ଦୂତିଙ୍କ କ୍ଲବ୍‌ରେ ଭାରତୀୟ ଫୁଟ୍‌ବଲ୍ ଦଳର ଅଧିନାୟକ ଛେତ୍ରୀ

ବେଙ୍ଗାଲୁରୁ/ଭୁବନେଶ୍ବର: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି, ବିଶ୍ବ ବିଜୟିନୀ ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ ଏବଂ ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି ଭାରତୀୟ ଫୁଟ୍‌ବଲ୍ ଦଳର ଅଧିନାୟକ ସୁନିଲ ଛେତ୍ରୀ। ବିଶ୍ବସ୍ତରୀୟ କ୍ରୀଡ଼ା ବ୍ରାଣ୍ଡ୍‌ ପୁମା ସହ ୩ ବର୍ଷିଆ ଚୁକ୍ତି କରିବା ପରେ ଛେତ୍ରୀ ଏହି କ୍ଲବ୍‌ରେ ଯୋଡ଼ି ହୋଇଛନ୍ତି ସେ। ଛେତ୍ରୀଙ୍କ ସହିତ‌ ତାଙ୍କ ଆଇଏସ୍‌ଏଲ୍‌ ଦଳ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟ ମଧ୍ୟ ଚୁକ୍ତିବଦ୍ଧ ହୋଇଛି। ଜଣେ ଅଧିନାୟକ, ଅଗ୍ରଜ ଏବଂ କିଂବଦନ୍ତି ଭାବେ ଛେତ୍ରୀ ମଧ୍ୟ ବିଶ୍ବ ବିଖ୍ୟାତ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ପରେ ବିଶ୍ବ ଫୁଟ୍‌ବଲ୍‌ରେ ସକ୍ରୀୟ ଖେଳାଳିଙ୍କ ମଧ୍ୟରୁ ଦ୍ବିତୀୟ ସର୍ବୋଚ୍ଚ ରାଶିରେ ଚୁକ୍ତିବଦ୍ଧ ହୋଇଛନ୍ତି। ପୁମା ସହିତ ଆଣ୍ଟୋନି ଗ୍ରିଜ୍‌ମ୍ୟାନ୍‌, ରୋମେଲୁ ଲୁକାକୁ, ଲୁଇସ ସୁଆରେଜ, ସର୍ଜିଓ ଆଗୁଏରୋ ପ୍ରମୁଖ ମଧ୍ୟ ସଂଶ୍ଲିଷ୍ଟ ରହିଛନ୍ତି।

ଭାରତୀୟ ଫୁଟ୍‌ବଲ୍‌ର ମହାନ ଖେଳାଳି ହୋଇ ସାରିଥିବା ସୁନିଲ ଛେତ୍ରୀ ଏବେ ଭାରତୀୟ ଦଳ ସହ ବେଙ୍ଗାଲୁରୁ ଏଫ୍‌ସିର ଅଧିନାୟକ ରହିଛନ୍ତି। ଦେଶର ସର୍ବାଧିକ ମ୍ୟାଚ୍‌ ଖେଳାଳି ଏବଂ ଗୋଲ୍‌ସ୍କୋରର୍‌ ଭାବେ ମଧ୍ୟ କୀର୍ତ୍ତିମାନ କରିଛନ୍ତି। ୬ ଥର ଏଆଇଏଫ୍‌ଏଫ୍ ଖେଳାଳି ପୁରସ୍କାର ମଧ୍ୟ ପାଇଛନ୍ତି। ୨୦୧୧ରେ ଅର୍ଜୁନ ଏବଂ ୨୦୧୯ରେ ପଦ୍ମଶ୍ରୀ ପୁରସ୍କାର ହାସଲ କରିଥିଲେ। ‘ପୁମା ପରିବାର ସହିତ ଯୋଡ଼ି ହୋଇଥିବାରୁ ମୁଁ ଉଲ୍ଲସିତ, ଫୁଟ୍‌ବଲ୍ ସହିତ ଯୋଡ଼ି ହୋଇ ରହିଥିବା ଏହି ବ୍ରାଣ୍ଡ୍‌ର ଐତିହ୍ୟକୁ ମୁଁ ଆଗରୁ ଅନୁସରଣ କରି ଆସିଛି। ଏବେ ଏଥିରେ ସାମିଲ ହେବା ସ୍ବାଭାବିକ ଭାବେ ଅଗ୍ରଗତିର ପ୍ରମାଣ। ଦେଶରେ ଫୁଟ୍‌ବଲ୍‌ର ବିକାଶ ଏବଂ ନୂଆ ଅଧ୍ୟାୟ ଯୋଡ଼ିବା ଲାଗି ସଙ୍କଳ୍ପବଦ୍ଧ’‌ ବୋଲି ଛେତ୍ରୀ ପ୍ରକାଶ କରିଛନ୍ତି। ପୁମା ଇଣ୍ଡିଆର ପରିଚାଳନା ନିର୍ଦେଶକ ଅଭିଷେକ ଗାଙ୍ଗୁଲି କହିଛନ୍ତି ‘ସୁନିଲ ଛେତ୍ରୀ ଫୁଟ୍‌ବଲ୍‌ର ଅନ୍ୟନାମ ଭଳି, ଜଣେ ଜୀବନ୍ତ କିଂବଦନ୍ତି ଏବଂ ଯୁବ ପିଢ଼ି ପାଇଁ ପ୍ରେରଣାର ଉତ୍ସ। ଭାରତୀୟ ଫୁଟ୍‌ବଲ୍‌ର ବିକାଶରେ ସେ ବଡ଼ ପ୍ରଭାବ ପକାଇଛନ୍ତି। ମିଳିତ ଭାବେ ଆମେ ଦେଶରେ ଫୁଟ୍‌ବଲ୍‌ ସଂସ୍କୃତିର ବିକାଶରେ ପୁଞ୍ଜି ନିବେଶ କରୁଛୁ’।

ସମ୍ବନ୍ଧିତ ଖବର