ସିଇଓ କ୍ରିକେଟ୍‌ ଲିଗ୍‌ ଆଜିଠୁ

ଭୁବନେଶ୍ୱର: ଦାତବ୍ୟ ଅନୁଷ୍ଠାନ ଓ୍ଵିଇଫର୍‌ୟୁ ଆନୁକୂଲ୍ୟରେ ୟୁନିଟ୍‌-୧ସ୍ଥିତ କିଶୋର କ୍ଲବ୍‌ ପଡ଼ିଆରେ ସପ୍ତମ ସିଇଓ କ୍ରିକେଟ୍‌ ଲିଗ୍‌ର ସପ୍ତମ ସଂସ୍କରଣ ଆସନ୍ତାକାଲିଠୁ ମେ’ ପହିଲା ପର୍ଯ୍ୟନ୍ତ ଖେଳାଯିବ। ଏହି ପ୍ରତିଯୋଗିତାରେ ଓଡ଼ିଶାର ୮୦ରୁ ଅଧିକ ପ୍ରତିଯୋଗୀ ନିଜ ନିଜର କ୍ରୀଡ଼ା ପ୍ରତିଭା ଦେଖାଇବେ। ଏଥିରେ ବିଭିନ୍ନ କମ୍ପାନିର ପରିଚାଳନା ନିର୍ଦେଶକ, ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ), ଡାକ୍ତର, ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଏବଂ ରାଜନେତାମାନେ ସାମିଲ ରହିଛନ୍ତି। ୭ ଦଳକୁ ନେଇ ଅନୁଷ୍ଠିତ ହେବାକୁଥିବା ଏହି ପ୍ରତିଯୋଗିତାର ଲିଗ୍‌ ମ୍ୟାଚ୍‌ରେ ସମସ୍ତ ଦଳ ନିଜ ନିଜ ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ। ପଏଣ୍ଟ୍‌ ତାଲିକାର ଶୀର୍ଷ ୩ ଦଳ ପରବର୍ତୀ ପର୍ଯ୍ୟାୟକୁ ଯିବେ। ଦ୍ୱିତୀୟ ଏବଂ ତୃତୀୟ ଦଳ ମଧ୍ୟରେ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଏହାର ବିଜେତା ଶୀର୍ଷରେ ଥିବା ଦଳ ସହ ଫାଇନାଲ୍‌ ମ୍ୟାଚ୍‌ ଖେଳିବ। ପ୍ରତ୍ୟେକ ଦିନ ୬ ମ୍ୟାଚ୍‌ ଖେଳାଯିବ। ସକାଳ ୭.୧୫ରୁ ଗୋଟିଏ ମ୍ୟାଚ୍‌ ଏବଂ ସଂଧ୍ୟା ୫ଟାରୁ ରାତି ୧୧ ପର୍ଯ୍ୟନ୍ତ ଆନ୍ୟ ୫ ମ୍ୟଚ୍‌ ଅନୁଷ୍ଠିତ ହେବ। ବିଜେତା ଓ ଉପବିଜେତାଙ୍କ ପାଇଁ ଟ୍ରଫି ଏବଂ ଅନ୍ୟାନ୍ୟ ପୁରସ୍କାର ରହିଛି।

ସୂଚନାଯୋଗ୍ୟ, ଓ୍ଵିଫର୍‌ୟୁ ୭ ବର୍ଷ ଧରି ଏଭଳି ପ୍ରତିଯୋଗିତା ଆୟୋଜନ କରି ଆସୁଛି। ଏଥିରୁ ଅର୍ଜିତ ଅର୍ଥ ରାଶିରୁ ଚଳିତ ବର୍ଷ ସୁଦ୍ଧା ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟର ୩୦,୦୦୦ ଦୃଷ୍ଟିହୀନ ପିଲାମାନଙ୍କୁ ଅଡିଓ ପୁସ୍ତକ ପ୍ରଦାନ କରି ସାରିଛି। ଚଳିତ ବର୍ଷ ମଧ୍ୟ ଏଭଳି ଯୋଜନା କରାଯାଇଛି ବୋଲି ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓ୍ଵିଫର୍‌ୟୁର ସହପ୍ରତିଷ୍ଠାତା ନିହାର ରଂଜନ ଦାସ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଓ୍ଵିଫର୍‌ୟୁ ଉପସଭାପତି ଅରୁପ ପଟ୍ଟନାୟକ ଏବଂ ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର