ଚେନ୍ନାଇ ବ୍ୟାଟିଂରେ ଗଭୀରତା ରହିଛି, ସୁନୀଲ ଗାଭାସ୍କର

ଯେଉଁ ଦୁଇ ଦଳ ୧ ଓ ୨ ନମ୍ବର ସ୍ଥାନରେ ରହିଥିଲେ ସେମାନେ ଫାଇନାଲ୍‌ରେ ଖେଳିବା ଉପଯୁକ୍ତ ଲଢ଼େଇ। ସମୟ ଆସିବାବେଳେ ଏହି ଦଳ ହିଁ ଉନ୍ନତ ପ୍ରଦର୍ଶନ କରିଥିଲେ ଏବଂ ଏଠାରେ ପହଞ୍ଚିବାର ହକ୍‌ଦାର ଥିଲେ। ଇତିହାସ ଦେଖିଲେ ଲିଗ୍‌ ଶେଷରେ ଦ୍ୱିତୀୟ ସ୍ଥାନରେ ରହୁଥିବା ଦଳ ପ୍ରାୟତଃ ଟ୍ରଫି ବିଜେତା ହୋଇଥାଏ। ସେ ଦୃଷ୍ଟିରୁ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ପ୍ରଶଂସକମାନେ ଆତ୍ମବିଶ୍ୱାସରେ ରହିଛନ୍ତି ଦଳ ପ୍ରତ୍ୟାବର୍ତନରେ ଟ୍ରଫି ବିଜେତା ହୋଇଯିବ। ସନ୍‌ରାଇଜର୍ସ ବିପକ୍ଷ ପ୍ରଥମ କ୍ୱାଲିଫାୟାର୍‌ରେ ନଖକାମୁଡ଼ା ବିଜୟ ହାସଲ କରି ଚେନ୍ନାଇ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଥିଲା। ଫର୍ମରେ ଥିବା ଅମ୍ବାତି ରାୟୁଡୁଙ୍କ ବଦଳରେ ଫାପ୍‌ ଡୁ ପ୍ଳେସିସ୍‌ଙ୍କୁ ପାଳି ଆରମ୍ଭ ସୁଯୋଗ ଦେବାକୁ ଅନେକ ପସନ୍ଦ କରିନଥିଲେ, କିନ୍ତୁ ଶେଷରେ ସେ ହିଁ ମ୍ୟାଚ୍‌ ବିଜେତା ଭାବେ ଉଭା ହେଲେ। ଚେନ୍ନାଇ ଏଭଳି ଏକ ବ୍ୟାଟିଂ ଗୋଷ୍ଠୀର ଦଳ ଯିଏ ଯେତେବଡ଼ ଲକ୍ଷ୍ୟକୁ ବି ପିଛା କରିବାର କ୍ଷମତା ରଖିଛି। କିନ୍ତୁ ପ୍ରତିଦ୍ୱନ୍ଦ୍ୱୀ ଏଭଳି ଏକ ଦଳ ଯିଏ ଛୋଟ ହେଉ କି ବଡ଼ ସ୍କୋର ବଞ୍ଚାଇ ରଖି ଜିତିବାକୁ ଅଭ୍ୟାସରେ ପରିଣତ କରିସାରିଛି। ସନ୍‌ରାଇଜର୍ସ ବ୍ୟାଟିଂ ଚେନ୍ନାଇ ଭଳି ଏତେ ଗଭୀରତା ରଖିନାହିଁ। ଏହି ଦଳ ବିଶେଷ କରି ଶିଖର ଧାଓ୍ଵନ ଏବଂ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ଉପରେ ଅଧିକ ନିର୍ଭରଶୀଳ। ଅନ୍ୟମାନେ ବେଳେ ବେଳେ ଦଳକୁ ଉଠାଇଛନ୍ତି। ଜଣେ ଖେଳାଳି କିନ୍ତୁ ଦିନକୁ ଦିନ ଉନ୍ନତ ହେବାରେ ଲାଗିଛନ୍ତି। ସେ ହେଲେ ରସିଦ୍‌ ଖାନ୍‌। କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଦେଖାଇ ଦେଇଛନ୍ତି ସେ ଜଣିକିଆ ମ୍ୟାଚ୍‌ ବିଜେତା ହୋଇପାରନ୍ତି। ରସିଦ୍‌ଙ୍କ ବିସ୍ଫୋରକ ପାଳି ସନ୍‌ରାଇଜର୍ସକୁ ଆବଶ୍ୟକ ବଡ଼ ସ୍କୋର୍‌ ଦେଇଥିଲା ଏବଂ ଦଳର ଉତ୍ସାହକୁ ଉପରମୁହାଁ କରିଥିଲା। ସେ ଚମତ୍କାର ସଟ୍‌ ଖେଳିଥିଲେ ଏବଂ ଏବି ଡି’ଭିଲିୟର୍ସଙ୍କ ଭଳି ଫ୍ଲିକ୍‌ରେ ଛକା ମାରିବା ସବୁଠାରୁ ଶ୍ରେଷ୍ଠ ଥିଲା। ବୋଲିଂରେ ମଧ୍ୟ ସେ ଯାଦୁକରୀ ପ୍ରଦର୍ଶନ କରିଥିଲେ। ଦୁଇଟି ଚମତ୍କାର କ୍ୟାଚ୍‌ ନେବା ଏବଂ ବୁଲେଟ୍‌ ଭଳି ଫିଙ୍ଗିଥିବା ବଲ୍‌ରେ ଗୋଟିଏ ରନ୍‌ ଆଉଟ୍‌ କରାଇବା ମଧ୍ୟ ତାଙ୍କୁ ଶ୍ରେଷ୍ଠ ଅଲରାଉଣ୍ଡ୍‌ର ମାନ୍ୟତା ଦେଇଛି। ସେମିଫାଇନାଲ୍‌ ସଦୃଶ ଏହି ମ୍ୟାଚ୍‌କୁ ରସିଦ୍‌ ଖାନ୍‌ ହିଁ ଜିତାଇଥିଲେ। ତାଙ୍କ ଶକ୍ତି ଓ ଯୁବ ସୁଲଭ ଗୁଣ ଦଳ ଭିତରେ ଉତ୍ସାହ ଭରି ଦେଇଛି। ସେ ଯଦି ପୁଣି ଚମତ୍କାର ପ୍ରଦର୍ଶନ କରିବେ ତେବେ ସନ୍‌ରାଇଜର୍ସ ନୂଆ ଇତିହାସ ରଚିଯିବ। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର