ବେଙ୍ଗାଲୁରୁକୁ ହରାଇ ସେମିରେ ଚେନ୍ନାଇ

ଭୁବନେଶ୍ବର: ‌ଆଇଲିଗ୍ ବିଜେତା ଚେନ୍ନାଇ ସିଟି ଏଫ୍‌ସି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପର କପ୍ ଫୁଟବଲ୍ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଚେନ୍ନାଇ ଚମକପ୍ରଦ ଖେଳ ଖେଳି ୨-୧ ଗୋଲ୍‌ରେ ଶକ୍ତିଶାଳୀ ବେଙ୍ଗାଲୁରୁ ଏଫସିକୁ ପରାସ୍ତ କରିଦେଇଛି। ଗତ ଥର ବିଜେତା ବେଙ୍ଗାଲୁରୁ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ ନେତୃତ୍ବରେ ଖେଳୁଥିଲା। ଶେଷରେ ଚେନ୍ନାଇର ଦଳଗତ ଖେଳ ଆଗରେ ହାର ମାନିଥିଲା। ଗୋଲ୍ ରକ୍ଷକ ମୌରୋ ବୋର୍ଚିଓ ‌ଚେନ୍ନାଇ ବିଜୟର ମୁଖ୍ୟ ନାୟକ ଥିଲେ। ପୂରା ମ୍ୟାଚ୍‌ରେ ବେଙ୍ଗାଲୁରୁ ଅଗ୍ରଭାଗ ଆଗରେ ପାଚେରି ଭଳି ଛିଡ଼ା ହୋଇ ସେ ହିଁ ଚେନ୍ନାଇ ବିଜୟକୁ ପକ୍କା କରିଥିଲେ। ଆଶାଜନକ ଭାବେ ସେ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେପଟେ ୬୪ ମିନିଟ୍ ପର୍ଯ୍ୟନ୍ତ ନିଜ ପ୍ରଥମ ଗୋଲ୍ ଦେବାକୁ ଅପେକ୍ଷା କରିଥିବା ବେଙ୍ଗାଲୁରୁ ବିଦାୟ ନେଇଥିଲା।

ଭାରତୀୟ ଫୁଟ୍‌ବଲ୍‌ର ଦୁଇ ଚର୍ଚିତ ଲିଗ୍ ‘ଆଇଏସ୍‌ଏଲ’ ଏବଂ ଆଇଲିଗ୍‌ର ଦୁଇ ବିଜେତା ବେଙ୍ଗାଲୁରୁ ଏଫସି ଓ ଚେନ୍ନାଇ ସିଟି ମଧ୍ୟରେ ‌ହୋଇଥିବା ଏହି ଲଢ଼େଇରେ ଚେନ୍ନାଇ ପ୍ରଥମେ ଗୋଲ୍ ଖାତା ଖୋଲିଥିଲା। ପ୍ରଥମ ୧୫ ମିନିଟ୍ ଭିତରେ ହିଁ ଏହି ଦଳ ଆଗୁଆ ହୋଇଯାଇଥିଲା। ୧୪ ନମ୍ବର ଜର୍ସି ପିନ୍ଧିଥିବା ସ୍ପେନୀୟ ଖେଳାଳି ନେସ୍ତର ଜିଜସ୍ ପଞ୍ଚଦଶ ମିନିଟରେ ଏହି ଗୋଲ୍‌ ଦେଇଥିଲେ। ବଳକା ୩୦ ମିନିଟ୍‌ ଉଭୟ ଦଳ ଜୋର୍‌ଦାର ଆକ୍ରମଣ ଓ ପ୍ରତିଆକ୍ରମଣ କରିଥିଲେ ବି ଏକାଧିକ ସୁଯୋଗକୁ ହାତଛଡ଼ା କରିଥିଲେ। ଚେନ୍ନାଇର ଇଟାଲୀୟ ଗୋଲ୍‌ରକ୍ଷକ ‌ମୌରୋ ବୋର୍ଚେଓ ବେଙ୍ଗାଲୁରୁର ଏକ ନିଶ୍ଚିତ ସୁଯୋଗକୁ ନିଷ୍ଫଳ କରି ନିଜ ଦଳକୁ ପ୍ରଥମାର୍ଧ ଶେଷ ସୁଦ୍ଧା ଆଗୁଆ ରଖିଥିଲେ। ବେଙ୍ଗାଲୁରୁ ଗୋଲ୍‌ରକ୍ଷକ ଗୁରପ୍ରୀତ ସିଂହ ସାନ୍ଧୁ ମଧ୍ୟ ଚେନ୍ନାଇର କେତେକ ସୁଯୋଗକୁ ଭଣ୍ଡୁର କରିଦେଇଥିଲେ। ବେଙ୍ଗାଲୁରୁ ଅଗ୍ରଭାଗ କିନ୍ତୁ ପ୍ରଥମାର୍ଧରେ ତୁଳନାତ୍ମକ ଭାବେ ଫିକା ରହିଥିଲା। ଦ୍ବିତୀୟାର୍ଧରେ ବେଙ୍ଗାଲୁରୁ ନୂଆ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇଥିଲା। ଷଷ୍ଠ ମିନିଟରେ ଏହାର ଫଳ ବି ମିଳିଥିଲା। ‌ଅଧିନାୟକ ଛେତ୍ରୀଙ୍କ ପାସ୍‌କୁ ଚେନ୍ନାଇର ଦୁଇଜଣ ରକ୍ଷଣଭାଗ ଖେଳାଳି ବକ୍ସ ଭିତରେ ଫାଉଲ୍ ମାରିବା ପରେ ବେଙ୍ଗାଲୁରୁକୁ ପେନାଲ୍ଟି ମିଳିଥିଲା। ହେଲେ ଏକ ବିରଳ ଓ ବିସ୍ମୟକର ଘଟଣାକ୍ରମେ ଛେତ୍ରୀ ଏହାକୁ ଗୋଲ୍‌ରେ ରୂପାନ୍ତର କରି ପାରି ନଥିଲେ। ବରଂ ମାତ୍ର ୩ ମିନିଟ୍ ପରେ ଚେନ୍ନାଇ କରିଥିବା ପାଲଟା ଆକ୍ରମଣରେ ବେଙ୍ଗାଲୁରୁ ରକ୍ଷଣଭାଗ ଚକିତ ହୋଇ ଯାଇଥିଲା। ଯାହାର ସୁଯୋଗ ନେଇ ୧୯ ନମ୍ବର ଖେଳାଳି ତଥା ଅଧିନାୟକ ପେଡ୍ରୋ ଜାଭିୟର ମାଞ୍ଜି ୫୪ ମିନିଟରେ ଗୋଲ୍ ପୋଷ୍ଟ ଭିତରକୁ ବଲ୍ ପଠାଇ ଚେନ୍ନାଇକୁ ୨-୦ରେ ଆଗୁଆ କରି ଦେଇଥିଲେ। ବେଙ୍ଗ‌ାଲୁରୁକୁ ପ୍ରଥମ ସଫଳତା ୬୫ ମିନିଟରେ ମିଳିଥିଲା। ରାହୁଲ ବିକେଙ୍କ ହେଡରକୁ ଗୋଲ୍ ପୋଷ୍ଟ ଭିତରକୁ ପଠାଇବାରେ ଛେତ୍ରୀ ଏଥର କୌଣସି ତ୍ରୁଟି କରି ନଥିଲେ। ଫଳରେ ସ୍ଥିତି ୨-୧ ହୋଇ ଯାଇଥିଲା। ବଳକା ୨୫ ମିନିଟ୍ ସହ ଇଞ୍ଜୁରି ଟାଇମରେ ଚେନ୍ନାଇ ଗୋଲ୍‌ରକ୍ଷକ ବୋର୍ଚେଓ ଚମତ୍କାର ପ୍ରଦର୍ଶନ କରି ବେଙ୍ଗାଲୁରୁର ପାଞ୍ଚଟି ପ୍ରୟାସକୁ ବେକାର କରି ଦେଇଥିଲେ। ଫଳରେ ଏହି ୨-୧ ସ୍କୋର ଲାଇନରେ ବିଜୟୀ ହୋଇ ଚେନ୍ନାଇ ସେମିଫାଇନାଲ ଟିକେଟ ହାସଲ କରି ନେଇଥିଲା।

ସମ୍ବନ୍ଧିତ ଖବର