ପେଡ୍ରୋଙ୍କ ହ୍ୟାଟ୍ରିକ୍‌ରେ ହାରିଲା ପୁନେ, କ୍ବାର୍ଟର ଫାଇନାଲ୍‌ରେ ଚେନ୍ନାଇ ସିଟି

ଭୁବନେଶ୍ବର: ଚେନ୍ନାଇ ସିଟି ଏଫସି ଚଳିତ ସୁପରକପ୍ ଫୁଟବଲ୍‌ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ରବିବାର ଏହି ଦଳ ୪-୨ ଗୋଲ୍‌ରେ ପୁନେ ସିଟି ଏଫସିକୁ ପରାସ୍ତ କରି କ୍ବାର୍ଟରକୁ ଯିବାରେ ପ୍ରଥମ ଆଇଲିଗ୍ ଦଳ ହୋଇଛି। ଚେନ୍ନାଇ ବିଜୟରେ ଦୁଇ ସ୍ପେନୀୟ ତାରକା ପେଡ୍ରୋ ଜାଭିୟର (ତିନିଟି ଗୋଲ୍) ଓ ସାଣ୍ଡ୍ରୋ ରୋଡ୍ରିଗ୍ବେଜ୍ ପ୍ରମୁଖ ଭୂମିକା ତୁଲାଇଥିଲେ। ଏପରିକି ଚେନ୍ନାଇ ଦ୍ବିତୀୟାର୍ଧର ୪୧ ମିନିଟ୍ ଧରି ୧୦ ଜଣ ଖେଳାଳିରେ ଖେଳିଥିଲେ ମଧ୍ୟ ପୁନେ ଏହାର କୌଣସି ଫାଇଦା ଉଠାଇ ପାରି ନଥିଲା। ତା’ ସହ ଏହି ଦଳର ଅଭିଯାନ ଶେଷ ହୋଇ ଯାଇଥିଲା।

ପ୍ରଥମାର୍ଧର ୪୫ ମିନିଟ୍ ଖେଳରେ ଚେନ୍ନାଇ ସିଟି ଏଫସି ଅପେକ୍ଷାକୃତ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ବିଶେଷ କରି ଏହି ଦଳର ସ୍ପେନୀୟ ଅଧିନାୟକ ପେଡ୍ରୋ ଜାଭିୟର ବ୍ୟକ୍ତିଗତ ଭାବେ ଦୁଇଟି ଗୋଲ୍ ଦେବାକୁ ସକ୍ଷମ ହୋଇଥିଲେ। ଏହି ଦୁଇଟି ଗୋଲ୍ ସେ ମାତ୍ର ୫ ମିନିଟ୍ ଭିତରେ ଦେଇଥିଲେ। ପ୍ରଥମ ଗୋଲ୍ ୩୪ ମିନିଟରେ କରିବା ପରେ ଦ୍ବିତୀୟ ୩୯ ମିନିଟରେ ଅର୍ଜନ କରିଥିଲେ। ପୁନେ ସିଟି ଅବଶ୍ୟ ନିଜ ୧୦ ନମ୍ବର ଜର୍ସି ପିନ୍ଧିଥିବା ବ୍ରାଜିଲୀୟ ଖେଳାଳି ମାର୍ସେଲୋ ଲିଟେ ପେରେରାଙ୍କ ମାଧ୍ୟମରେ ଗୋଟିଏ ଗୋଲ୍ (୪୩ ମିନିଟ୍) ଶୁଝି ଦେଇଥିଲା। ଚେନ୍ନାଇ ଗୋଲ୍ ରକ୍ଷକ ମୌରୋ ବୋଲରଚିଓ ଆଗକୁ ଆସିଯିବା ପରେ ମୁକୁଳା ପଡ଼ିଥିବା ଗୋଲ୍ ପୋଷ୍ଟ ଭିତରକୁ ଚତୁରତାର ସହ ବଲ୍ ପୂରାଇ ପେରେରା ଦୁଇ ଦଳ ମଧ୍ୟରେ ଥିବା ଗୋଲ୍ ବ୍ୟବଧାନକୁ ୨-୧ କରି ଦେଇଥିଲେ। ବଳକା ଦୁଇ ମିନିଟ୍ ଗୋଲ୍ ଶୂନ୍ୟ ରହିବା ପରେ ସେହି ୨-୧ ସ୍କୋର ଲାଇନରେ ପ୍ରଥମାର୍ଧ ଶେଷ ହୋଇଥିଲା। ଚେନ୍ନାଇ ଦ୍ବିତୀୟାର୍ଧରେ ବିପଜ୍ଜନକ ଖେଳ ଖେଳିବାର ଫଳ ପାଇଥିଲା। ଉଭୟାର୍ଧରେ ଗୋଟିଏ ଲେଖାଏଁ ହଳଦିଆ କାର୍ଡ ପାଇବା ପରେ ଏହି ଦଳର ୧୨ ନମ୍ବର ଖେଳାଳି ଚାର୍ଲସ ଆନନ୍ଦରା୪୯ ମିନିଟରେ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେଥିପାଇଁ ଚେନ୍ନାଇ ବଳକା ୪୧ ମିନିଟ ଖେଳ ୧୦ ଜଣରେ ଖେଳିଥିଲା। ୫୬ ମିନିଟରେ ଚେନ୍ନାଇ ଖେଳାଳି କରିଥିବା ଫାଉଲ୍ ପାଇଁ ପୁନେ ଦ୍ବିତୀୟ ଗୋଲ୍ କରିବାକୁ ସକ୍ଷମ ହୋଇଥିଲା। ରେଫରି ପ୍ରଦାନ କରିଥିବା ପେନାଲ୍ଟିକୁ ସହଜରେ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ପୁନେର ଅଷ୍ଟ୍ରେଲୀୟ ଖେଳାଳି ମାର୍କୋ ଷ୍ଟାଙ୍କୋଭିକ ସ୍ଥିତି ୨-୨ କରି ଦେଇଥିଲେ। ମାତ୍ର ୬ ମିନିଟ୍ ପରେ ଚେନ୍ନାଇ ଏକ ଚମତ୍କାର ଗୋଲ୍‌ରେ ପୁଣି ଥରେ ୩-୨ରେ ଆଗୁଆ ହୋଇ ଯାଇଥିଲା। ପେନାଲ୍ଟିକୁ ଗୋଲ୍‌ରେ ରୂପାନ୍ତର କରି ପେଡ୍ରୋ ଜାଭିୟର ଚଳିତ ସୁପରକପର ପ୍ରଥମ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ୭୪ ମିନିଟରେ ଅନ୍ୟତମ ସ୍ପେନ୍ ତାରକା ସାଣ୍ଡ୍ରୋ ରୋଡ୍ରିଗ୍ବେଜ୍ ଏକ ଫିଲ୍ଡ ଗୋଲ୍ ଦେଇ ସ୍ଥିତି ୪-୨ କରିବା ପରେ ଚେନ୍ନାଇ ବିଜୟ ପକ୍କା ହୋଇ ଯାଇଥିଲା। ଶେଷ ୧୬ ମିନିଟରେ ପୁନେ ସିଟି ଆଉ ଗୋଲ୍ କରି ପାରି ନଥିଲା। ପେଡ୍ରୋ ଆଶାଜନକ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ନେରୋକା କହିଲା ନା
ଚଳିତ ସୁପର କପ୍ ଫୁଟବଲ୍‌ ପ୍ରତିଯୋଗିତାରୁ ଆଇ-ଲିଗ୍ ଦଳଗୁଡ଼ିକର ଓହରିବା ଧାରା ରବିବାର ମଧ୍ୟ ଜାରି ରହିଥିଲା। ଇଷ୍ଟ ବେଙ୍ଗଲ ଓ ମୋହନ ବାଗାନ ଭଳି ନେରୋକା ଦଳ ଭୁବନେଶ୍ବର ଆସିବ ନାହିଁ ବୋଲି ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲା । ରେନେଡି ସିଂହଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଏହି ଦଳ ପ୍ରେସ୍ ବିଜ୍ଞପ୍ତିରେ କହିଥିଲା ଭୁବନେଶ୍ବରରେ ଚାଲିଥିବା ସୁପରକପ୍-୨୦୧୯ରେ ଆମେ ଅଂଶ ଗ୍ରହଣ କରିବୁ ନାହିଁ। ଆଇ-ଲିଗର ଅସ୍ତିତ୍ବ ପାଇଁ ଆମେ ସାଥୀଦଳଗୁଡ଼ିକ ନେଇଥିବା ନିଷ୍ପତ୍ତିକୁ ସମ୍ମାନ ଜଣାଇବୁ। ସୂଚନାଯୋଗ୍ୟ ଯେ ସୁପରକପରେ ୧୦ ଆଇ-ଲିଗ୍ ଦଳ ଅଂଶଗ୍ରହଣ କରିବାର ଥିଲା। ହେଲେ ରବିବାର ସୁଦ୍ଧା ୬ ଦଳ ଓହରି ସାରିଲେଣି। ‌୨ ତାରିଖରେ ଅନ୍ୟତମ ଆଇଲିଗ୍ ଦଳ ଚର୍ଚିଲ ବ୍ରଦର୍ସର ମ୍ୟାଚ୍ ଅଛି। ଏହି ଦଳ ମଧ୍ୟ ସୁପରକପ୍ ବର୍ଜନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। କେବଳ ତିନିଟି ଆଇଲିଗ୍ ଦଳ ଇଣ୍ଡିଆନ୍ ଆରୋଜ୍, ଚେନ୍ନାଇ ସିଟି ଏଫସି ଓ ରିଅଲ କଶ୍ମୀର ଖେଳିବାକୁ ସମ୍ମତି ଦେଇଛନ୍ତି। ଆରୋଜ୍ ବିଦାୟ ନେଇ ସାରିଥିଲା ବେଳେ କଶ୍ମୀର ସୋମବାର ପଡ଼ିଆକୁ ଓହ୍ଲାଇବାର ଅଛି।

ସମ୍ବନ୍ଧିତ ଖବର