ଚେନ୍ନାଇ ବ୍ୟାଟିଂ ବନାମ ହାଇଦ୍ରାବାଦ ବୋଲିଂ

ମୁମ୍ବାଇ: ଆଇପିଏଲ୍‌-୧୧ ଶେଷ ସପ୍ତାହକୁ ପ୍ରବେଶ କରିଛି। ମଙ୍ଗଳବାର ପ୍ରଥମ କ୍ୱାଲିଫାୟାର୍‌ (ଚେନ୍ନାଇ-ହାଇଦ୍ରାବାଦ) ଏବଂ ବୁଧବାର ଏଲିମିନେଟର୍‌ (କେକେଆର୍‌-ରାଜସ୍ଥାନ) ଖେଳାଯିବ। ମଙ୍ଗଳବାର ମୁକାବିଲାରେ ପଏଣ୍ଟ ଟେବୁଲ୍‌ର ଶୀର୍ଷ ଦୁଇ ଦଳ ଭେଟୁଥିବାରୁ ପ୍ରଶଂସକ ଏକ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ପାଇବେ ବୋଲି ଆଶା ବାନ୍ଧିଛନ୍ତି। ଏଥି ସହ ପରବର୍ତୀ ୪ ମ୍ୟାଚ୍‌ ଉପରେ ନିଶ୍ଚିତ ପ୍ରଶଂସକଙ୍କ ନଜର ରହିବ।
ମଙ୍ଗଳବାର ଚେନ୍ନାଇର ବ୍ୟାଟିଂ ଶକ୍ତି ଓ ହାଇଦ୍ରାବାଦର ବୋଲିଂ କ୍ଷମତା ମଧ୍ୟରେ ଲଢ଼େଇର ପରୀକ୍ଷା ନେବ। ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ହାରହାରି ୧୮୦ ରନ୍‌ କରିଥିଲେ ମଧ୍ୟ ଚେନ୍ନାଇ ଯୁଗଳ ବିଜୟ ହାସଲ କରି ନେଇଥିଲା। ପୁନେରେ ୧୮୦ ରନ୍‌କୁ ପିଛା କରି ୮ ଓ୍ଵିକେଟ୍‌ରେ ଏବଂ ହାଇଦ୍ରାବାଦରେ ୧୮୨ ରନ୍‌ କରି ୪ ରନରେ ଜିତିଥିଲା ଚେନ୍ନାଇ। ମୋଟ ଉପରେ ୮ ଥର ମୁକାବିଲା କରିଥିବା ଏହି ଦୁଇ ଦଳରୁ ଚେନ୍ନାଇ ମଧ୍ୟ ୬ ଥର ଜିତି ଆଗରେ ରହିଛି। ଓ୍ଵାଙ୍ଖ୍‌ଡେରେ ମଧ୍ୟ ହାଇଦ୍ରାବାଦ ପ୍ରଦର୍ଶନ ୧-୪ ଥିବାରୁ ସବୁକିଛି ଚେନ୍ନାଇ ସପକ୍ଷରେ ରହିଛି। ଓ୍ଵାଙ୍ଖ୍‌ଡେରେ ହରଭଜନ ସିଂହ ୪୯ ଓ୍ଵିକେଟ୍‌ ନେଇ କେବଳ ଲସିଥ୍‌ ମାଲିଙ୍ଗା (୫୮)ଙ୍କ ତଳେ ରହିଛନ୍ତି।
ଉଭୟ ଦଳ ୯ ଲେଖାଏଁ ମ୍ୟାଚ୍‌ ଜିତି ଆସିଥିଲେ ମଧ୍ୟ ହାଇଦ୍ରାବାଦ ଶେଷ ୩ ମ୍ୟାଚ୍‌ ହାରିବା ଦଳକୁ ଚାପରେ ପକାଇଛି। ପ୍ରଥମ ଭାଗରେ ଦଳ ଛୋଟ ଛୋଟ ସ୍କୋର୍‌କୁ ରୋକି ବିଜୟୀ ହେବା ଦଳର ବୋଲିଂ ଦକ୍ଷତା ଦେଖାଇଥିଲା। କିନ୍ତୁ ଚେନ୍ନାଇ ଆଗରେ ଉଭୟ ଥର ଏହାର ବୋଲର୍‌ ଫିକା ପଡ଼ିଥିଲେ। ଚେନ୍ନାଇ ପୂର୍ବରୁ ଦୁଇ ଥର ବିଜେତା ହୋଇଥିବାବେଳେ ହାଇଦ୍ରାବାଦ ମଧ୍ୟ ଥରେ ମୁକୁଟ ହାତେଇ ସାରିଛି। କିନ୍ତୁ କିଏ ପ୍ରଥମେ ଫାଇନାଲ୍‌ ପ୍ରବେଶ କରିବ ମଙ୍ଗଳବାର ମ୍ୟାଚ୍‌ ଫଳାଫଳ କହିବ। ହାରିଯିବା ଦଳକୁ ଅବଶ୍ୟ ଦ୍ୱିତୀୟ କ୍ୱାଲିଫାୟାର୍‌ରେ ଦ୍ୱିତୀୟ ସୁଯୋଗ ମିଳିବ ଶୁକ୍ରବାର।
ଭୁବନେଶ୍ୱର କୁମାରଙ୍କ ଛାଡ଼ିଦେଲେ ରସିଦ୍‌ ଖାନ୍‌, ସକିବ୍‌ ଅଲ୍‌ ହାସନ, ସିଦ୍ଧାର୍ଥ କଉଲ୍‌ ହାଇଦ୍ରାବାଦର ବୋଲିଂ ସମ୍ଭାଳିବେ। ବ୍ୟାଟିଂ ଭାର ରହିବ ଶିଖର ଧାଓ୍ଵନ ଏବଂ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ଉପରେ। ଅନ୍ୟପକ୍ଷରେ ପଞ୍ଜାବ ବିପକ୍ଷରେ ୪/୧୦ ବୋଲିଂ ଚିତ୍ର ସହିତ ଆସିଥିବା ଦକ୍ଷିଣ ଆଫ୍ରିକା ଯୁବ ପ୍ରତିଭା ଲୁଙ୍ଗି ଏନ୍‌ଗିଡ଼ି ଚେନ୍ନାଇକୁ ନୂଆ ଦିଶା ଦେଖାଇଛି। ଅମ୍ବାତି ରାୟୁଡୁ, ସେନ୍‌ ଓ୍ଵାଟ୍‌ସନ୍‌, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରୁ ଅନ୍ୟୁନ ୨ ଜଣ ବିସ୍ଫୋରକ ପାଳି ଖେଳିଲେ ଚେନ୍ନାଇକୁ ରୋକିବା ମଧ୍ୟ ଅସମ୍ଭବ ହୋଇଯିବ। ସେହିଭଳି ବୁଧବାର ଖେଳାଯିବାକୁ ଥିବା କେକେଆର୍‌-ରାଜସ୍ଥାନ ରୟାଲ୍‌ସରେ ମଧ୍ୟ ଦୀନେଶ କାର୍ତିକଙ୍କ ଦଳ ଦାବିଦାର ରହିବ। ବିଶେଷ କରି ସଂଘର୍ଷ କରି ପ୍ଲେ ଅଫ୍‌ ଆସିଥିବା ରାଜସ୍ଥାନ ଜୋସ୍‌ ବଟଲର୍‌ଙ୍କ ବିନା ଚାପରେ ରହିବ। ଲିଗ୍‌ ପର୍ଯ୍ୟରେ କେକେଆର୍‌ ମଧ୍ୟ ଉଭୟ ଥର ଯଥାକ୍ରମେ ୬ ଓ ୭ ଓ୍ଵିକେଟ୍‌ରେ ଅଜିଙ୍କ୍ୟ ରାହାଣେଙ୍କ ଦଳକୁ ହରାଇଥିଲା।
କ୍ରିକେଟ୍‌ ପଣ୍ଡିତମାନଙ୍କ ଆକଳନ ଅନୁସାରେ ଚେନ୍ନାଇ ପ୍ରଥମେ ହାଇଦ୍ରାବାଦକୁ ହରାଇ ଫାଇନାଲ୍‌ ପହଞ୍ଚିବ ଏବଂ କେକେଆର୍‌ ଏଲିମିନେଟର୍‌ରେ ରାଜସ୍ଥାନକୁ ହରାଇ ଦେବ। କେକେଆର୍‌ ପୁଣି ଥରେ ହାଇଦ୍ରାବାଦକୁ ହରାଇଦେବ ଏବଂ ରବିବାରର ଫାଇନାଲ୍‌ ମ୍ୟାଚ୍‌ କେକେଆର୍‌ ଏବଂ ଚେନ୍ନାଇ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର