ଚାମ୍ପିଅନ୍‌ସ ଲିଗ୍‌ ଫୁଟ୍‌ବଲ୍‌: ବାର୍ସିଲୋନାକୁ ସେମିଫାଇନାଲ୍‌ ନେଲେ ମେସି

ରୋନାଲ୍‌ଡୋଙ୍କ ଜୁଭେଣ୍ଟସ୍‌ ବିଦା

ବାର୍ସିଲୋନା: ଚାମ୍ପିଅନ୍‌ସ ଲିଗ୍‌ ଫୁଟ୍‌ବଲ୍‌ରେ ପୁଣି ଏକ ଧମାକାଦାର ପ୍ରଦର୍ଶନ କରି ଲିଓନେଲ୍‌ ମେସି ବାର୍ସିଲୋନାକୁ ସେମିଫାଇନାଲ୍‌ ପହଞ୍ଚାଇ ଦେଇଛନ୍ତି। ନିଜର ଶେଷ ୧୨ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଗୋଟିଏ ‌ହେ‌ଲେ ଗୋଲ୍‌ କରିବାରେ ସମର୍ଥ ହୋଇନଥିବା ମେସି କିନ୍ତୁ ମଙ୍ଗଳବାର ଘରୋଇ ପରିବେଶରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ବିପକ୍ଷରେ ଦୁଇଟି ଗୋଲ୍‌ କରିଥିଲେ। ଆଉ ମେସିଙ୍କ ଯୁଗଳ ଗୋଲ୍‌ ବଳରେ ବାର୍ସିଲୋନା ୪-୦ରେ ମା‌ଞ୍ଚେଷ୍ଟର ୟୁନାଇଟେଡ୍‌କୁ ପରାସ୍ତ କରି ପ୍ରତିଯୋଗିତାରୁ ବିଦାୟ ରାସ୍ତା ଦେଖାଇ ଦେଇଥିଲା। ଏଥି ସହିତ ବାର୍ସିଲୋନା ମଧ୍ୟ ୪ ବର୍ଷ ପରେ ପ୍ରଥମ ଥର ଲାଗି ଚାମ୍ପିଅନ୍‌ସ ଲିଗ୍‌ ସେମିଫାଇନାଲ୍‌ ପ୍ରବେଶ କରିଛି। ମଙ୍ଗଳବାରର ୨ ଗୋଲ୍‌ ସହିତ ଚାମ୍ପିଅନ୍‌ସ ଲିଗ୍‌ରେ ମେସିଙ୍କ ମୋଟ ଗୋଲ୍‌ ସଂଖ୍ୟା ୧୧୦ରେ ପହଞ୍ଚି ଯାଇଛି। ଆଉ ୩ ମ୍ୟାଚ୍‌ ମଧ୍ୟରେ ସେ ରୋନାଲ୍‌ଡୋଙ୍କ ୧୨୬ ଗୋଲ୍‌ର ପାଖାପାଖି ପହଞ୍ଚିଯିବାର ଆଶା ରଖିଛନ୍ତି। ତୁରିନ୍‌ର ଆଲିଅଞ୍ଜ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଅନ୍ୟ ଏକ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ କ୍ରିଷ୍ଟିଆନ୍‌ ରୋନାଲଡୋଙ୍କ ଜୁଭେଣ୍ଟସ୍‌ ଦଳ ପରାଜୟ ସହ ଦୁଃଖଦ ବିଦାୟ ନେଇଛି। ଅଧିନାୟକ ମାଥିସ୍‌ ଡି ଲିଟ୍‌ଙ୍କ ୬୭ ମିନିଟ୍‌ ଗୋଲ୍‌ ବଳରେ ଆଜାକ୍ସ ଆମ୍‌ଷ୍ଟରଡାମ୍‌ ଦଳ ୨-୧ରେ ଜୁଭେଣ୍ଟସ୍‌କୁ ପରାସ୍ତ କରିଦେଇଥିଲା। ଫଳରେ ୧୯୯୬-୯୭ ପରେ ପ୍ରଥମ ଥର ଲାଗି ଏହି ଦଳ ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଥିଲା। ତେବେ ପରାଜୟ ଯୋଗୁଁ କ୍ରମାଗତ ଚତୁର୍ଥ ଥର ଚାମ୍ପିଅନ୍‌ସ ଲିଗ୍‌ ଟ୍ରଫି ତୋଳି ଧରିବାର ଆଶା ‌ରୋନାଲ୍‌ଡୋଙ୍କର ମଉଳି ଯା‌ଇଥିଲା। ଏହା ପୂର୍ବରୁ ରୋନାଲ୍‌ଡୋ ଗତ ତିନିଥର ରିଅଲ୍‌ ମାଦ୍ରିଦ୍‌ ପକ୍ଷରୁ ଟ୍ରଫି ଜିତିଥିଲେ। ହେଲେ ମଙ୍ଗଳବାର କ୍ବାର୍ଟର ଫାଇନାଲ୍‌ରେ ୨୮ ମିନିଟ୍‌ରେ ଚମତ୍କାର ହେଡର୍‌ ଜରିଆରେ ଗୋଲ୍‌ କରି ଜୁଭେଣ୍ଟସ୍‌କୁ ଆଗୁଆ ରଖିଥିଲେ ମଧ୍ୟ ଶେଷରେ ଦଳ ହାରିଯାଇଥିଲା। ରୋନାଲ୍‌ଡୋ କିନ୍ତୁ ଚଳିତ ଚାମ୍ପିଅନ୍‌ସ ଲିଗ୍‌ରେ ବ୍ୟକ୍ତିଗତ ଷଷ୍ଠ ଗୋଲ୍‌ ଦେଇଥିଲେ ମଧ୍ୟ ଦଳ ପରାଜୟ ପାର୍ଶ୍ବରେ ରହିଯାଇଥିଲା।

ସମ୍ବନ୍ଧିତ ଖବର