ଇଡେନ୍‌ରେ ଅଟକିଲା ଚେନ୍ନାଇ ଏକ୍ସପ୍ରେସ୍‌

କେକେଆର୍‌କୁ ଜିତାଇଲେ ଶୁଭମନ-କାର୍ତିକ

0 425

କୋଲ୍‌କାତା: କୋଲ୍‌କାତାରେ ଅଟକିଗଲା ଚେନ୍ନାଇ ଏକ୍ସପ୍ରେସ୍‌। ଆଇପିଏଲ୍‌-୧୧ର ୩୩ତମ ମ୍ୟାଚ୍‌ରେ ଗୁରୁବାର ଚେନ୍ନାଇ ସୁପର୍‌ କିଙ୍ଗ୍‌ସକୁ ୬ ଓ୍ଵିକେଟ୍‌ରେ ହରାଇ ଦେଇଛି ଘରୋଇ କୋଲ୍‌କାତା ନାଇଟ୍‌ ରାଇଡର୍ସ। ଏଥି ସହ ନବମ ମ୍ୟାଚ୍‌ରୁ କେକେଆର୍‌ ପଞ୍ଚମ ବିଜୟ ପାଇଥିବା ବେଳେ ଚେନ୍ନାଇ ସମାନ ନବମ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଛି। ସେହିଭଳି ଚଳିତ ବର୍ଷର ପ୍ରଥମ ମୁକାବିଲାରେ ୨୦୨ ରନ୍‌ କରି ୫ ଓ୍ଵିକେଟ୍‌ରେ ହାରିଥିବା କୋଲ୍‌କାତା ମଧ୍ୟ ଏହାର ମଧୁର ପ୍ରତିଶୋଧ ନେଇଛି। ପରାଜୟ ସହିତ ଚେନ୍ନାଇ ଶୀର୍ଷ ସ୍ଥାନରୁ ଖସିଯାଇଛି। ଉନ୍ନତ୍‌ ନେଟ୍‌ ରନ୍‌ ହାରରେ ହାଇଦ୍ରାବାଦ ଶୀର୍ଷକୁ ଉଠିଛି। ଇଡେନ୍‌ ଗାର୍ଡେନସରେ ୧୭୮ ରନ୍‌କୁ ପଶ୍ଚାତଧାବନ କରିଥିବା କେକେଆର୍‌ ପାଓ୍ଵାର ପ୍ଲେ ୬ ଓଭର ଭିତରେ ୨ ଓ୍ଵିକେଟ୍‌ (କ୍ରିସ୍‌ ଲିନ୍‌-୧୨ ଏବଂ ରବିନ୍‌ ଉଥପ୍ପା-୬) ହରାଇ ପ୍ରାରମ୍ଭିକ ଅଡୁଆରେ ପଡ଼ିଥିଲା। ସୁନୀଲ ନରିନ୍‌ (୩୨, ୨୦ ବଲ୍‌, ୪ ଚୌକା, ୨ ଛକା) ତାଙ୍କ କିମିଆ ପାଳିରେ ଚମକ ଛାଡ଼ିଥିଲେ। ଦୁଇ ଦୁଇ ଥର କ୍ୟାଚ୍‌ ହାତଛଡ଼ା କରିଥିଲେ ମଧ୍ୟ ତାଙ୍କ ଓ୍ଵିକେଟ୍‌ ନେଇଥିଲେ ରବୀନ୍ଦ୍ର ଜାଦେଜା। ଆହତ ନୀତିଶ ରାଣାଙ୍କ ବଦଳରେ ଖେଳିଥିବା ରିଙ୍କୁ ସିଂହ (୧୬)ଙ୍କୁ ହରଭନଜ ସିଂହ ବୋଲ୍‌ଡ କରି ଦେଇଥିଲେ। କିନ୍ତୁ ଯୁବ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳର ସଦସ୍ୟ ଶୁଭମନ ଗିଲ୍‌ ଏବଂ ଅଧିନାୟକ ଦୀନେଶ କାର୍ତିକଙ୍କ ବିସ୍ଫୋରକ ପାଳି ଓ ଭାଗୀଦାରି ଚେନ୍ନାଇ ଏକ୍ସପ୍ରେସ୍‌କୁ ଲାଇନ୍‌ଚ୍ୟୁତ କରି ଦେଇଥିଲା। ଶୁଭମନ ଗିଲ୍‌ (୫୭*, ୩୬ ବଲ୍‌, ୬ ଚୌକା, ୨ ଛକା) ଏବଂ ଦୀନେଶ କାର୍ତିକ (୪୫*, ୧୮ ବେଲ୍‌, ୭ ଚୌକା, ୧ ଛକା)ଙ୍କ ଦ୍ରୁତ ଭାଗୀଦାରି କୋଲ୍‌କାତାକୁ ସହଜ ବିଜୟ ଦେଇଥିଲା। ଅତୁଟ ପଞ୍ଚମ ଓ୍ଵିକେଟ୍‌ରେ ଉଭୟ ୩୬ ବଲ୍‌ରେ ୮୩* ରନ୍‌ ଯୋଡ଼ି କଷ୍ଟସାଧ୍ୟ ଲକ୍ଷ୍ୟକୁ ୨.୨ ଓଭର ପୂର୍ବରୁ ଶେଷ କରି ଦେଇଥିଲେ। ବ୍ରାଭୋଙ୍କୁ ଲଗାତାର ଚୌକା ମାରି କାର୍ତିକ ମ୍ୟାଚ୍‌ ଶେଷ କରିଥିଲେ। ୧୮ ବର୍ଷୀୟ ଶୁଭମନ ଗିଲ୍‌ ଚତୁର୍ଥ ସର୍ବକନିଷ୍ଠ ଖେଳାଳି ଭାବେ ଆଇପିଏଲ୍‌ ଅର୍ଧଶତକ ହାସଲ କରିଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ସୁନିଲ ନରିନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

Panda Mobile only

ପୂର୍ବରୁ ଇଡେନ୍‌ ଗାର୍ଡେନସରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ବିସ୍ଫୋରକ ଆରମ୍ଭ କରିଥିଲା। ସେନ୍‌ ଓ୍ଵାଟ୍‌ସନ୍‌ ଏବଂ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଫାପ୍‌ ଡୁ ପ୍ଲେସିସ୍‌ ପ୍ରଥମ ଓ୍ଵିକେଟ୍‌ ପାଇଁ ୫ ଓଭରରେ ୪୮ ରନ୍‌ ଉଠାଇଥିଲେ। ଡୁ ପ୍ଲେସିସ୍‌ କିନ୍ତୁ ଲେଗ୍‌ ସ୍ପିିନର୍‌ ପୀୟୂଷ ଚାଓ୍ଵଲାଙ୍କ ଦ୍ୱାରା ବୋଲ୍‌ଡ ହୋଇଯିବାରୁ ଚେନ୍ନାଇକୁ ପ୍ରଥମ ଝଟ୍‌କା ଲାଗିଥିଲା। ଡୁ ପ୍ଲେସିସ୍‌ ୧୫ ବଲ୍‌ରୁ ୨୭ ରନ୍‌ କରିଥିଲେ। ଏହା ମଧ୍ୟରେ ୪ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଏହା ପରେ ସୁରେଶ ରାଇନା (୩୧ ରନ, ୨୬ ବଲ୍‌ , ୪ ଚୌକା) ଏବଂ ସେନ୍‌ ଓ୍ଵାଟ୍‌ସନ୍‌ (୩୬ ରନ, ୨୫ ବଲ୍‌, ୪ ଚୌକା, ୨ ଛକା) ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ୪୩ ରନ୍‌ ଯୋଡ଼ିଥିଲେ। ଅମ୍ବାତି ରାୟୁଡୁ (୨୧ ରନ, ୧୭ ବଲ୍‌, ୩ ଚୌକା) ଛୋଟିଆ ପାଳି ଖେଳିଥିଲେ ମଧ୍ୟ ୨୪ ଘଣ୍ଟା ଭିତରେ ଋଷବ ପନ୍ତ (୩୭୫ ରନ୍‌)ଙ୍କଠୁ କମଳା ଟୋପି ଛଡ଼ାଇ ନେଇଥିଲେ। ରାୟୁଡୁଙ୍କ ମୋଟ ରନ୍‌ ଏବେ ୩୯୧ରେ ପହଞ୍ଚିଛି। ରାୟୁଡୁଙ୍କ ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୪୩* ରନ୍‌, ୨୫ ବଲ୍‌, ୧ ଚୌକା, ୪ ଛକା) ମଧ୍ୟ ତାଙ୍କ ଲଗାତାର ଅପରାଜିତ ପାଳି ଖେଳିଥିଲେ। ଚୌକା ସହିତ ପାଳି ଶେଷ କରି ସେ ଦଳୀୟ ସ୍କୋର୍‌କୁ ୧୭୭ ରନ୍‌ରେ ପହଞ୍ଚାଇଥିଲେ। ରବୀନ୍ଦ୍ର ଜାଦେଜା ୧୨ ବଲ୍‌ରୁ ୧୨ ରନ୍‌ କରି ନିଜ ଖ୍ୟାତି ମୁତାବକ ପ୍ରଦର୍ଶନ କରିନଥିଲେ। କେକେଆର୍‌ର ଅଷ୍ଟ୍ରେଲୀୟ ବାମହାତୀ ବୋଲର୍‌ ମିଚେଲ୍‌ ଜନ୍‌ସନ୍‌ ୧୨ରୁ ଅଧିକ ହାରରେ ମୋଟ ୫୧ ରନ୍‌ ବ୍ୟୟ କରିଥିଲେ। କିନ୍ତୁ ଘରୋଇ ଦଳର େଓ୍ଵଷ୍ଟଇଣ୍ଡିଜ୍‌ ବୋଲର ସୁନୀଲ ନରିନ୍‌ (୪-୦-୨୦-୨) ସବୁଠୁ ସଫଳ ତଥା ମିତ୍ତବ୍ୟୟୀ ବୋଲର ରହିଥିଲେ। ସାଥୀ ସ୍ପିନର୍‌ ପୀୟୂଷ ଚାଓ୍ଵଲା ମଧ୍ୟ ନେଇଥିଲେ ୨ ଓ୍ଵିକେଟ୍‌ କିନ୍ତୁ ଦେଇଥିଲେ ୩୫ ରନ୍‌।

ସଂକ୍ଷିପ୍ତ ସ୍କୋର୍‌: ଚେନ୍ନାଇ ସୁପର୍‌ କିଙ୍ଗ୍‌ସ: ୨୦ ଓଭରରେ ୧୭୭/୫ (ମହେନ୍ଦ୍ର ସିଂହ ଧୋନି-୪୩*, ସେନ୍‌ ଓ୍ଵାଟ୍‌ସନ୍‌-୩୬, ଫ୍ଲାପ୍‌ ଡୁ ପ୍ଲେସିସ୍‌-୨୭, ଅମ୍ବାତି ରାୟୁଡୁ-୨୧, ସୁନୀଲ ନରିନ୍‌-୨/୨୦, ପୀୟୂଷ ଚାଓ୍ଵଲା-୨/୩୫, କୁଲଦୀପ ଯାଦବ-୧/୩୪)। କୋଲ୍‌କାତା ନାଇଟ୍‌ ରାଇଡର୍ସ: ୧୭.୪ ଓଭରରେ ୧୮୦/୪ (ଶୁଭମନ ଗିଲ୍‌-୫୭*, ଦୀନେଶ କାର୍ତିକ-୪୫*, ସୁନୀଲ ନରିନ-୩୨, ହରଭଜନ ସିଂହ-୧/୨୦, କେଏମ୍‌ ଅସିଫ୍‌-୧/୩୨, ଲୁଙ୍ଗି ଏନ୍‌ଗିଡି-୧/୩୬, ରବୀନ୍ଦ୍ର ଜାଦେଜା-୧/୩୯)।

ସମ୍ବନ୍ଧିତ ଖବର

Leave A Reply

Your email address will not be published.