୬୨ ବଲରେ ୧୦୦ ମାରିଲେ ରାୟଡୁ, ୮ ଓ୍ଵିକେଟରେ ଜିତିଲା ଚେନ୍ନାଇ

ପୁନେ : ଅମ୍ବାତି ରାୟଡୁଙ୍କ ୬୨ ବଲରେ ଶତକ ଫଳରେ ଚେନ୍ନାଇ ସୁପକିଙ୍ଗସ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟରେ ପରାସ୍ତ କରିଛି ।  ହାଇଦ୍ରାବାଦର ୧୮୦ ରନ ଟାର୍ଗେଟ କୁ ଚେନ୍ନାଇର ଦୁଇ ଓପନର ରାୟଡୁ ଓ ସେନ ଓ୍ଵାଟସନ ଙ୍କ ଦୃଢ ବ୍ୟାଟିଂ ଫଳରେ ସହଜରେ ହାସଲ କରିନେଇଛି । ରାୟଡୁ ୬୨ ବଲରେ ୭ ଛକା ଓ ୭ ଚୌକା ସହ ୧୦୦ ରନ ଓ ଓ୍ଵାଟସନ ୩୫ ବଲରେ ୫ ଚୌକା ଓ ୩ ଛକା ସହ ୫୭ ରନ କରିଛନ୍ତି ।

ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୬ତମ ଲିଗ ମ୍ୟାଚରେ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଇନିଂସ ଆରମ୍ଭରୁ ହାଇଦ୍ରାବାଦ ନିଜ ଓପନର ଆଲେକ୍ସ ହେଲ୍ସଙ୍କୁ ହରାଇଥିଲେ ମଧ୍ୟ ଅନ୍ୟତମ ଓପନର ଶିଖର ଧଓ୍ଵନ ଓ କେନ ଓ୍ଵିଲିୟମ୍ସ ଲଢୁଆ ବ୍ୟାଟିଂ କରୁ ଦଳକୁ ବିପଦରୁ ଉଦ୍ଧାର କରିବା ସହ ୧୨୩ ରନର ପାର୍ଟନରସିପ କରିଥିଲେ । ତେବେ ଦଳର ସ୍କୋର ୧୪୧ ହୋଇଥିବା ବେଳେ ଉଭୟ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପାଭିଲିୟନ ଫେରିବା ପରେ  ଦଳ ପୁଣି ବିପଦରେ ପଡିଯାଇଥିଲା । ତେବେ ଶେଷ ବେଳକୁ ଦିପକ ହୁଦା ଓ ସକିବୁଲ ହସଲ ସତର୍କତାର ସହ ଖେଳିବା ସହ ଦଳର ସ୍କୋରକୁ  ୧୭୯   ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।

ଚେନ୍ନାଇ ତରଫରୁ ସାର୍ଦ୍ଦୁଳ ଠାକୁର ୨ଟି ଏବଂ ଡେ୍ଵନ ବ୍ରାଭୋ ଓ ଦିପକ ଚହର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ହାଇଦ୍ରାବାଦ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳି ୯ ବିଜୟ ଓ ୩ ପରାଜୟ ସହ ୧୮ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଉପରେ ରହିଛି । ସେହିପରି ଚେନ୍ନାଇ  ୧୨ଟି ମ୍ୟାଚ ଖେଳି ୮ ବିଜୟ ୪ ପରାଜୟ ସହ ୧୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର