ଛିନ୍ଦେଇକେଲା କପ୍‌ କ୍ରିକେଟ୍‌ ସେମିରେ ଖୋର୍ଧା ରେଳବାଇ

ପାଇକମାଲ,: ଖୋର୍ଧା ରେଳବାଇ ଦଳ ବରଗଡ଼ ଜିଲ୍ଲା ପାଇକମାଲଠାରେ ଚାଲିଥିବା ୨୩ତମ ସର୍ବଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପହଞ୍ଚିଛି। ରେଳବାଇ ଦଳ ସୋମବାର ଦ୍ୱିତୀୟ ଦିବସ ମ୍ୟାଚ୍‌ରେ ସମ୍ବଲପୁର ଫୋର୍‌ ସି’କୁ ୨୦ ରନ୍‌ରେ ହରାଇଛି। ରେଳବାଇ ଦଳ ନିର୍ଧାରିତ ୩୦ ଓଭରରେ ୫ ଓ୍ଵିକେଟ ହରାଇ ୨୨୨ ରନ୍‌ କରିଥିଲା। ଗିରିଜା ରାଉତ, ସମୀର ମହାନ୍ତି, ସତ୍ୟଜିତ ସାବତ ଅର୍ଧଶତକ ହାସଲ କରିଥିଲେ। ଜବାବରେ ସମ୍ବଲପୁର ଫୋର ସି’ ଦଳ ୨୮.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୦୨ ରନ୍‌ କରିପାରିଥିଲା। ସଇଦ ଓ୍ଵାସିମ ବିସ୍ଫୋରକ ଅର୍ଧଶତକ ହାସଲ କରିଥିଲେ।

ମୁଖ୍ୟ ଅତିଥି ଭାବେ ଜାମସେଠର ପୂର୍ବତନ ସରପଞ୍ଚ ଯୋଗ ଦେଇଥିଲେ। ସୁଶାନ୍ତ ପାଣିଗ୍ରାହୀ, ଅମୀୟ ଭୂଷଣ ସାହୁ ଖେଳ ପରିଚାଳନା କରିଥିବା ବେଳେ ବୁନିଲ ସାହୁ ସ୍କୋରର୍‌ ଥିଲେ। ରତିକାନ୍ତ ସାହୁ ଓ ନିରାକାର ରଣା ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ବରତୁଣ୍ଡା ସିଆରପିଏଫ୍‌ କ୍ୟାମ୍ପ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସୁନୀଲ ସ୍ୱାହା, ସୁଶାନ୍ତ ସାହୁ ଓ ପ୍ରଶାନ୍ତ ସାହୁ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳର ସତ୍ୟଜିତ ସାବତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ମଙ୍ଗଳବାର ପ୍ରଥମ ସେମି ଫାଇନାଲ ଖୋର୍ଧା ରେଳବାଇ ଓ ରାଇପୁର ରେଳବାଇ ମଧ୍ୟରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର