ମେଲ୍‌ବୋର୍ଣ୍ଣ ଦିନିକିଆ: ୪୨ରନ୍‌ରେ ୬ ଉଇକେଟ୍‌ ନେଇ ଚମକ୍‌ ଦେଖାଇଲେ ଚହଲ୍‌

ବିଜୟ ଲାଗି ୨୩୧ ରନ୍‌ ଆବଶ୍ୟକ କରୁଛି ଭାରତ

ମେଲ୍‌ବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚଳିତ ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ଏକଦିବସୀୟରେ ଘରୋଇ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ୨୩୦ ରନ୍‌ ରେ ଇନିଂସ ଶେଷ କରିଛି। ଅଷ୍ଟ୍ରେଲିଆକୁ ୨୩୦ ରନ୍‌ରେ ସୀମିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ୍‌ । ସେ ମାତ୍ର ୪୨ ରନ୍‌ ଦେଇ ୬ଟି ଉଇକେଟ୍‌ ହାସଲ କରିଛନ୍ତି।

ମେଲ୍‌ବୋର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଜାରି ରହିଥିବା ଏହି ଏକଦିବସୀୟରେ ଚହଲଙ୍କ ସଫଳତା ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ସେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଏକ ଦିବସୀୟରେ ପ୍ରଥମ ସ୍ପିନର ଭାବେ ୬ ଉଇକେଟ୍‌ ଅକ୍ତିଆର୍‌ କରି ରେକର୍ଡ କରିଛନ୍ତି।
୨୮ ବର୍ଷିୟ ଚହଲ ଏହି ସଫଳତା ହାସଲ କରି ଭାରତୀୟ କ୍ରିକେଟର ଅଜିତ୍‌ ଅଗରକରଙ୍କ ସମକକ୍ଷ ହୋଇଛନ୍ତି। ୨୦୦୪ ମସିହାରେ ମେଲ୍‌ବୋର୍ଣ୍ଣରେ ଭାରତ ପକ୍ଷରୁ ଖେଳି ଅଗରକର ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟରେ ୬ ଉଇକେଟ୍‌ ହାସଲ କରିଥିଲେ।

ଚଳିତ ସିରିଜ୍‌ରେ ତଥା ନିର୍ଣ୍ଣାୟକ ଏକଦିବସୀୟ ବିଜୟ ଲାଗି ଭାରତ ୨୩୧ ରନ୍‌ ଆବଶ୍ୟକ କରୁଛି। ଏହି ରିପୋର୍ଟ ଲେଖାଯିବା ବେଳକୁ ଭାରତ ୨୬ ଓଭର ଖେଳି ୨ ଉଇକେଟ୍‌ ହରାଇ ୧୦୦ ରନ୍‌ କରିଛି। କ୍ୟାପ୍‌ଟନ୍‌ ବିରାଟ୍‌ କୋହଲି ୪୧ ରନ୍‌ କରିଥିବା ବେଳେ ତାଙ୍କ ସହ କ୍ରିଜରେ ଅଛନ୍ତି ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂ ଧୋନି। ଧୋନୀ ୨୭ ରନ୍‌ କରି ଖେଳୁଛନ୍ତି।

ସମ୍ବନ୍ଧିତ ଖବର