ଧୋନି-କୋହଲି ପ୍ରେମରେ ଚାପେଲ-କ୍ଲାର୍କ : ଅକ୍‌ଲାଣ୍ଡ୍‌ରେ କୋହଲି ବାହିନୀ, ବୁଧବାରଠୁ ନ୍ୟୁଜିଲାଣ୍ଡ ଶୃଙ୍ଖଳା

କୋହଲି ସର୍ବଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ୍: କ୍ଲାର୍କ, ଧୋନି ଶ୍ରେଷ୍ଠ ଫିନିସର୍‌: ଚାପେଲ

ସିଡ୍‌ନି: ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ଦ୍ବିପାକ୍ଷିକ ଶୃଙ୍ଖଳା ବିଜୟ ପରେ ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରେମରେ ଯେମିତି ସେଠାକାର ପୂରା କ୍ରିକେଟ୍ ଜଗତ ପଡ଼ି ଯାଇଛି। ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍‌ମାନେ ଧୋନି-କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏହି କ୍ରମରେ କଙ୍ଗାରୁ ଦଳର ପୂବର୍ତନ ଅଧିନାୟକ ମାଇକେଲ କ୍ଲାର୍କ ଓ ଇଆନ୍ ଚାପେଲ ସର୍ବାଗ୍ରେ ରହିଛନ୍ତି। କୋହଲିଙ୍କୁ କ୍ଲାର୍କ ଦିନିକିଆ କ୍ରିକେଟ୍‌ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କହିଥିଲା ବେଳେ ଧୋନିଙ୍କୁ ଚାପେଲ ଶ୍ରେଷ୍ଠ ଫିନିସର୍‌ର ଉପାଧୀ ପ୍ରଦାନ କରିଛନ୍ତି। କ୍ଲାର୍କ କହିଛନ୍ତି ଯେ ମୋ ପାଇଁ ବିରାଟ କୋହଲି ଦିନିକିଆ କ୍ରିକେଟ୍ ଖେଳିଥିବା ସମସ୍ତ ଖେଳାଳିଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ। ଭାରତ ପାଇଁ ସେ ହାସଲ କରିଥିବା ସଫଳତା ଦେଖିବା ପରେ ମୋ ମନରେ ଏଥିନେଇ ତିଳେମାତ୍ର ସନ୍ଦେହ ନାହିଁ। କ୍ରିକେଟ୍ ପ୍ରତି ଥିବା କୋହଲିଙ୍କ ଭଲ ପାଇବାକୁ କେହି ପ୍ରଶ୍ନ କରି ପାରିବେ ନାହିଁ। କୋହଲି ଏତେ କମ୍ ବୟସରେ ଅନେକ କିଛି ହାସଲ କରି ସାରିଲେଣି। ଧୋନିଙ୍କ ବ୍ୟାଟିଂ ଉପରେ ମତ ରଖିବାକୁ ଯାଇ କ୍ଲାର୍କ କହିଥିଲେ ଯେ ଧୋନି ବିଶ୍ବକପ୍‌ରେ ୪, ୫, ୬ ଯେ କୌଣସି ସ୍ଥାନରେ ବ୍ୟାଟିଂ କରିପାରିବେ। ହାର୍ଦିକ ପାଣ୍ଡ୍ୟାଙ୍କ ନିଲମ୍ବନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଥିଲେ, ଭାରତୀୟ ଦଳର ସନ୍ତୁଳନ ପାଇଁ ପାଣ୍ଡ୍ୟାଙ୍କ ଭଳି ପ୍ରତିଭାବାନ ଖେଳାଳିଙ୍କର ଯଥେଷ୍ଟ ଆବଶ୍ୟକତା ରହିଛି। ବିଶ୍ବକପ୍ ବେଳକୁ ସେ ଭାରତୀୟ ଦଳକୁ ଫେରି ଯାଇଥିବେ ବୋଲି ମୁଁ ଆଶା କରୁଛି। ସେପଟେ ଧୋନିଙ୍କୁ ନେଇ ଚାପେଲ କହିଛନ୍ତି ଯେ ଧୋନି ‌ହେଉଛନ୍ତି ସାଂପ୍ରତିକ କ୍ରିକେଟ୍‌ର ଶ୍ରେଷ୍ଠ ଫିନିସର। ତାଙ୍କ ଭଳିଆ ଧୈର୍ଯ୍ୟ ଆଉ କାହାର ନାହିଁ। କେବେ କେବେ ମୁଁ ଭାବେ ଏଥର ସେ ବହୁତ ବିଳମ୍ବ କରିଦେଲେ। ହେଲେ ଠିକ୍ ସେତିକି ବେଳେ ଦୁଇ ତିନିଟି ବଡ଼ ସଟ୍ ଖେଳି ସେ ଭାବନାକୁ ଭୁଲ ପ୍ରମାଣିତ କରିଦିଅନ୍ତି। ଧୋନିଙ୍କୁ ମାଇକେଲ୍ ବେଭାନଙ୍କ ସହ ତୁଳନା କରି ଚାପେଲ ଆହୁରି କହିଥିଲେ ଯେ ବେଭାନଙ୍କୁ ଧୋନି ଟପି ସାରିଲେଣି। ବେଭାନ ଚୌକା ମାରି ବିଜୟ ମୁଣ୍ଡି ମାରୁଥିଲେ। ଧୋନି ଛକା ମାରି ଏହା କରୁଛନ୍ତି। ୩୭ ବର୍ଷ ବୟସରେ ମଧ୍ୟ ଧୋନି ଅନେକ ଯୁବ କ୍ରିକେଟରଙ୍କଠାରୁ ଅଧିକ ବେଗରେ ଦୌଡ଼ୁଛନ୍ତି। ପରିସଂଖ୍ୟାନ ଦୃଷ୍ଟିରୁ ମଧ୍ୟ ଧୋନି ବେଭାନଙ୍କଠାରୁ ବହୁ ଆଗରେ। ଏଥିରେ ସନ୍ଦେହ ନାହିଁ, ଧୋନି ହିଁ ଶ୍ରେଷ୍ଠ ଦିନିକିଆ ଫିନିସର।

ସମ୍ବନ୍ଧିତ ଖବର