ଚର୍ଚାରେ ଚନ୍ଦନାଙ୍କ ରୁପେଲି ପଦାର୍ପଣ

ରାଜ୍ୟ ଭାରୋତ୍ତୋଳନ ପଦକ ଜିତିଲେ କ୍ରୀଡ଼ା ନିର୍ଦେଶକଙ୍କ ପତ୍ନୀ

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ନିର୍ଦେଶକ ଭିନିଲ୍‌ କ୍ରିଷ୍ଣାଙ୍କୁ ସକାଳୁ ସଞ୍ଜ ଖେଳ ଦୁନିଆରେ ବିତାଇବାକୁ ପଡ଼ିଛି। ରାଜ୍ୟ ଖେଳକୁ ସେ କେବଳ ପରୋକ୍ଷରେ ପ୍ରୋତ୍ସାହିତ କରୁନାହାନ୍ତି। ପ୍ରତ୍ୟେକ୍ଷ ଭାବେ ମଧ୍ୟ ଏଥିରେ ନିଜ ସମ୍ପୃକ୍ତି ରଖିଛନ୍ତି। କାରଣ ତାଙ୍କ ପତ୍ନୀ ଏସ୍‌ ଭି ଚନ୍ଦନା ଏବେ ଖେଳ ଦୁନିଆରେ ପାଦ ଥାପିଛନ୍ତି। ତା’ ପୁଣି ଭାରୋତ୍ତୋଳନ ଭଳି କଷ୍ଟକର ଓ ବିପଜ୍ଜନକ ଖେଳରେ। ଖାଲି ପାଦ ଥାପି ନାହାନ୍ତି, ଗତ ସପ୍ତାହରେ ସୁନ୍ଦରଗଡ଼ରେ ଅନୁଷ୍ଠିତ ରାଜ୍ୟ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ନୂଆ ଜୀବନ ଆରମ୍ଭ କରିଛନ୍ତି। ଜଣେ ସମ୍ଭ୍ରାନ୍ତ ମହିଳା, ୨ ପିଲାର ମା’ ସଂଗୀତ ଦୁନିଆରୁ ଖେଳ ଦୁନିଆ ଆସିବା, ପୁଣି ୩୪ ବର୍ଷ ବୟସରେ ନିଶ୍ଚିତ ନିଆରା ପ୍ରୟାସ।
‘‘ବୟସ ପ୍ରତିବଂଧକ ନୁହେଁ, ମଡେଲ୍‌ ମିଲିନ୍ଦ ସୋମନଙ୍କ ୭୪ ବର୍ଷୀୟ ମା’ ଉଷା ସୋମନ ଯଦି ୧୦୦ କିଲୋମିଟର୍‌କୁ ୪୮ ଘଣ୍ଟା ଭିତରେ ଦୌଡ଼ି ପାରୁଛନ୍ତି ତେବେ ମୁଁ କାହିଁକି ନୁହେଁ। ଏଥିରୁ ମୋତେ ପ୍ରେରଣା ମିଳିଥିଲା ବୋଲି ସୋମବାର ‘ସମ୍ବାଦ’ ସହିତ କଳିଙ୍ଗ ଷ୍ଟାଡିୟମ୍‌ରେ କଥା ହେବାବେଳେ ପ୍ରକାଶ କରିଥିଲେ ୩୪ ବର୍ଷୀୟା ଚନ୍ଦନା। ଅବଶ୍ୟ ମୁଁ ପିଲାଦିନୁ ଫିଟନେସ୍‌ ଉପରେ ଗୁରୁତ୍ୱ ଦେଇ ଆସିଛି। ଏରୋବିକ୍ସ କରିବା ଏବଂ ଜିମ୍ନାସିୟମରେ ସମୟ ବିତାଇବା ମୋ ଅଭ୍ୟାସ ଥିଲା। ବୟସରେ ମୁଁ ବିଶ୍ୱାସ କରେ ନାହିଁ। ଖେଳ ଆରମ୍ଭ ନ କରିବା ପାଇଁ ମୁଁ ଏତେ ବୟସ୍କ ନୁହେଁ। ଫିଟ୍‌ଥିଲେ ଜଣେ ଯେ କୌଣସି ବୟସରେ ଆରମ୍ଭ କରିପାରିବ। ୭୪ ବର୍ଷ ବୟସରେ ଜଣେ ୧୦୦ କିଲୋମିଟର୍‌ ମାରାଥନ ଦୌଡ଼ିପାରୁଛି, କିନ୍ତୁ ଫିଟ୍‌ ନ ଥିଲେ ଜଣେ ୨୦ ବର୍ଷୀୟ ବି ୫ କିଲୋମିଟର୍‌ ଦୌଡ଼ିପାରିବ ନାହିଁ ବୋଲି କହିଥିଲେ ଚନ୍ଦନା। ପେସାଦାର ଖେଳାଳି ହେବା ସମ୍ଭାବନା ପ୍ରସଙ୍ଗରେ ଚନ୍ଦନା କହିଥିଲେ କୌଣସିଟିକୁ ଜଣେ ବିନା ପ୍ରୟାସରେ ଛାଡ଼ିଦେବାରେ ମୁଁ ବିଶ୍ୱାସ କରେ ନାହିଁ। ପ୍ରଥମେ ଚେଷ୍ଟା କରାଯାଉ, ନ ହେଲେ ବୟସକୁ ଦୋଷ ଦେଇହେବ। ମୁଁ ପେସାଦାର ଖେଳାଳି ହୁଏ ନ ହୁଏ, ନିଶ୍ଚିତ ଭାରୋତ୍ତୋଳନ ଜାରି ରଖିବି ବୋଲି କହିଥିଲେ ଏହି ସଂଗୀତ ନିର୍ଦେଶିକା।
ଭାରୋତ୍ତୋଳନ ମୋତେ କାହିଁକି କେଜାଣି ସବୁବେଳେ ଆକର୍ଷିତ କରିଥିଲା। ପିଲାଦିନେ ଏପରିକି କେବୁଲ ଟିଭି ପୂର୍ବରୁ ମୁଁ ଦୂରଦର୍ଶନରେ ଭାରୋତ୍ତୋଳନ ଦେଉଥିଲେ ଏହାକୁ ବନ୍ଦ କରୁନଥିଲି ବୋଲି କହିଥିଲେ ୨ ସନ୍ତାନର ମା’ ଚନ୍ଦନା। କ୍ରୀଡ଼ା ନିର୍ଦେଶକଙ୍କ ପତ୍ନୀଭାବେ ଘରେ ସବୁବେଳେ ଖେଳର ଆଲୋଚନା ଚାଲୁଥିବାରୁ ଏହା ସମ୍ଭବତଃ ମୋତେ ଭାରୋତ୍ତୋଳନ କରିବାକୁ ସୁଯୋଗ ଦେବା ସହ ଉତ୍ସାହିତ କରିଥିଲା। ମାତ୍ର ମାସକର ଅଭ୍ୟାସ ପରେ ମୁଁ ସୁନ୍ଦରଗଡ଼ ରାଜ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ଖୁସୀ। ପ୍ରଥମେ ନର୍ଭସ ଥିଲି, କାରଣ କ୍ରୀଡ଼ା ପ୍ରତିଯୋଗିତା ମୋ ପାଇଁ ଏକ ନୂଆ ଦୁନିଆ। ମୁଁ କ୍ରୀଡ଼ା ଦୁନିଆରୁ ଆସିନଥିଲି। ବରଂ କ୍ରୀଡ଼ା ପ୍ରତିଯୋଗିତାରେ ମୁଁ ପିଆନୋ ବଜାଇଥାଏ। ଏବେ ଖେଳକୁ ଆସିବା ପରେ ଏହା କେତେ କଷ୍ଟ ବୋଲି ଅନୁଭବ କରୁଛି।
୨୦୦୭ ମସିହାରେ ରାଭିଲ୍‌ ଭିନିଲ୍‌ କ୍ରିଷ୍ଣାଙ୍କୁ ବିବାହ କରିଥିବା ଚନ୍ଦନା ଏବେ ୨ ପୁତ୍ର ସନ୍ତାନର ଜନନୀ। ସେମାନଙ୍କ ବୟସ ଆଠ ଓ ଅଢ଼େଇ। ବାଙ୍ଗାଲୋର୍‌ରେ ପଢ଼ିଥିବା ଓ ବଢ଼ିଥିଲେ ଚନ୍ଦନା। କଳିଙ୍ଗ ଷ୍ଟାଡିୟମ୍‌ରେ ଏବେ ବିଜୁ ପଟ୍ଟନାୟକ ପୁରସ୍କାର ବିଜେତା ପ୍ରଶିକ୍ଷକ ପି ଧର୍ମାରାଓଙ୍କ ଅଧୀନରେ ଦୁଇ ବେଳା ଭାରୋତ୍ତୋଳନ ଅଭ୍ୟାସ କରୁଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରୁ ଆସିଥିବା ଭିନିଲ୍‌ କ୍ରିଷ୍ଣା ୨୦୦୫ ମସିହା ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ। ଗତବର୍ଷ ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ନିଯୁକ୍ତ ହୋଇଥିବା ଭିନିଲ୍‌ଙ୍କୁ ଚଳିତବର୍ଷଠାରୁ କ୍ରୀଡ଼ା ବିଭାଗ ନିର୍ଦେଶକ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର