ନୂଆଦିଲ୍ଲୀ: ଆଇଏସ୍ଏଲ୍ ଷଷ୍ଠ ସ˚ସ୍କରଣ ଶେଷ ହେବା ପରେ ଛୁଟି କଟାଇବା ପାଇଁ ସୁନୀଲ ଛେତ୍ରୀଙ୍କ ଯୋଜନା ଫସର ଫାଟିଯାଇଛି। ବିରତି ସମୟରେ ସୁନୀଲ ଓ ତାଙ୍କ ପତ୍ନୀ ସୋନମ ଫିନ୍ଲାଣ୍ତ ଓ ଜୁରିକ୍ ବୁଲିଯିବା ପାଇଁ ଯୋଜନା କରିଥିଲେ। ଗତବର୍ଷ ସୋନମଙ୍କୁ ଡେଙ୍ଗୁ ହୋଇଥିବାରୁ କ୍ରୋଏସିଆ ଗସ୍ତ ବାତିଲ କରିବାକୁ ପଡ଼ିଥିଲା। ଏଥର କରୋନା ଯୋଗୁଁ ଦ୍ବିତୀୟ ଥର ପାଇଁ ଛୁଟି କାଟିବାରୁ ବଞ୍ଚିତ ହେଲୁ। ତଥାପି ସୌଭାଗ୍ୟବଶତଃ ଆମର ଟଙ୍କା ଫେରସ୍ତ ଫାଇଛୁ ବୋଲି ସୁନୀଲ କହିଛନ୍ତି। ତେବେ ଏଥର କର୍ଣ୍ଣାଟକର କାବିନି ଜଙ୍ଗଲରେ ଏକ ସୀମିତ ସମୟର ଛୁଟି କଟାଯାଇଥିଲା। ଏଠାରେ ବୁଲିବା ସମୟରେ ଆମେ ଦୁଇଥର ବାଘ ଦେଖିବାର ସୌଭାଗ୍ୟ ଅର୍ଜନ କରିଥିବା ସେ ଏକ ସାକ୍ଷାତକାରରେ କହିଛନ୍ତି। ସୁନୀଲ କହିଛନ୍ତି, ଏହି ଘଟଣା ପରଠୁ ସୋନମ ଓ ମୁଁ ଆମର ଘରୋଇ କର୍ମଚାରୀଙ୍କୁ ଛୁଟିରେ ପଠାଇଦେଇଥିଲା ବେଳେ ଆମେ ଏବେ ଘରେ ରହିବାକୁ ପସନ୍ଦ କରୁଛୁ। ଘରେ ରହୁଥିବା ସମୟରେ ଆମେ ରୋଷେଇ କରିବା ସହ ନିଜନିଜ ଭିତରେ ଗପସପ କରିବା, ଟିଭି ଦେଖିବା, ତାସ୍ ଖେଳିବା ଓ ଅଗଣାରେ କ୍ରିକେଟ୍ ଖେଳିବାରେ ସମୟ କାଟୁଛୁ। ଏଥିସହିତ ଛୋଲେ ପୁରୀ, ସିଙ୍ଗଡ଼ା, ପିଜା ଇତ୍ୟାଦି ଖାଇ ମୋଟା ହୋଇଗଲୁଣି ବୋଲି ସେ ମଜାଳିଆ ଢଙ୍ଗରେ କହିଛନ୍ତି।
ଗତ କିଛି ମାସଧରି ମା˚ସପେଶୀ ଜନିତ ଆଘାତ ସମସ୍ୟାରେ ତାଙ୍କୁ ସ˚ଘର୍ଷ କରିବାକୁ ପଡୁଛି। ଏଥିସହିତ ପିଆର୍ପି ଚିକିତ୍ସା ମଧ୍ୟ କରାଯାଇଛି। ଯେଉଁଥିପାଇଁ ଏକ ସପ୍ତାହ କିମ୍ବା ୧୦ ଦିନ ପର୍ଯ୍ୟନ୍ତ ଚଲାବୁଲା କରିବା ସହଜ ହେବନି। ତେଣୁ ଗତ ୧୫ ଦିନ ଧରି ମୁଁ କେବଳ ଖାଇବାରେ ସମୟ କାଟିଛି। ଯେତେବେଳେ ଗୋଡ଼ ସୁସ୍ଥ ହେବ, ସେତେବେଳେ ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ବାଇକ୍ ଚଲାଇବା କିମ୍ବା ଦୌଡ଼ିବାକୁ ଚେଷ୍ଟା କରିବି। ତେଣୁ ଏବେ ବ୍ୟାୟାମ ବାଦ୍ ଆଉ କିଛି କରିବା ପାଇଁ ଚିନ୍ତା କରିପାରୁନଥିବା ସୁନୀଲ କହିଛନ୍ତି। ସୋନମ ମଧ୍ୟ କୋଲକାତାର ଏକ ହୋଟେଲରେ କାମ କରୁଥିଲେ ବି ଏବେ ଘରେ ରହି ସେହି କାମ କରିବାକୁ ପଡୁଛି। ଯାହା କରିବା ଏତେ ସହଜ ନୁହେଁ। ବର୍ତ୍ତମାନର ମହାମାରୀ ସମୟରେ ସମସ୍ତଙ୍କ ପରି ପ୍ରତିଷେଧକ ଦିଗରେ ଆମେ ଯତ୍ନବାନ ହୋଇଛୁ। କାରଣ କରୋନା ଚିତ୍ରକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ସାମାଜିକ ଦୂରତ୍ବ ହେଉଛି ଏକମାତ୍ର ଉପାୟ। ଏପରିକି ଦିଲ୍ଲୀରେ ରହୁଥିବା ମୋ ବାପା ମା’, ଭଉଣୀ ଓ ତାଙ୍କ ସ୍ବାମୀ, କୋଲ୍କାତାରେ ରହୁଥିବା ଶ୍ବଶୁର ସୁବ୍ରତ ଭଟ୍ଟାଚାର୍ଯ୍ୟ ଓ ଶାଶୂ ମଧ୍ୟ ଘରୁ ବାହାରୁନଥିବାବେଳେ ଆମକୁ ମଧ୍ୟ ଘରେ ରହିବାକୁ ପରାମର୍ଶ ଦେଉଥିବା ସୁନୀଲ କହିଛନ୍ତି।
କୋଭିଡ-୧୯ ବିରୋଧରେ ପ୍ରଚାର କରିବେ ଛେତ୍ରୀ
ନୂଆଦିଲ୍ଲୀ: ଫିଫା ପକ୍ଷରୁ ଆରମ୍ଭ ହେଉଥିବା କୋଭିଡ-୧୯ ବିରୋଧୀ ସଚେତନତା ଅଭିଯାନରେ ଭାରତୀୟ ତାରକା ସୁନୀଲ ଛେତ୍ରୀ ଓ ଆର୍ଜେଣ୍ଟିନାର ସୁପରଷ୍ଟାର୍ ଲିଓନେଲ ମେସି ସାମିଲ ହେଉଛନ୍ତି। ‘ପାସ୍ ଦ ମେସେଜ ଟୁ କିକ୍ ଆଉଟ କରୋନାଭାଇରସ୍’ ଶୀର୍ଷକ ପ୍ରଚାର ମାଧ୍ୟମରେ ନିଜକୁ ସୁସ୍ଥ ରଖିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ (ଡବ୍ଲୁଏଚ୍ଓ)ର ୫ ପ୍ରମୁଖ ପ୍ରଣାଳୀ ବିଷୟରେ ସାରା ବିଶ୍ବକୁ ଅବଗତ କରାଯିବ। ଏଥିପାଇଁ ଉପରୋକ୍ତ ଦୁଇ ଖେଳାଳିଙ୍କ ସହ ବିଶ୍ବର ମୋଟ ୨୮ ଜଣ ଜଣାଶୁଣା ଖେଳାଳିଙ୍କୁ ଫିଫା ଚୟନ କରିଛି। ହାତ ସଫା ରଖିବା, କାସିବା ବେଳେ ସତର୍କତା ଅବଲମ୍ବନ କରିବା, ମୁହଁକୁ ନଛୁଇଁବା, ସାମାଜିକ ଦୂରତ୍ବ ବଜାୟ ରଖିବା, ଅସୁସ୍ଥ ଅନୁଭବ କରୁଥିଲେ ଗୃହାବଦ୍ଧ ରହିବା ଇତ୍ୟାଦି ୫ ପ୍ରଣାଳୀକୁ ଏହି ଖେଳାଳିମାନେ ଭିଡିଓ ମାଧ୍ୟମରେ ୧୩ ଭାଷାରେ ପ୍ରଚାର କରିବେ। ଡବ୍ଲୁଏଚ୍ଓର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରସ ଆଧାନମ ଘେବ୍ରେୟେସସ୍ଙ୍କ ମତରେ ଫିଫା ଓ ଏହାର ସଭାପତି ଗିଆନି ଇନ୍ଫାନ୍ଟିନୋ ଆରମ୍ଭରୁ ଏହି ମହାମାରୀ ବିରୋଧରେ ପ୍ରଚାର ଆରମ୍ଭ କରିସାରିଲେଣି। ବିଶ୍ବ ଫୁଟ୍ବଲ ଜଗତ ଡବ୍ଲୁଏଚ୍ଓକୁ ଏଦିଗରେ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଏଭଳି ସହଯୋଗ ଜାରି ରହିଲେ ଆମେ କରୋନା ଭୂତାଣୁକୁ ହରାଇପାରିବା ବୋଲି ଫିଫା ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
ପ୍ରଚାରରେ ସାମିଲ ଫୁଟ୍ବଲ ଖେଳାଳି
ସାମି ଅଲ୍ ଜାବର, ଆଲିସନ୍ ବେକର, ଏମର ବେଲଜୋଗଲୁ, ଜାର୍ଡ ବୋର୍ଗେଟି, ଗିଆନଲୁଗି ବଫନ, ଆଇକର କାସିଲାସ, ସୁନୀଲ ଛେତ୍ରୀ, ୟୁରି ଜୋର୍କେଫ, ହାନ୍ ହୁଆନ, ସାମୁଏଲ ଇଟୋ, ରାଡାମେଲ ଫାଲକାଓ, ଲାଉରା ଜର୍ଜେସ, ଭାଲେରି କାର୍ପିନ, ମିରୋସ୍ଲାଭ କ୍ଲୋଜ, ଫିଲିପ ଲାହମ, ଗାରି ଲିନକର, କାର୍ଲି ଲୟଡ, ଲିଓନେଲ ମେସି, ମିଡୋ, ମିଚେଲ ଓେଵନ, ପାର୍କ ଜି ସୁଙ୍ଗ, କାର୍ଲ୍ସ ପୁୟୋଲ, ସେଲିଆ ସାସିକ, ଆସାକୋ ଟାକାକୁରା, ଆୟା ଟୁରି, ଜୁଆନ ସେବାଷ୍ଟିଆନ୍ ଭେରନ, ସନ େଵନ, ଜାଭି ହର୍ଣ୍ଣାଡେଜ।