ଚେନ୍ନାଇର ପ୍ରଥମ ପରାଜୟ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଗତବର୍ଷ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ପରାଜୟ ବରଣ କରିଛି। ପୂର୍ବବିଜେତା ମୁମ୍ବାଇ ଇଣ୍ଡିଆନ୍ସ ହିଁ ଏହି ଦଳର ବିଜୟ ଧାରାକୁ ରୋକି ଦେଇଛି। ପ୍ରଥମ ତିନିଟି ମ୍ୟାଚ୍ ଜିତି ହ୍ୟାଟ୍ରିକ୍ ହାସଲ କରିଥିବା ଚେନ୍ନାଇ ବୁଧବାର ମୁମ୍ବାଇ ବିପକ୍ଷ ଚତୁର୍ଥ ମୁକାବିଲାକୁ ୩୭ ରନ୍‌ରେ ହାରିଛି। ମୁମ୍ବାଇ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଏହି ଦଳ ୮ ୱିକେଟ୍ ବିନିମୟରେ ମାତ୍ର ୧୩୩ ରନ୍ କରି ପାରିଛି। ଶେଷ ୫ ଓଭରରେ ୭୭ ରନ୍ ବ୍ୟୟ କରିବା ଶେଷରେ ଚେନ୍ନାଇ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଚେନ୍ନାଇ ଆଜିର ପରାଜୟ ପରେ ପଏଣ୍ଟ ତାଲିକାର ଦ୍ବିତୀୟକୁ ଖସିଛି। ସେପଟେ ମୁମ୍ବାଇ ଦ୍ବିତୀୟ ବିଜୟ ପାଇଛି। ହାର୍ଦିକ ପାଣ୍ଡ୍ୟା ତାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେ‌ଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
୧୭୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଚେନ୍ନାଇ ପ୍ରଥମ ଦୁଇ ଓଭରରେ ଅମ୍ବାତି ରାୟୁଡୁ (୦) ଓ ସେନ୍ ୱାଟସନ୍ (୫)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ରାୟୁଡୁ ଖାତା ଖୋଲିବା ପୂର୍ବରୁ ଜାସନ ବେହେରନଡ୍ରଫଙ୍କ ଶିକାର ହୋଇଥିଲେ। ମାତ୍ର ୪ ବଲ୍ ପରେ ଲସିଥ ମାଲିଙ୍ଗାଙ୍କ ଷ୍ଟମ୍ପ ବାହାରେ ଥିବା ବଲ୍‌କୁ କିରଣ ପୋଲାର୍ଡଙ୍କ ହାତକୁ ଦେଇ ୱାଟସନ୍ ପ୍ୟାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ। ଆଇପିଏଲ୍‌ର ସର୍ବାଧିକ ରନ୍ ସଂଗ୍ରହକାରୀ ସୁରେଶ ରାଇନା (୧୬) ମଧ୍ୟ ବେହେରନଡ୍ରଫ୍‌ଙ୍କ ବଲ୍‌କୁ ତଳେ ରଖି ନପାରି ପୋଲାର୍ଡଙ୍କ ହାତରେ ଧରା ପଡ଼ିଥିଲେ। ୩୩ ରନ୍‌ରେ ୩ ୱିକେ‌ଟ୍‌ର ପତନ ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୧୨) ଓ କେଦାର ଯାଦବ(୫୮) ବଡ଼ ଭାଗୀଦାରି କରିବାକୁ ପ୍ରୟାସ କରିଥିଲେ। ହେଲେ ହାର୍ଦିକ ପାଣ୍ଡ୍ୟା ଏହା କରାଇ ଦେଇ ନଥିଲେ। ଗୋଟିଏ ଓଭରରେ ଧୋନି ଓ ରବୀନ୍ଦ୍ର ଜାଦେଜା (୧)ଙ୍କ ୱିକେଟ୍ ନେଇ ସେ ଚେନ୍ନାଇ ରନ୍ ଚେଜ୍‌କୁ ପୂରା କଷ୍ଟକର କରି ଦେଇଥିଲେ। ଧୋନିଙ୍କୁ ସର୍ଟ ବଲ୍‌ରେ ଚକ୍‌ମା ଦେବା ପରେ ଜାଦେଜାଙ୍କୁ ୱିକେଟ୍ ରକ୍ଷକ ଡି’କକଙ୍କ ହାତରେ କ୍ୟାଚ୍ କରାଇ ପାଣ୍ଡ୍ୟା ମୁମ୍ବାଇ ପଲ୍ଲା ଭାରି କରି ଦେଇଥିଲେ। ଏହା ପରେ କେଦାରଙ୍କ କମାଲରେ ମାଲିଙ୍ଗା ପୂର୍ଣ୍ଣଛେଦ ଟାଣିଥିଲେ। ଡ୍ବେନ୍ ବ୍ରାଭୋ (୮) ଓ ଦୀପକ ଜହର (୭) ବି ନିରାଶ କରିଥିଲେ। ଫଳରେ ଚେନ୍ନାଇ ବିଜୟ ଆଶା ମଉଲି ଯାଇଥିଲା। ଏହି ଦଳ ନିର୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୩ ରନ୍ କରି ପାରିଥିଲା।
ବୁଧବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ମନ୍ଥର ଆରମ୍ଭ କରିଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ବିଣ୍ଟନ୍ ଡି’ କକ୍ (୪) ଏବଂ ରୋହିତ ଶର୍ମା (୧୩) ୪୫ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ଏହାର ପ୍ରମୁଖ କାରଣ ଥିଲା। ଯୁବରାଜ ସିଂହ (୪) ମଧ୍ୟ ବିଶେଷ କିଛି କରି ପାରି ନଥିଲେ। ଏହା ପରେ ଦୁଇ ଯୁବତାରକା ସୂର୍ଯ୍ୟକୁମାର ଯାଦବ (୫୯ ରନ୍, ୪୩ ବଲ୍, ୮ ଚୌକା, ୧ ଛକା) ଓ କ୍ରୁନାଲ ପାଣ୍ଡ୍ୟା (୪୨ ରନ୍, ୩୨ ବଲ୍, ୫ ଚୌକା, ୧ ଛକା) ଧିରେ ଧିରେ ପାଳିକୁ ଆଗେଇ ନେଇଥିଲେ। ଉଭୟ ଚତୁର୍ଥ ୱିକେଟ୍‌ରେ ୬୨ ରନ୍ ଯୋଡ଼ିଥିଲେ। ଯାହା ମୁମ୍ବାଇର ସର୍ବବୃହତ୍ ଭାଗୀଦାରି ଥିଲା। ମୁମ୍ବାଇ ପ୍ରଥମ ୬ ଓଭରର ପାୱାର ପ୍ଲେରୁ ମାତ୍ର ୪୦ ରନ୍ କରିବା ସହ ୧୫.୪ ଓଭରରେ ୧୦୦ ରନ୍ ଛୁଇଁଥିଲା। ଫଳରେ ଏହି ଦଳ ଦେଢ଼ ଶହ ରନ୍ ତଳେ ଅଟକି ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ଡ୍ବେନ୍ ବ୍ରା‌ଭୋଙ୍କ ଶେଷ ଓଭରରୁ ହାର୍ଦିକ ପାଣ୍ଡ୍ୟା (୨୫* ରନ୍, ୮ ବଲ୍, ୧ ‌ଚୌକା, ୩ ଛକା) ଓ କିରଣ ପୋଲାର୍ଡ (୧୭* ରନ୍, ୭ ବଲ୍, ୨ ଛକା) ୨୯ ରନ୍ ଅମଳ କରି ସ୍କୋରକୁ ୧୭୦ ରନ୍‌ରେ ପହଞ୍ଚାଇ ଦେଇଥିଲେ। ଏକଦା ସଂଘର୍ଷ କରୁଥିବା ମୁମ୍ବାଇ ହାର୍ଦିକ ଓ ପୋଲାର୍ଡଙ୍କ ପରାକ୍ରମ ପାଇଁ ଶେଷ ୨୬ ବଲ୍‌ରୁ ୭୦ ରନ୍ ସଂଗ୍ରହ କରି ନେଇଥିଲା।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୭୦/୫ (ସୂର୍ଯ୍ୟ କୁମାର ଯାଦବ-୫୯, କ୍ରୁନାଲ ପାଣ୍ଡ୍ୟା-୪୨, ହାର୍ଦିକ ପାଣ୍ଡ୍ୟା-୨୫*, କିରଣ ପୋଲାର୍ଡ-୧୭*, ଦୀପକ ଚହର- ୧/୨୧, ଇମ୍ରାନ ତାହିର-୧/୨୫, ରବୀନ୍ଦ୍ର ଜାଦେଜା-୧/୧୦, ଡ୍ବେନ୍‌ ବ୍ରାଭୋ- ୧/୪୯)। ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୧୩୩/୫ (କେଦାର ଯାଦବ-୫୮, ସୁରେଶ ରାଇନା-୧୬, ହାର୍ଦିକ ପାଣ୍ଡ୍ୟା- ୩/୨୦, ଲସିଥ ମାଲିଙ୍ଗା-୩/୩୪, ଜାସନ ବେହେରନ୍‌ଡ୍ରଫ୍‌- ୨/୨୨।

ସମ୍ବନ୍ଧିତ ଖବର