ଚାମ୍ପିଅନ୍‌ସ ଟ୍ରଫି ପରିବର୍ତନକୁ ବିସିସିଆଇର ନାପସନ୍ଦ

କୋଲକାତା: ଆଠ ଦଳୀୟ ତଥା ୫୦ ଓଭରିଆ କ୍ରିକେଟ୍‌ ପ୍ରତିଯୋଗିତା ‘ଚାମ୍ପିଅନ୍ସ ଟ୍ରଫି’କୁ ବନ୍ଦ କରିବାକୁ ଆଇସିସି ଯେଉଁ ନୀତିଗତ ନିଷ୍ପତ୍ତି ନେଇଛି ତାକୁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀ ଓ ସିଇଓ ରାହୁଲ୍‌ ଜୋହରି ନାପସନ୍ଦ କରିଛନ୍ତି। ଚାମ୍ପିଅନ୍ସ ଟ୍ରଫି ବଦଳରେ ‘ବିଶ୍ୱ ଟେ୍ଵଣ୍ଟି-୨୦’ ନାମରେ ଏକ ପ୍ରତିଯୋଗିତା ଆୟୋଜନ କରିବା ଆଇସିସିର ଏକଚାଟିଆ ନିଷ୍ପତ୍ତି ଏବଂ ଏହା ପଛରୁ ଛୁରିକାଘାତ ବୋଲି ବିସିସିଆଇ ସଂପାଦକ ଓ ସିଇଓ କହିଛନ୍ତି। ଫଳରେ ପ୍ରସ୍ତାବିତ ବିଶ୍ୱ ଟେ୍ଵଣ୍ଟି-୨୦କୁ ନେଇ ଏବେ ବିସିସିଆଇ ଓ ଆଇସିସି ମୁହାଁମୁହିଁ ହୋଇଛନ୍ତି।

ଶେଷ ଥର ପାଇଁ ଗତବର୍ଷ କ୍ରିକେଟ୍‌ ପ୍ରଶାସନ ପରିଚାଳନା ଢାଞ୍ଚା ଓ ରାଜସ୍ୱ ନୀତିରେ ପରିବର୍ତନ ପ୍ରସ୍ତାବକୁ କେନ୍ଦ୍ର କରି ଉଭୟ ବିସିସିଆଇ ଓ ଆଇସିସି ମୁହାଁମୁହିଁ ହୋଇଥିଲେ। ଏଥର କିନ୍ତୁ ବିସିସିଆଇ ସଦସ୍ୟମାନେ ଉଭୟ ଚୌଧୁରୀ ଓ ଜୋହରିଙ୍କୁ ଦାୟୀ କରିଛନ୍ତି। ଫେବ୍ରୁଆରିରେ ଆଇସିସିର ଦୁବାଇ ବୈଠକରେ ଚୌଧୁରୀ ଓ ଜୋହରି ପର୍ଯ୍ୟାୟକ୍ରମେ ଯୋଗ ଦେଇଥିଲେ। ସେଠାରେ ବିଶ୍ୱ ଟେ୍ଵଣ୍ଟି-୨୦ ନେଇ ଆଲୋଚନା ହୋଇଥିଲା ବେଳେ ଉଭୟ ଚୌଧୁରୀ ଓ ଜୋହରି ବୋର୍ଡ ସଦସ୍ୟମାନଙ୍କୁ କିଛି ସୂଚନା ଦେଇନଥିଲେ କିମ୍ବା ବୋର୍ଡକୁ ରିପୋର୍ଟ ସମର୍ପି ନଥିଲେ। ବରଂ ସଦସ୍ୟମାନେ ଏନେଇ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ। ଏହାକୁ ନେଇ ତୁମ୍ଭିତୋଫାନ କରିବାରୁ ଏବେ ଚୌଧୁରୀ ଓ ଜୋହରି ଆଇସିସି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର