର ପ୍ରଦର୍ଶନ ବଳରେ ଏହି ପୁରସ୍କାର ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ। ତେବେ ସେ ଅନୁପସ୍ଥିତ ଥିବାରୁ ସାଥୀ ଖେଳାଳି ରୋହିତ ଶର୍ମା ତାଙ୍କ ତରଫରୁ ସୋମବାର ଏହି ପୁରସ୍କାର ଗ୍ରହଣ କରିଥିଲେ। ସେହିଭଳି ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌, ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଶ୍ରେଷ୍ଠ ବୋଲର ପୁରସ୍କାର ଜିତି ନେଇଥିଲେ। ଆଫଗାନିସ୍ତାନ ଲେଗ୍‌ ସ୍ପିନର ରସିଦ ଖାନ୍‌ ଶ୍ରେଷ୍ଠ ଟେ୍ଵଣ୍ଟି-୨୦ ବୋଲର, ନ୍ୟୁଜିଲାଣ୍ଡର କଲିନ ମୁନ୍ରୋ ଶ୍ରେଷ୍ଠ ଟେ୍ଵଣ୍ଟି-୨୦ ବ୍ୟାଟ୍ସମ୍ୟାନ୍‌ । ଭାରତୀୟ ମହିଳା କ୍ରିକେଟର ହରମନପ୍ରୀତ କୌର ଶ୍ରେଷ୍ଠ ପାଳି, ମୟଙ୍କ ଅଗ୍ରଓ୍ଵାଲ୍‌ ଶ୍ରେଷ୍ଠ ଘରୋଇ ଖେଳାଳି, ଶୁଭମନ ଗିଲ୍‌ ଶ୍ରେଷ୍ଠ ୧୯ ବର୍ଷରୁ କମ୍‌ ଖେଳାଳି, କ୍ରିସ ଗେଲ୍‌ ଶ୍ରେଷ୍ଠ ଲୋକପ୍ରିୟ ଖେଳାଳି ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଫାରୁକ୍‌ ଇଞ୍ଜିନିୟର ଆଜୀବନ ସେବା ସମ୍ମାନ ଲାଭ କରିଥିଲେ।

ସମ୍ବନ୍ଧିତ ଖବର