ଆଇଏସ୍‌ଏଲ୍‌: ଫୁଟ୍‌ବଲ୍‌ ପ୍ରତିଭାର କାରଖାନା ଚେନ୍ନାୟିନ ଏଫ୍‌ସି

ଭୁବନେଶ୍ବର: ଗତ ଘରୋଇ ଫୁଟ୍‌ବଲ୍‌ ଋତୁ ଚେନ୍ନାୟିନ ଏଫ୍‌ସି ପାଇଁ ଥିଲା ପାଶୋରି ଦେବା ଭଳି। ପୂର୍ବ ବର୍ଷର ବିଜେତା ହିସାବରେ ସେମାନେ ଅଭିଯାନ ଆରମ୍ଭ କରିବାପରେ ଭାଗ୍ୟର ଏମିତି ବିପର୍ଯ୍ୟୟ ଘଟିଲା ଯେ ପ୍ରଶିକ୍ଷକ ଜନ ଗ୍ରେଗୋରୀ ମଧ୍ୟ ଅସହାୟ ଜଣାପଡ଼ିଲେ। ତାଙ୍କର ସମସ୍ତ ଉଦ୍ୟମ ସତ୍ତ୍ୱେ ଚେନ୍ନାୟିନ ଏଫ୍‌ସି ଦଶ ଦଳ ବିଶିଷ୍ଟ ହିରୋ ଇଣ୍ଡିଆନ ସୁପର ଲିଗର ଚୂଡ଼ାନ୍ତ ତାଲିକାରେ ସର୍ବନିମ୍ନ ସ୍ଥାନରେ ରହିଲା। ଦୁଇଥର ବିଜେତା ହୋଇଥିବା ଏହି କ୍ଲବ୍‌ ପାଇଁ ଏହା ଥିଲା ସବୁଠାରୁ ଖରାପ ଋତୁ। ତେବେ ଚଳିତ ମାସରେ ପ୍ରତିଯୋଗିତାର ଷଷ୍ଠ ସିଜନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ପୂର୍ବତନ ବିଜେତା ଦଳ ନିଶ୍ଚିତ ଭାବେ ତାର ପୂର୍ବ ଶ୍ରେଷ୍ଠ ଫର୍ମ ଫେରିପାଇବାକୁ ଲକ୍ଷ୍ୟ ରଖିବା।

ଚେନ୍ନାୟିନର ଆଇଏସଏଲ ଯାତ୍ରାରେ ଉତଥାନ ପତ୍ତନ ସବୁକିଛି ରହିଆସିଛି I ଏହା କେବଳ ପଡିଆ ଭିତରର ଫଳାଫଳରେ ସୀମିତ ନୁହେଁ I ୨୦୧୪ ରେ ଆଇଏସଏଲ ଆରମ୍ଭ ହେବାଠାରୁ ଯୁବ ଖେଳାଳିଙ୍କୁ ଭରସା କରିବା ଏବଂ ସେମାନଙ୍କ ବିକାଶ ଲାଗି ଧ୍ୟାନ ଦେବା କ୍ଷେତ୍ରରେ ଅଭିଷେକ ବଚ୍ଚନ, ମହେନ୍ଦ୍ର ସିଂହ ଧୋନି ଓ ଭିଟା ଡାନିଙ୍କ ମିଳିତ ମାଲିକାନାରେ ପରିଚାଳିତ ଚେନ୍ନାୟିନ ଏଫସି ଅନ୍ୟ କୌଣସି ଦଳଠାରୁ ପଛରେ ପଡ଼ିନାହିଁ। ଆଇଏସ୍‌ଏଲ୍‌ର ପ୍ରଥମ ଦୁଇ ବର୍ଷରେ ଚେନ୍ନାୟିନ ଏଫ୍‌ସି ନିଖିଳ ଭାରତ ଫୁଟ୍‌ବଲ୍‌ ଫେଡେରେସନ (ଏଆଇଏଫଏଫ) ଏକାଡେମିର ପାଞ୍ଚଜଣଙ୍କୁ ଦଳରେ ସାମିଲ କରିବା ଏବଂ ନିଜ ଖର୍ଚ୍ଚରେ ସେମାନଙ୍କୁ ତାଲିମ ପାଇଁ ଏଫସି ମେଜ଼କୁ ପଠାଇବା ଲାଗି ସମସ୍ତ ସାମର୍ଥ୍ୟ ଖଟାଇ ଦେଇଥିଲା। ତିନିବର୍ଷ ଭିତରେ ଏହି ପାଞ୍ଚଜଣ ଯୁବ ଖେଳାଳିଙ୍କର ଉଲ୍ଲେଖନୀୟ ବିକାଶ ଘଟିବା ଯୋଗୁ ସେମାନଙ୍କ ପଛରେ ଖର୍ଚ୍ଚ କରାଯାଇଥିବା ଅର୍ଥ ଯଥାର୍ଥ ପ୍ରମାଣିତ ହୋଇଛି।

ଏହି ପାଞ୍ଚଜଣ ପ୍ରତିଭାସମ୍ପନ୍ନ ଖେଳାଳି ହେଲେ ଅନିରୁଦ୍ଧ ଥାପା, ଜେରି ଲାଲରିଞ୍ଜୁଆଲା, ବାଓରିଂଡାଓ ବୋଡୋ, ବେଦେଶ୍ୱର ସିଂହ ଓ ପ୍ରସେନ୍‌ଜିତ ଚକ୍ରବର୍ତ୍ତି। ଏବେ ଏହି ପାଞ୍ଚଜଣ ନିୟମିତ ପେସାଦାର ଫୁଟ୍‌ବଲ୍‌ ଖେଳୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣ (ଥାପା ଓ ଲାଲରିଞ୍ଜୁଆଲା) ଚେନ୍ନାୟିନ ଏଫସିରେ ମୁଖ୍ୟ ଦଳର ପ୍ରତିନିଧିତ୍ବ କରୁଛନ୍ତି। ଗତ ସିଜନରେ ଥାପା ୩୪ଟି ଲିଗ୍‌ ମ୍ୟାଚ୍‌ ଖେଳି ନିଜେ ଦୁଇଟି ଗୋଲ୍‌ ସ୍କୋର୍‌ କରିଥିବା ବେଳେ ଆଉ ୩ଟି ଗୋଲ୍‌ ଦେବାରେ ଅନ୍ୟକୁ ସାହାଯ୍ୟ କରିଥିଲେ। ବିଦେଶରେ ତାଲିମ ନେଇ ଫେରିବା ପରେ ଲାଲରିଞ୍ଜୁଆଲା ଆଇଏସଏଲରେ ୩୬୫୮ ମିନିଟ୍‌ ଖେଳ ପ୍ରଦର୍ଶନ କରିଛନ୍ତି ଏବଂ ସେଥିମଧ୍ୟରେ ଲେଫ୍ଟ-ବ୍ୟାକ ସ୍ଥାନରେ ତାଙ୍କର ଗୋଟିଏ ଗୋଲ୍‌ ଓ ୪ଟି ସହାୟତା ରହିଛି।

ଗତବର୍ଷ ସେପ୍ଟେମ୍ବର ମାସରେ ଚେନ୍ନାୟିନ ଏଫ୍‌ସି ଆଉ ତିନିଜଣ ଏଆଇଏଫ୍‌ଏଫ୍‌ ଯୁବ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିଛି। ସମସ୍ତ ତିନିଜଣଙ୍କ ବୟସ ୨୦ ବର୍ଷରୁ କମ ଏବଂ ସେମାନେ ହେଲେ ରହିମ ଅଲି, ଅଭିଜିତ ସରକାର ଓ ଦୀପକ ଟାଙ୍ଗରି। ‘ଆମେ ଗର୍ବିତ ଯେ ଆମ ପାଖରେ ଦେଶର ସବୁ ଜାତୀୟ ଦଳରୁ ୧୩ ଜଣ ଖେଳାଳି ଅଛନ୍ତି। ରହିମ, ଅଭିଜିତ ଓ ଦୀପକଙ୍କୁ ଚୁକ୍ତିବଦ୍ଧ କରିବା ଯୁବ ବିକାଶ ଦିଗରେ ଆମ ପ୍ରତିବଦ୍ଧତାର ଆଉ ଏକ ପ୍ରମାଣ’ ବୋଲି କହନ୍ତି ଦଳର ସହ-ମାଲିକ ଭିଟା ଡାନି। ଯୁବ ଖେଳାଳିମାନଙ୍କ ମଧ୍ୟରୁ ଥାପା ଉଭୟ କ୍ଲବ୍‌ ଓ ଦେଶ ପାଇଁ ଆବିଷ୍କାର ପାଲଟିଛନ୍ତି। ତାଙ୍କର ଆକର୍ଷଣୀୟ ପ୍ରଦର୍ଶନ ଯୋଗୁ ସେ ଦେଶର ଶ୍ରେଷ୍ଠ ଯୁବ ପ୍ରତିଭାମାନଙ୍କ ମଧ୍ୟରୁ ଜଣେ ବୋଲି ଗଣା ହେଉଛନ୍ତି। ସେହିପରି ୨୦୧୮ ରେ ଚେନ୍ନାୟିନ ଏଫ୍‌ସିର ମୁକୁଟ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଲେଫ୍ଟ-ବ୍ୟାକ ଲାଲରିଞ୍ଜୁଆଲା ଆଗକୁ ଭାରତର ଜଣେ ଭଲ ଫୁଲ-ବ୍ୟାକ ବନିପାରିବେ।

ଅନ୍ୟମାନେ ନିଜ ନିଜକୁ ବିଭିନ୍ନ ଦଳରେ ପ୍ରତିଷ୍ଠିତ କରିପାରିଛନ୍ତି। ପ୍ରସେନଜିତ ଚକ୍ରବର୍ତ୍ତି ମିନର୍ଭା ପଞ୍ଜାବରେ, ବେଦଶ୍ୱର ସିଂ ଟ୍ରାଉ ଏଫସିରେ ଏବଂ ବାଓରିଂଡାଓ ବୋଡୋ ମିନର୍ଭା ପଞ୍ଜାବ, ଗୋକୁଳମ କେରଳ ଓ କେରଳ ବ୍ଲାଷ୍ଟର୍ସରେ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଏସବୁ କେବଳ ଚେନ୍ନାୟିନ ଏଫ୍‌ସିର ଉଦ୍ୟମ ଯୋଗୁ ସମ୍ଭବ ହୋଇଛି। ଯୁବ ଖେଳାଳିଙ୍କ ଉପରେ ଆସ୍ଥା ଏହାକୁ ଅନ୍ୟ କ୍ଲବଗୁଡ଼ିକଠାରୁ ନିଆରା ପ୍ରତିପାଦିତ କରିଛି।

ସମ୍ବନ୍ଧିତ ଖବର