ଚାପେଲଙ୍କ ଇମେଲ୍‌ ବିଷୟରେ ଗାଙ୍ଗୁଲିଙ୍କୁ ଜଣାଇଥିଲେ ସେହବାଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଗ୍ରେଗ୍‌ ଚାପେଲଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଭାରତୀୟ କ୍ରିକେଟ୍‌ ଇତିହାସର ଅନ୍ୟତମ ଚର୍ଚିତ ଅଧ୍ୟାୟ। ଗାଙ୍ଗୁଲିଙ୍କୁ ଦଳରୁ ବିଦା କରିବା ଲାଗି ଚାପେଲ ଷଡ଼ଯନ୍ତ୍ର କରିବା ପରେ ଶେଷରେ ନିଜେ ବିବାଦୀୟ ପରିସ୍ଥିତିରେ ପଦ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଗାଙ୍ଗୁଲି-ଚାପେଲଙ୍କ ତିକ୍ତ ସଂପର୍କର କାରଣ ଏବଂ ଏହି ବିଷୟରେ କେତେକ ଅଜଣା ତଥ୍ୟ ଉପରୁ ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ ଶନିବାର ପରଦା ଉଠାଇଛନ୍ତି।  ଗାଙ୍ଗୁଲିଙ୍କ ବିଷୟରେ ଚାପେଲ ବିସିସିଆଇକୁ ଯେଉଁ ନକାରାତ୍ମକ ଇ-ମେଲ ପଠାଇଥିଲେ ସେହି ବିଷୟରେ ସେ ହିଁ ସର୍ବପ୍ରଥମେ ଗାଙ୍ଗୁଲିଙ୍କୁ ଜଣାଇଥିଲେ ବୋଲି ସେହବାଗ କହିଛନ୍ତି। ୨୦୦୫ ମସିହାର ଜିମ୍ବାେଓ୍ଵ ଗସ୍ତବେଳେ ଚାପେଲ ଏହି ବିବାଦୀୟ ଇମେଲ୍‌ ପଠାଇଥିଲେ। ସେହବାଗ ଏହି ବିଷୟରେ ସୂଚନା ଦେବାକୁ ଯାଇ କହିଥିଲେ ଯେ ମୁଁ କ୍ଷେତ୍ରରକ୍ଷଣ ବେଳେ କୌଶଳ କରି ବିଶ୍ରାମ ନେଇ ଯାଉଥିଲି। ଅମ୍ପାୟାରଙ୍କୁ ପେଟ ଖରାପ ଥିବା କହି ଡ୍ରେସିଂରୁମ୍‌କୁ ଚାଲିଯାଏ ଏବଂ ଅନ୍ୟୁନ ୫ ଓଭର ପରେ ପଡ଼ିଆକୁ ଫେରେ।  ଥରେ ମୁଁ ଏହିଭଳି ଭାବେ ପଡ଼ିଆ ବାହାରକୁ ଆସି ପ୍ୟାଭିଲିୟନରେ ବସିଥିଲା ବେଳେ ଚାପେଲ ବିସିସିଆଇକୁ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଇମେଲ ପଠାଉଥିବା ଜାଣି ପାରିଥିଲି।  ଏହି ବିଷୟରେ ମୁଁ ସିଧା ଯାଇ ଗାଙ୍ଗୁଲିଙ୍କୁ କହିଥିଲି।  ସୂଚନାଯୋଗ୍ୟ ଯେ ୨୦୦୫ ମସିହା ମେ ମାସରେ ଚାପେଲ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ।  ହେଲେ ତାଙ୍କ କାର୍ଯ୍ୟକାଳ ବେଶ୍‌ ଘଟଣା ବହୁଳ ଏବଂ ବିବାଦୀୟ ଥିଲା। ଗାଙ୍ଗୁଲିଙ୍କୁ ଜିମ୍ବାେଓ୍ଵ ଗସ୍ତ ବେଳେ ଦଳରୁ ବାହାର କରିବା ସହ ସଚିନ ତେନ୍ଦୁଲକରଙ୍କ ଭଳି ମହାନ କ୍ରିକେଟରଙ୍କ ବିରୋଧରେ ବି ସେ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ। ସଚିନ ମଧ୍ୟ ନିଜ ଆତ୍ମଜୀବନୀରେ ଚାପେଲ ଭାରତୀୟ କ୍ରିକେଟକୁ ବହୁ ପଛକୁ ଠେଲି ଦେଇଥିଲେ ବୋଲି ଲେଖିଛନ୍ତି।

ସମ୍ବନ୍ଧିତ ଖବର