ଦୃଷ୍ଟିହୀନ କ୍ରିକେଟ୍‌କୁ ସ୍ୱୀକୃତି ଦିଅ

ବିସିସିଆଇକୁ ସଚିନ୍‌ଙ୍କ ଆହ୍ଵାନ 

ନୂଆଦିଲ୍ଲୀ: ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ଦଳ ସଫଳତାର ନୂଆ ସ୍ତର ଛୁଇଁଛି। ନିକଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ବିଶ୍ୱ ବିଜେତା ହୋଇଛି। ନିୟମିତ ଭାବେ ଦେଶକୁ ଗର୍ବିତ କରି ଆସୁଥିବା ଦୃଷ୍ଟିହୀନ କ୍ରିକେଟ୍‌ ଦଳକୁ କିନ୍ତୁ ମିଳୁନି ସରକାରୀ ସ୍ୱୀକୃତି। ଏପରିକି ଭାରତରେ କ୍ରିକେଟ୍‌ ପରିଚାଳନାର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ବି ଦୃଷ୍ଟିହୀନ କ୍ରିକେଟ୍‌କୁ ଆଡ଼ ଆଖିରେ ଚାହୁଁନି। ଏହି ଭାବନା ବଦଳାଇ ଖୁବଶୀଘ୍ର ପୁରୁଷ ଏବଂ ମହିଳା କ୍ରିକେଟ୍‌ ଭଳି ଦୃଷ୍ଟିହୀନ କ୍ରିକେଟ୍‌କୁ ସମାନ ସମ୍ମାନ ଦେବାକୁ କିମ୍ବଦନ୍ତୀ କ୍ରିକେଟର ତଥା ରାଜ୍ୟସଭା ସାଂସଦ ସଚିନ ତେନ୍ଦୁଲକର ବିସିସିଆଇକୁ ଅନୁରୋଧ କରିଛନ୍ତି। ଏଥିନେଇ ସେ ବିସିସିଆଇ ପରିଚାଳନରେ ଥିବା ପ୍ରଶାସନିକ ସମିତି ବା ସିଓଏକୁ ଆନୁଷ୍ଠାନିକ ଭାବେ ଏକ ପତ୍ର ଲେଖିଛନ୍ତି। ଦୃଷ୍ଟିହୀନ କ୍ରିକେଟ୍‌ରେ ଭାରତର ଲାଗାତାର ଚତୁର୍ଥ ବିଶ୍ୱକପ ବିଜୟ ନେଇ ଆମେ ଉତ୍ସବ ପାଳନ କରୁଛେ। ଏହି ଅବସରରେ ମୁଁ ଜାତୀୟ ଦୃଷ୍ଟିହୀନ କ୍ରିକେଟ୍‌ ସଂଘକୁ ସ୍ୱୀକୃତି ଦେବା କଥା ବିଚାରକୁ ନେବାକୁ ଆପଣମାନଙ୍କୁ ଅନୁରୋଧ କରୁଛି ବୋଲି ସଚିନ ଦେଇଥିବା ପତ୍ରରେ ଲେଖିଛନ୍ତି। ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ଦଳର ଖେଳୁଆଡ଼ ମନୋଭାବକୁ ପ୍ରଶଂସା କରିବା ସହ ଏହି ଦଳ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି ସଚିନ ପତ୍ରରେ ଦର୍ଶାଇଥିଲେ। ସୂଚନାଯୋଗ୍ୟ ଯେ ଦୃଷ୍ଟିହୀନ କ୍ରିକେଟ୍‌କୁ ସ୍ୱୀକୃତି ଦେବାକୁ ବିସିସିଆଇ ଚିନ୍ତା କରିବ ବୋଲି ସିଓଏ ମୁଖ୍ୟ ବିନୋଦ ରାଏ ପୂର୍ବରୁ କହି ସାରିଛନ୍ତି। ସଚିନଙ୍କ ସୁପାରିସ୍‌ ପରେ ଦୃଷ୍ଟିହୀନ କ୍ରିକେଟ୍‌ ତା’ର ନ୍ୟାଯ୍ୟ ହକ୍‌ ପାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର