ଚେନ୍ନାଇର ସପ୍ତମ ବିଜୟ

0 268

ପୁନେ: ବାଙ୍ଗାଲୋର୍‌ ଏଥର ବୁଡ଼ି ବୁଡ଼ି ଯାଉଛି। ବଡ଼ ଖେଳାଳିଙ୍କ ଖ୍ୟାତି ମୁତାବକ ପ୍ରଦର୍ଶନ ନ ପାଇ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିବାର ଆଶଙ୍କା ଭିତରେ ପଡ଼ିଛି। ଶନିବାର ଆଇପିଏଲ୍‌-୧୧ର ୩୫ତମ ମ୍ୟାଚ୍‌ରେ ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ଶୋଚନୀୟ ଭାବେ ୬ ଓ୍ଵିକେଟ୍‌ରେ ପରାସ୍ତ କରି ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଦଶମ ମ୍ୟାଚ୍‌ରୁ ସପ୍ତମ ବିଜୟ ସହିତ ପୁଣି ଶୀର୍ଷକୁ ଉଠିଥିଲା। ଶନିବାର ଆଶ୍ଚର୍ଯ୍ୟଜନକ ଭାବେ ସ୍ପିନ୍‌ ଜାଲ ବିଛାଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ କୌଶଳ ଆଗରେ ବିରାଟ କୋହଲିଙ୍କ ସେନା ସମ୍ପୂର୍ଣ୍ଣ ହାର୍‌ ମାନିଥିଲା। ବିଶେଷ କରି ଦୁଇ ଅଭିଜ୍ଞ ଭାରତୀୟ ସ୍ପିନର୍‌ ବାମହାତୀ ରବୀନ୍ଦ୍ର ଜାଦେଜା (୪-୦-୧୮-୩) ଏବଂ ହରଭଜନ ସିଂହ (୪-୦-୨୨-୨) ମିଳିତ ଭାବେ ୮ ଓଭରରେ ୪୦ ରନ୍‌ ଦେଇ ୫ ଓ୍ଵିକେଟ୍‌ ଦଖଲ କରିନେବା ବାଙ୍ଗାଲୋର୍‌ ପାଳିକୁ ବିଗାଡ଼ି ଦେଇଥିଲା। ଏଥି ସହ ବାଙ୍ଗାଲୋର୍‌କୁ ଚଳିତ ବର୍ଷ ଉଭୟ ଥର ହରାଇ ଚେନ୍ନାଇ ମଧ୍ୟ ଦୋହରା ବିଜୟ ହାସଲ କରିଛି। ଏପ୍ରିଲ୍‌ ୨୫ ତାରିଖରେ ବାଙ୍ଗାଲୋର୍‌ ୨୦୫ ରନ୍‌ କରିଥିଲେ ମଧ୍ୟ ୨ ବଲ୍‌ ପୂର୍ବରୁ ଚେନ୍ନାଇ ଏହାକୁ ପଛରେ ପକାଇ ଦେଇଥିଲା। ସେଥର ବ୍ୟାଟିଂ ବଳରେ ଜିତିଥିବା ଦଳ ଏଥର କିନ୍ତୁ ବୋଲିଂ ବଳରେ ବଳିୟାନ୍‌ ହୋଇଛି। ଜାଦେଜା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଚେନ୍ନାଇର ନୂଆ ଘରୋଇ ପଡ଼ିଆ ପୁନେରେ ମହେନ୍ଦ୍ର ସିଂହ ଧୋନି ଶନିବାର ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମାର୍ଧ ବସି ବସି ବିତାଇବା ପରେ ଭାରତୀୟ ତାରକା ପାର୍ଥିବ ପଟେଲ୍‌ ସିଧାସଳଖ ପାଳି ଆରମ୍ଭର ସୁଯୋଗ ପାଇଥିଲେ। ମନନ ଭୋରା ଏବଂ କ୍ୱିଣ୍ଟନ୍‌ ଡି’କକ୍‌ଙ୍କୁ ପଛରେ ପକାଇ ଖେଳିଥିବା ଏହି ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ମଧ୍ୟ ଆକର୍ଷଣୀୟ ଅର୍ଧଶତକ (୫୩, ୪୧ ବଲ୍‌, ୫ ଚୌକା, ୨ ଛକା) ହାସଲ କରିଥିଲେ। ବାଙ୍ଗାଲୋର୍‌ ପାଓ୍ଵାର ପ୍ଲେ ଭିତରେ ୧ ଓ୍ଵିକେଟ୍‌ ହରାଇ ୪୭ ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ହଠାତ୍‌ ଦିଗହରା ହୋଇଯାଇଥିଲା। ବ୍ରେଣ୍ଡନ୍‌ ମ୍ୟାକ୍‌ଲମଙ୍କୁ ଲୁଙ୍ଗି ଏନ୍‌ଗିଡି ନିଜ ପ୍ରଥମ ଓଭରରେ ବିଦାୟ ରାସ୍ତା ଦେଖାଇଥିଲେ। କଚଟି ସ୍ପିନର୍‌ ଇମ୍ରାନ ତାହିରଙ୍କୁ ବସାଇ ଭଜି-ଜାଦୁଙ୍କୁ ପ୍ରୟୋଗ କରିଥିବା ଧୋନି ସଫଳ ହୋଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ରବୀନ୍ଦ୍ର ଜାଦେଜା ଓଭର ପିଛା ମାତ୍ର ୪.୫ ହାରରେ ରନ୍‌ ଦେଇ ୩ ଓ୍ଵିକେଟ୍‌ ନେବା ବାଙ୍ଗାଲୋର୍‌ର ବିଧ୍ୱଂସୀ ବ୍ୟାଟିଂକୁ ବିଧ୍ୱସ୍ତ କରି ଦେଇଥିଲା। ପାର୍ଥିବ ପଟେଲ୍‌, ବିରାଟ କୋହଲି (୮), ମନଦୀପ ସିଂହ (୭)ଙ୍କୁ ଜାଦେଜା ନିଜ ଥଳିରେ ପକାଇଥିଲେ। ଅସୁସ୍ଥତାରୁ ଫେରିଥିବା ଏବି ଡି’ଭିଲିୟର୍ସଙ୍କ ଓ୍ଵିକେଟ୍‌ ନେଇଥିଲେ ଅଭିଜ୍ଞ ଅଫସ୍ପିନର୍‌ ହରଭଜନ ସିଂହ। ଏବି ଡି’ଭିଲିୟର୍ସ ଏବଂ ମୁରୁଗାନ ଅଶ୍ୱିନ୍‌ଙ୍କୁ ଧୋନିଙ୍କ ଜରିଆରେ ଷ୍ଟମ୍ପିଂ କରାଇ ଭଜି ନେଇଥିଲେ ୨ ଓ୍ଵିକେଟ୍‌। ଏହି ସ୍ପିନ୍‌ ଯୋଡ଼ି ମିଳିତ ଭାବେ ୮ ଓଭରରେ ୪୦ ରନ୍‌ ଦେଇ ୫ ଓ୍ଵିକେଟ୍‌ ନେବା ହିଁ ବାଙ୍ଗାଲୋର୍‌କୁ ୮୯/୮ରେ ସଂଘର୍ଷ କରିବାକୁ ବାଧ୍ୟ କରିଥିଲା। ଶେଷକୁ ନ୍ୟୁଜିଲାଣ୍ଡ୍‌ ତାରକା ଟିମ୍‌ ସାଉଦି (୩୬*, ୨୬ ବଲ୍‌, ୩ ଚୌକା, ୧ ଛକା) ଆକର୍ଷଣୀୟ ପାଳି ଖେଳିବାରୁ ବାଙ୍ଗାଲୋର୍‌ ସମ୍ମାନଜନକ ୧୨୭/୯ରେ ସୀମିତ ରହିଥିଲା। ପାର୍ଥିବ ପଟେଲ୍‌ (୫୩) ଏବଂ ଟିମ୍‌ ସାଉଦି (୩୬*)ଙ୍କ ଛାଡ଼ିଦେଲେ ଅନ୍ୟ କୌଣସି ଆର୍‌ସିବି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ।

୧୨୮ ରନ୍‌କୁ ପିଛା କରିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ସେନ୍‌ ଓ୍ଵାଟସନ୍‌ (୧୧)ଙ୍କୁ ସଅଳ ହରାଇଥିଲା। ଉମେଶ ଯାଦବ ତାଙ୍କ ଅଫ୍‌ଷ୍ଟମ୍ପ୍‌ ଉଡ଼ାଇ ଦେଇଥିଲେ। ଏହା ପରେ ଅମ୍ବାତି ରାୟୁଡୁ (୩୨, ୨୫ ବଲ୍‌, ୩ ଚୌକା, ୨ ଛକା) ଏବଂ ସୁରେଶ ରାଇନା (୨୫, ୨୧ ବଲ୍‌, ୨ ଚୌକା, ୧ ଛକା) ଦଳକୁ ସୁରକ୍ଷିତ ଆଡ଼କୁ ନେଇଥିଲେ। ହଠାତ୍‌ ୧୮ ରନ୍‌ ଭିତରେ ଚେନ୍ନାଇ ୩ ଓ୍ଵିକେଟ୍‌ ହରାଇ ତ୍ରୟୋଦଶ ଓଭର ବେଳକୁ ୮୦/୪ରେ ସଂଘର୍ଷ କରିଥିଲା। କିନ୍ତୁ ଚଳିତ ଥର ଚମତ୍କାର ଖେଳୁଥିବା ମହେନ୍ଦ୍ର ସିଂହ ଧୋନି (୩୧*, ୨୩ ବଲ୍‌, ୧ ଚୌକା, ୩ ଛକା) ଏବଂ ଡ୍ଵାନ୍‌ ବ୍ରାଭୋ (୧୪*, ୧୭ ବଲ୍‌, ୧ ଛକା) ଅନାୟାସରେ ମ୍ୟାଚ୍‌ ଶେଷ କରିଥିଲେ। ଚହଲଙ୍କୁ ଗୋଟିଏ ଓଭରରେ ୩ ଛକା ମାରି ଧୋନି ମଧ୍ୟ ଏହି ଭାରତୀୟ ସ୍ପିନରଙ୍କୁ ଫିକା ପକାଇ ଦେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌: ୨୦ ଓଭରରେ ୧୨୭/୯ (ପାର୍ଥିବ ପଟେଲ୍‌-୫୩, ଟିମ୍‌ ସାଉଦି-୩୬*, ରବୀନ୍ଦ୍ର ଦାଜେଦା-୩/୧୮, ହରଭଜନ ସିଂହ-୨/୨୨, ଡେଭିଡ୍‌ ଓ୍ଵିଲି-୧/୨୪, ଲୁଙ୍ଗି ଏନଗିଡ଼ି-୧/୨୪)। ଚେନ୍ନାଇ ସୁପର୍‌ କିଙ୍ଗ୍‌ସ: ୧୮ ଓଭରରେ ୧୨୮/୪ (ଅମ୍ବାତି ରାୟୁଡୁ-୩୨, ସୁରେଶ ରାଇନା-୨୫, ମହେନ୍ଦ୍ର ସିଂହ ଧୋନି-୩୧*, ଡ୍ଵାନ୍‌ ବ୍ରାଭୋ-୧୪*, ଉମେଶ ଯାଦବ-୨/୧୫, କଲିନ୍‌ ଗ୍ରାଣ୍ଡହୋମ୍‌-୧/୧୬, ମୁରୁଗାନ୍‌ ଅଶ୍ୱିନ-୧/୧୭)।

ବଦଳିଲା ଜାଦୁଙ୍କ ଭାଗ୍ୟ
ଚଳିତ ଆଇପିଏଲ୍‌ରେ ଶନିବାର ପର୍ଯ୍ୟନ୍ତ ରବୀନ୍ଦ୍ର ଜାଦେଜାଙ୍କ ଭାଗ୍ୟ ଖୋଲି ନ ଥିଲା। ବାଙ୍ଗାଲୋର୍‌ ବିପକ୍ଷ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ହେବା ସହ ତାଙ୍କ ଭାଗ୍ୟରେ ବଡ଼ ପରିବର୍ତନ ହୋଇଛି। ଶନିବାର ପୂର୍ବରୁ ନା ତାଙ୍କ ବ୍ୟାଟ୍‌ରୁ ରନ୍‌ ଆସୁଥିଲା ନା ବୋଲିଂରୁ ଓ୍ଵିକେଟ୍‌। ଗତ ମ୍ୟାଚ୍‌ରେ ଲଗାତାର ବଲ୍‌ରେ ସୁନିଲ ନରିନଙ୍କ କ୍ୟାଚ୍‌ ଛାଡ଼ି ସେ ମଧ୍ୟ ସମାଲୋଚିତ ହୋଇଥିଲେ। ଦଳର ପରାଜୟରେ ଅନ୍ୟତମ କାରଣ ଥିଲେ ଜାଦେଜା। ଏପରିକି ମ୍ୟାଚ୍‌ ପରବର୍ତୀ ସାମ୍ବାଦିକ ସମ୍ମିଳନୀରୁ ପ୍ରଶିକ୍ଷକ ତାଙ୍କୁ ହଟାଇ ଦେଇଥିଲେ। ଶନିବାର କିନ୍ତୁ ନୂଆ ରୂପ ଏବଂ ସଙ୍କଳ୍ପରେ ଆସିଥିଲେ ଜାଦେଜା। ତାଙ୍କ ବୋଲିଂରେ ଯାଦୁ ଭରି ରହିଥିଲା। ୪-୦-୧୮-୩ ମିତ୍ତବ୍ୟୟୀ ବୋଲିଂ ଚିତ୍ର ସହିତ ଦଳର ବିଜୟର ନାୟକ ସାଜିଥିଲେ। ତାଙ୍କ ବାମହାତୀ ବୋଲିଂ ପ୍ରଭାବରେ ବି ଅଫ୍‌ସ୍ପିନର ହରଭଜନ ସିଂହ (୪-୦-୨୨-୨) ପ୍ରଭାବୀ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.