ଫାଇନାଲ୍‌ରେ ଚେନ୍ନାଇ:ହାଇଦ୍ରାବାଦ ହାତରୁ ଟିକେଟ୍‌ ଛଡ଼ାଇନେଲେ ଡୁପ୍ଲେସିସ୍‌

ମୁମ୍ବାଇ,: ସୁପରକିଙ୍ଗ୍ସ ଆଗରେ ସନ୍‌ରାଇଜର୍ସର ତେଜ ଫିକା ପଡ଼ିଗଲା। ସନ୍‌ରାଇଜର୍ସ ଗୋଟିକ ପରେ ଗୋଟିଏ ଓ୍ଵିକେଟ୍‌ ନେଇ ସୁପରକିଙ୍ଗ୍ସ ଉପରେ ପ୍ରବଳ ଚାପ ସୃଷ୍ଟି କରିଥିଲେ ମଧ୍ୟ ଶେଷ ୩ ଓଭରରେ ସବୁ କିଛି ଓଲଟ ପାଲଟ ହୋଇଥିଲା। ଫାଫ୍‌ ଡୁ ପ୍ଲେସିସ୍‌ (୬୭* ରନ୍‌, ୪୨ ବଲ୍‌, ୫ ଚୌକା, ୪ ଛକା)ଙ୍କ ଅପରାଜିତ ଏବଂ ଅବିସ୍ମରଣୀୟ ଅର୍ଧଶତକ ହିଁ ସୁପରକିଙ୍ଗ୍ସକୁ ଫାଇନାଲ୍‌ ନେଲା। ସେହିଭଳି ସାର୍ଦୁଲ ଠାକୁରଙ୍କ ଭାଗ୍ୟଶାଳୀ ୧୫* ରନ୍‌ (୫ ବଲ୍‌, ୩ ଚୌକା) ମଧ୍ୟ ସୁପରକିଙ୍ଗ୍ସର ଫାଇନାଲ୍‌ ଟିକେଟ ହାସଲ କରିବାରେ ନିର୍ଣ୍ଣାୟକ ଭୂମିକା ନେଲା। ଶେଷ ଓଭରରୁ ବିଜୟ ପାଇଁ ୬ ରନ୍‌ର ଦରକାର ଥିଲା ବେଳେ ଭୁବନେଶ୍ୱର କୁମାରଙ୍କ ପ୍ରଥମ ବଲ୍‌କୁ ଡୁପ୍ଲେସିସ୍‌ ଛକା ମାରି ଚେନ୍ନାଇ ବିଜୟ ଏବଂ ସପ୍ତମ ଥର ଫାଇନାଲ୍‌ ପ୍ରବେଶକୁ ପକ୍କା କରିନେଲେ।
ମଙ୍ଗଳବାର ଆଇପିଏଲ୍‌-୧୧ର ପ୍ରଥମ କ୍ୱାଲିଫାୟରରେ ଟେବୁଲ ଟପର ସନ୍‌ରାଇଜର୍ସ ହାଇଦ୍ରାବାଦ ପୂର୍ବ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ସମ୍ମୁଖରେ ୧୪୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ୧୧୩ ରନ୍‌ରେ ୮ ଓ୍ଵିକେଟ୍‌ ହରାଇବା ପରେ ଚେନ୍ନାଇ ହାତରୁ ମ୍ୟାଚ୍‌ ଖସିଗଲା ଭଳି ମନେ ହୋଇଥିଲା। ହେଲେ କ୍ରେଗ୍‌ ବ୍ରାଥ୍‌େଓ୍ଵଟ ବୋଲିଂ କରିଥିବା ଅଷ୍ଟାଦଶ ଓଭରରୁ ୨୩ ରନ୍‌ ନେଇ ଡୁ ପ୍ଲେସିସ୍‌ ମ୍ୟାଚ୍‌ର ମୋଡ଼କୁ ନାଟକୀୟ ଭାବେ ବଦଳାଇ ଦେଇଥିଲେ। ଏହାପରେ ସିଦ୍ଧାର୍ଥ କୌଲଙ୍କ ଊନ୍ନବିଂଶ ଓଭରର ପ୍ରଥମ ଦୁଇ ବଲ୍‌କୁ ଚୌକା ମାରି ସାର୍ଦୁଲ ଚେନ୍ନାଇକୁ ବିଜୟର ନିକଟତର କରାଇ ଦେଇଥିଲେ। ହେଲେ ଛୋଟିଆ ବିଜୟ ଲକ୍ଷ୍ୟ ଦେବା ପରେ ତାରକା ଖଚିତ ଚେନ୍ନାଇର ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ଏକଅଙ୍କରେ ଆଉଟ୍‌ କରି ହାଇଦ୍ରାବାଦ ବୋଲିଂ ବାହିନୀ ସମସ୍ତଙ୍କ ମନ ଜିଣି ନେଇଥିଲା।

ଜୋର୍‌ଦାର ଲଢ଼େଇ କରି ମଧ୍ୟ ହାଇଦ୍ରାବାଦ ଶେଷରେ ୨ ଓ୍ଵିକେଟ୍‌ରେ ପରାଜିତ ହୋଇ ଫାଇନାଲ୍‌ ପ୍ରବେଶର ପ୍ରଥମ ସୁଯୋଗ ହାତଛଡ଼ା କଲା। ତେବେ ଏହି ଦଳର ଅଭିଯାନ ଶେଷ ହୋଇ ନାହିଁ। ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ଲାଗି ଏହାକୁ ଆଉ ଏକ ସୁଯୋଗ ମିଳିବ। ଫାଇନାଲ୍‌ର ଦ୍ୱିତୀୟ ତଥା ଶେଷ ସ୍ଥାନ ପାଇଁ ଦ୍ୱିତୀୟ କ୍ୱାଲିଫାୟରରେ ହାଇଦ୍ରାବାଦ ବୁଧବାର ରଏଲିମିନେଟର ମ୍ୟାଚ୍‌ର ବିଜେତାକୁ ଶୁକ୍ରବାର ଭେଟିବ। ଡୁ ପ୍ଲେସିସଙ୍କୁ ତାଙ୍କ ମ୍ୟାଚ୍‌ ବିଜୟୀ ତଥା ନବମ ଆଇପିଏଲ୍‌ ଅର୍ଧଶତକ ପାଇଁ ଆଜିର ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ଏହା ପୂର୍ବରୁ ହାଇଦ୍ରାବାଦର ଆରମ୍ଭ ପୂରା ବିପର୍ଯ୍ୟୟଭରା ଥିଲା। ଜବରଦସ୍ତ ଫର୍ମରେ ଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନଙ୍କୁ ପ୍ରଥମ ବଲ୍‌ରେ ହରାଇବାର ଝଟ୍‌କାରୁ ଏହି ଦଳ ସମ୍ଭବତଃ ଆଉ ବାହାରି ପାରି ନଥିଲା। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ (୨୪) ଓ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶ୍ରୀବତ୍ସ ଗୋସ୍ୱାମୀଙ୍କୁ ମଧ୍ୟ ଚେନ୍ନାଇ ବୋଲର ସଅଳ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ସେଥିପାଇଁ ପାଓ୍ଵାର ପ୍ଲେ’ର ୬ ଓଭରରେ ହାଇଦ୍ରାବାଦ ୩ ଓ୍ଵିକେଟ୍‌ ବିନିମୟରେ ମାତ୍ର ୪୭ ରନ୍‌ କରି ପାରିଥିଲା। ଏହା ପରେ ମଧ୍ୟ ଓ୍ଵିକେଟ୍‌ ପତନ ଧାରା ଜାରି ରହିଥିଲା। ଚେନ୍ନାଇ ବୋଲରମାନେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ନେଇ ଏହି ଦଳର ରନ୍‌ ସଂଗ୍ରହ ହାରକୁ ଏକବାର କମାଇ ଦେଇଥିଲେ। ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ େଓ୍ଵଷ୍ଟଇଣ୍ଡିଜ୍‌ ତାରକା କ୍ରେଗ୍‌ ବ୍ରାଥେଓ୍ଵଟ୍‌ ଯାହା କିଛି ସମୟ ପାଇଁ ସେମାନଙ୍କ ଉଚିତ ମୁକାବିଲା କରି ପାରିଥିଲେ। ସପ୍ତମ ସ୍ଥାନରେ ଆସିଥିବା ବ୍ରାଥେଓ୍ଵଟ୍‌ ୨୯ ବଲ୍‌ରୁ ଗୋଟିଏ ଚୌକା ଓ ଚାରିଟି ଛକା ବଳରେ ୪୩* ରନ୍‌ କରିବା ପରେ ହାଇଦ୍ରାବାଦ ନିର୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୩୯ ରନ୍‌ କରିଥିଲା। ତା’ ସହ ୧୦୦ ରନ୍‌ ତଳେ ଅଟକି ଯିବାର ଆଶଙ୍କାକୁ ମଧ୍ୟ ଟାଳି ପାରିଥିଲା।
ସଂକ୍ଷିପ୍ତ ସ୍କୋର: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୩୯/୭ ( କ୍ରେଗ୍‌ ବ୍ରାଥେଓ୍ଵଟ୍‌ ୪୩*, ୟୁସୁଫ ପଠାନ ୨୪, କେନ୍‌ ଓ୍ଵିଲିୟମସନ୍‌ ୨୪, ଡେ୍ଵନ୍‌ ବ୍ରାଭୋ ୨/୨୫, ରବୀନ୍ଦ୍ର ଜାଦେଜା ୧/୧୩)। ଚେନ୍ନାଇ ସୁପରକିଙ୍ଗ୍ସ ୧୯.୧ ଓଭରରେ ୧୪୦/୮ ( ଫାଫ୍‌ ଡୁ ପ୍ଲେସିସ୍‌ ୬୭*, ସାର୍ଦୁଲ ଠାକୁର ୧୫*, ସୁରେଶ ରାଇନା ୨୨, ରସିଦ ଖାନ୍‌ ୨/୧୧, ସନ୍ଦୀପ ଶର୍ମା ୨/୩୦, ସିଦ୍ଧାର୍ଥ କୌଲ ୨/୩୨।

ସମ୍ବନ୍ଧିତ ଖବର