ଚହଲ ବଖାଣିଲେ ମାହିଙ୍କ ମହାନତା ‘ଦୟାକରି ମୋତେ ସାର୍‌ ଡାକନି’

ମୁମ୍ବାଇ: ଭାରତୀୟ ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ କ୍ଷୀଣ ଶରୀରର ଅଧିକାରୀ ହୋଇଥାଇ ପାରନ୍ତି। ହେଲେ ନିଜ ସ୍ପିନ୍‌ କଳାରେ ଛୋଟରୁ ଆରମ୍ଭ କରି ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିବାରେ ସେ ପୂରା ଓସ୍ତାଦ। ୨୭ ବର୍ଷୀୟ ଚହଲ (୧୨ ମ୍ୟାଚ୍‌ରୁ ୧୪ ଓ୍ଵିକେଟ୍‌) ଆଇପିଏଲ୍‌-୧୧ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ସର୍ବାଧିକ ଓ୍ଵିକେଟ୍‌ ଦଖଲକାରୀ ମଧ୍ୟ ହୋଇଥିଲେ। ହରିଆଣା ପ୍ରଦେଶର ଏହି ନୂଆ ନାୟକ ସଂପ୍ରତି ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍‌ ଏକାଡେମିରେ ପୂର୍ବତନ ସ୍ପିନର ନରେନ୍ଦ୍ର ହିରଓ୍ଵାନୀଙ୍କ ମାର୍ଗଦର୍ଶନରେ ନିଜ ସ୍ପିନ୍‌ ଦକ୍ଷତାକୁ ଆହୁରି ଶାଣିତ କରିବାରେ ଲାଗିଛନ୍ତି। ନିକଟରେ ସେ ଏକ ଲୋକପ୍ରିୟ ଆଲୋଚନାଧର୍ମୀ କାର୍ଯ୍ୟକ୍ରମ ‘ବ୍ରେକଫାଷ୍ଟ ଓ୍ଵିଥ୍‌ ଚାମ୍ପିଅନ୍ସ’ରେ ଯୋଗ ଦେଇ ଭାରତୀୟ କ୍ରିକେଟ୍‌ ଦଳର ବିଶ୍ୱବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ମହାନତା ବଖାଣିଥିଲେ। ଭାରତୀୟ ଦଳରେ ସାମିଲ ହେବା ପରେ ପ୍ରଥମେ ପ୍ରଥମେ ସେ କେମିତି ଧୋନିଙ୍କୁ ଡରୁଥିଲେ ଏବଂ ଜାତୀୟ ଦଳରେ ସ୍ଥାନ ପାଇବା ପରେ କେମିତି ଭୋ ଭୋ ହୋଇ କାନ୍ଦି ପକାଇଥିଲେ ତା’ ଉପରୁ ପରଦା ଉଠାଇଛନ୍ତି। ସେ କହିଥିଲେ ୨୦୧୬ ଆଇପିଏଲ୍‌ରେ ମୁଁ ଭଲ କରିଥିଲି। ହେଲେ ଜାତୀୟ ଦଳରେ ସ୍ଥାନ ପାଇବି ବୋଲି ସ୍ୱପ୍ନରେ ବି ଭାବି ନଥିଲି। ବିସିସିଆଇ େଓ୍ଵବ୍‌ସାଇଟରେ ନାଁ ଆସିବା ପରେ କାନ୍ଦି ପକାଇଥିଲି। ମୁଁ ମୋ ଅନ୍ତର୍ଜାତୀୟ ଭାରତୀୟ ଦିନିକିଆ ଟୋପି ଧୋନିଙ୍କଠାରୁ ଗ୍ରହଣ କରିଥିଲି। ଜିମ୍ବାେଓ୍ଵରେ ତାଙ୍କୁ ପ୍ରଥମ ଥର ଭେଟିଲା ବେଳେ ମୋ ପାଟିରୁ କଥା ବାହାରି ନଥିଲା। ସେତେବେଳେ ମୁଁ ତାଙ୍କୁ ମାହି ସାର୍‌ ବୋଲି ଡାକୁଥିଲି। ହେଲେ କିଛି ସମୟ ପରେ ସେ ମୋତେ ତାଙ୍କ ପାଖକୁ ଡାକି କହିଥିଲେ ଦେଖ ମୋତେ ମାହି, ଧୋନି, ମହେନ୍ଦ୍ର ସିଂହ ଧୋନି କିମ୍ବା ଭାଇ ତୁ ଯାହା ଚାହୁଁଛୁ ତାହା ଡାକ୍‌ ହେଲେ ସାର୍‌ ଡାକନି। ସେହିଭଳି ଏବେକାର ଅଧିନାୟକ ବିରାଟ କୋହଲି ତାଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଚହଲ ଏହି ଅବସରରେ କହିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ରିଉ ସାଇମଣ୍ଡ୍ସଙ୍କ ଛବି ଭଲ ନାହିଁ। ହେଲେ ଏହାର ବିପରୀତ ସେ ଜଣେ ଚମତ୍କାର ମଣିଷ। ଅଷ୍ଟ୍ରେଲିଆ ଗଲେ ମୁଁ ତାଙ୍କ ସହ ମାଛ ମାରିବାକୁ ଯାଏ। ଏପରିକି ତାଙ୍କ ପତ୍ନୀ ମୋଠାରୁ ବଟର ଚିକେନ ରାନ୍ଧିବା ଶିଖିଛନ୍ତି ବୋଲି ଚହଲ ଏହି ଅବସରରେ କହିଥିଲେ। ସାଇମଣ୍ଡ୍ସ ମଧ୍ୟ ହରିଆଣାର ଲୋକଗୀତ ‘ରାଗିଣୀ’ରେ ତାଙ୍କ ସହ ନାଚିଥିବା ଚହଲ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର