କୋହଲିଙ୍କ ପାଇଁ ସଫଳତମ ଭାରତୀୟ ଅଧିନାୟକ ସୁଯୋଗ

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଆଉ ଏକ ଅନନ୍ୟ କୀର୍ତ୍ତିମାନ କରିବାର ସୁଯୋଗ ରହିବ। ଏହି ଶୃଙ୍ଖଳାର ପରବର୍ତୀ ତିନିଟି ଟେଷ୍ଟ୍‌ ଜିତିଲେ କୋହଲି ଭାରତର ସଫଳତମ ଅଧିନାୟକ ହେବାର ଗୌରବ ଅର୍ଜନ କରିବେ। ଟେଷ୍ଟ୍‌ ବ୍ୟାଟ୍ସମ୍ୟାନ୍ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା କୋହଲିଙ୍କ ନେତୃତ୍ବରେ ଭାରତ ୪୩ ଟେଷ୍ଟ୍‌ ଖେଳିଛି। ସେଥିମଧ୍ୟରୁ ୨୫ରେ ବିଜୟ ହାସଲ କରିଛି। ୯ ମ୍ୟାଚ୍‌ରେ ପରାଜିତ ହୋଇଥିଲା ବେଳେ ବଳକା ୯ ଅମୀମାଂସିତ ରହିଛି। ସଂପ୍ରତି ଭାରତର ସଫଳତମ ଅଧିନାୟକ ଉପାଧୀ ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ରହିଛି। ଧୋନିଙ୍କ ନେତୃତ୍ବରେ ଭାରତ ୬୦ ମ୍ୟାଚ୍ ଖେଳି ୨୭ ବିଜୟ ପାଇଛି। କୋହଲି ଆଉ ତିନିଟି ଟେଷ୍ଟରେ ଭାରତକୁ ବିଜୟୀ କରାଇ ପାରିଲେ ଧୋନିଙ୍କୁ ଟପି ଭାରତର ସଫଳତମ ଅଧିନାୟକ ହୋଇଯିବେ। ଆଡିଲେଡ୍ ଟେଷ୍ଟ୍‌ ଜିତି ଚଳିତ ଗସ୍ତକୁ ଚମତ୍କାର ଢଙ୍ଗରେ ଆରମ୍ଭ କରିଥିବା କୋହଲି ଭାରତର ସଫଳତମ ଅଧିନାୟକ ହେବା ପୂର୍ବରୁ ବିଦେଶ ମାଟିରେ ସର୍ବାଧିକ ଟେଷ୍ଟ୍‌ ଜିତିଥିବା ଭାରତୀୟ ଅଧିନାୟକର କୀର୍ତ୍ତି କରିନେବେ। ସଂପ୍ରତି ଏହି କୀର୍ତ୍ତିମାନ ସୌରଭ ଗାଙ୍ଗୁଲିଙ୍କ ନାଁରେ ରହିଛି। ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତ ବିଦେଶ ମାଟିରେ ୧୧ ଟେଷ୍ଟ୍‌ ଜିତିଛି। ଅନ୍ୟପକ୍ଷରେ କୋହଲି ୧୦ ଟେଷ୍ଟ୍‌ ଜିତି ଏହି କ୍ରମରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। କୋହଲିଙ୍କ ନେତୃତ୍ବରେ ଭାରତ ପଡ଼ୋଶୀ ଶ୍ରୀଲଙ୍କାରେ ସର୍ବାଧିକ ୫ ବିଜୟ ପାଇଛି। ଏହା ଛଡ଼ା ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛି। ଅଷ୍ଟ୍ରେଲିଆ ମାଟିରେ ଜିତିବାରେ କୋହଲି ଭାରତର ପଞ୍ଚମ ଅଧିନାୟକ ହୋଇଛନ୍ତି। ବିଶେନ ସିଂହ ବେଦୀଙ୍କ ‌ନେତୃତ୍ବରେ ଅଷ୍ଟ୍ରେଲିଆରେ ଭାରତ ଦୁଇଟି ଟେଷ୍ଟ୍‌ ଜିତିଛି। ଅଷ୍ଟ୍ରେଲିଆରେ ଭାରତକୁ ବିଜୟୀ କରାଇଥିବା ଅନ୍ୟ ତିନି ଅଧିନାୟକ ହେଲେ ସୁନୀଲ ଗାଭାସ୍କର, ସୌରଭ ଗାଙ୍ଗୁଲି ଓ ଅନୀଲ କୁମ୍ବଲେ। ବିଶ୍ବର ସଫଳତମ ଟେଷ୍ଟ୍‌ ଅଧିନାୟକ ହେବା ପାଇଁ କିନ୍ତୁ କୋହଲିଙ୍କୁ ଆହୁରି ଲମ୍ବା ପଥ ଅତିକ୍ରମ କରିବାକୁ ପଡ଼ିବ। ଏହି କୀର୍ତ୍ତିମାନ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥଙ୍କ ନାଁରେ ରହିଛି। ସ୍ମିଥ୍ ୧୦୯ ଟେଷ୍ଟ୍‌ରେ ଦକ୍ଷିଣ ଆଫ୍ରିକାର ନେତୃତ୍ବ ନେଇ ୫୩ ଟେଷ୍ଟ୍‌ ଜିତିଛନ୍ତି। ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୪୮), ଷ୍ଟିଭ୍ ୱ (୪୧) ଓ ୱେଷ୍ଟଇଣ୍ଡିଜର କ୍ଲାଇଭ୍ ଲୟଡ୍ (୩୬) ଏହି କ୍ଷେତ୍ରରେ ଦ୍ବିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି।

ପର୍ଥ ପାଇଁ ଚାପେଲ ମନ୍ତ୍ର
ପର୍ଥ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଇଆନ ଚାପେଲ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। କୋହଲିଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ ମଧ୍ୟ ପଡ଼ିଆ ସଜାରେ ଆଉ ଟିକିଏ ଧ୍ୟାନ ଦେବାକୁ ଚାପେଲ ତାଙ୍କୁ ପରାମର୍ଶ ଦେଇଛନ୍ତି। ଚାପେଲ କହିଛନ୍ତି କୋହଲି ଜଣେ ଭଲ ଅଧିନାୟକ। ସାଂପ୍ରତିକ ଅଧିନାୟକଙ୍କ ଭଳି ସେ ମଧ୍ୟ ପଡ଼ିଆକୁ ଖୋଲିକି ରଖୁଛନ୍ତି। ଏହା ଦ୍ବାରା ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ସିଙ୍ଗଲ ନେବାର ସୁଯୋଗ ମିଳି ଯାଉଛି। ସେମାନେ ମଧ୍ୟ ନିଜ ଲୟ ପାଇ ଯାଉଛନ୍ତି। ପାଳି ଆରମ୍ଭ ବେଳେ କୋହଲିଙ୍କୁ ପାଖରେ କ୍ଷେତ୍ରରକ୍ଷକ ରଖି ପ୍ରତିପକ୍ଷ ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରିବା ଉଚିତ। ଚାପେଲ ଆହୁରି କହିଛନ୍ତି ଯେ ବତର୍ମାନର ଭାରତୀୟ ଦଳ ଆକ୍ରମଣାତ୍ମକ କ୍ରିକେଟ୍ ଖେଳୁଛି। ହେଲେ ଏହା ୨୦୦୦ ମସିହାରେ ଅଷ୍ଟ୍ରେଲିଆ ଆସିଥିବା ଭାରତୀୟ ଦଳ ତୁଳନାରେ କିଛି ନୁହେଁ।

ଷ୍ଟାର୍କଙ୍କୁ ମିଳିଲା ଜନସନଙ୍କ ସାଥ୍
ମହତ୍ବପୂର୍ଣ୍ଣ ପର୍ଥ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ପୂର୍ବତନ ଦ୍ରୁତ ବୋଲର ମିଚେଲ ଜନସନଙ୍କ ସାଥ୍ ମିଳିଛି। ଷ୍ଟାର୍କଙ୍କୁ ସହାୟତା କରିବା ଲାଗି ଜନସନ ବୁଧବାର ନିଜ ଆଡ଼ୁ ପ୍ରସ୍ତାବ ଦେଇଛନ୍ତି। ଜନସନ ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ ଏମିତି ଲାଗୁଛି ଯେ ଷ୍ଟାର୍କଙ୍କ ମନରେ ‌କୌଣସି କଥା ରହିଛି। ଯାହା ତାଙ୍କର କ୍ଷତି କରୁଛି। ପର୍ଥ ଟେଷ୍ଟ ପୂର୍ବରୁ ଆମେ ଦୁଇ ଜଣ ଏଥିନେଇ କଥା ହେବୁ ବୋଲି ଆଶା କରୁଛି। ଆଡିଲେଡ ପ୍ରଦର୍ଶନଠାରୁ ଷ୍ଟାର୍କ ଯଥେଷ୍ଟ ଭଲ ବୋଲର। ମୁଁ ଜାଣିଛି ତାଙ୍କର ସେହି କ୍ଷମତା ଅଛି। ସଂପ୍ରତି ସେ ବଲ୍‌କୁ ଆଶାଜନକ ଭାବେ ଘୂରାଇ ପାରୁ ନାହାନ୍ତି। ହୋଇପାରେ ସେ ପୂରା ପ୍ରସ୍ତୁତ ନାହାନ୍ତି। ଆଘାତ ପ୍ରାପ୍ତ ହୋଇ ଷ୍ଟାର୍କ ବାହାରେ ଥିଲେ ଏବଂ ଏବେ ଦଳକୁ ଫେରିଛନ୍ତି। ମୋତେ ଲାଗୁନି ଯେ ସେ ଏବେ ପୂରା ଲୟରେ ଅଛନ୍ତି। ସୂଚନାଯୋଗ୍ୟ ଯେ ଷ୍ଟାର୍କ ଆଡିଲେଡ୍ ଟେଷ୍ଟର ପ୍ରଥମ ପାଳିରେ ୨ ଏବଂ ଦ୍ବିତୀୟରେ ୩ ୱିକେଟ୍ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର