ଶେଷରେ ଗେଲ୍ ଗର୍ଜନ

ପୋର୍ଟ ଅଫ୍ ସ୍ପେନ୍ : ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ (୭୨ ରନ୍, ୪୧ ବଲ୍‌, ୮ ଚୌକା, ୫ ଛକା) ଭାରତ ବିପକ୍ଷ ପ୍ରଥମ ଦୁଇ ଦିନିକିଆରେ ଶାନ୍ତ ରହିଥିଲେ। ବୁଧବାରର ବର୍ଷା ଭିଜା ତୃତୀୟ ଦିନିକିଆରେ କିନ୍ତୁ ସେ ଧମାକାଦାର ବ୍ୟାଟିଂ କରିଛନ୍ତି। ଛକା, ଚୌକାର ବର୍ଷା କରି ମାତ୍ର ୩୦ ବଲ୍‌ରୁ ୫୪ତମ ଅର୍ଧଶତକ ଅର୍ଜନ କରିନେଇଛନ୍ତି।

ଆଜି ମ୍ୟାଚ୍ ଶୃଙ୍ଖଳାର ଶେଷ ଦିନିକିଆ ଥିଲା। ଗେଲ୍‌ ବି ସମ୍ଭବତଃ ତାଙ୍କ ଜାଜ୍ଜୁଲ୍ୟମାନ ଖେଳ ଜୀବନର ଶେଷ ଏକଦିବସୀୟ ମ୍ୟାଚ୍ ଖେଳିଥିଲେ। ଶୃଙ୍ଖଳା ଶେଷ ଓ ନିଜର ‌ଶେଷ ମ୍ୟାଚ୍‌ରେ ଏହି ମହାନ ଖେଳାଳି ଧମାକାଦାର ବ୍ୟାଟିଂ କରି ନିଜ ପ୍ରଶଂସକଙ୍କର ଭରପୁର ମନୋରଞ୍ଜନ କରିଥିଲେ। ଏଭିନ ଲୁଇସ୍ (୪୩ ରନ୍, ୨୯ ବଲ୍, ୫ ଚୌକା, ୩ ଛକା)ଙ୍କ ସହ ମିଶି ଗେଲ୍ ପୋର୍ଟ ଅଫ୍ ସ୍ପେନର କୁଇନ୍ସ ପାର୍କରେ ଭାରତୀୟ ବୋଲରଙ୍କୁ ନିଧୁମ ଛେଚିଥିଲେ। ତିନି ଭାରତୀୟ ଦ୍ରୁତ ବୋଲରଙ୍କୁ ପ୍ରହାର କରି ପୂରା ଘାଇଲା କରି ଦେଇଥିଲେ। ଗେଲ୍‌-ଲୁଇସ୍ ମାତ୍ର ୧୦.୫ ଓଭର ଖେଳି ପ୍ରଥମ ୱିକେଟ୍‌ରେ ବିନା କ୍ଷତିରେ ୧୧୫ ରନ୍ ଯୋଡ଼ି ନେଇଥିଲେ। ସେମାନେ ପ୍ରଥମ ୧୦ ଓଭରର ପାୱାର ପ୍ଲେରେ ୧୧୪/୦ କରିଥିଲେ। ଯାହା ୨୦୧୫ ବିଶ୍ବକପ୍ ପରେ ସର୍ବାଧିକ ଥିଲା। ୨୦୧୫ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ୮.୨ ଓଭରରେ ୧୧୮/୦ କରିଥିଲା। ଯାହା ଆଜି ପର୍ଯ୍ୟନ୍ତ ବିଶ୍ବ କୀର୍ତ୍ତିମାନ ହୋଇ ରହିଥିଲା। ଗେଲ୍-ଲୁଇସଙ୍କ ୧୧୪/୦ ମଧ୍ୟ ପ୍ରଥମେ ବ୍ୟାଟିଂ କରି ଦିନିକିଆ କ୍ରିକେଟ୍ ଇତିହାସରେ ସର୍ବାଧିକ ପ୍ରଥମ ୧୦ ଓଭର ପାୱା‌ର ପ୍ଲେ ସ୍କୋର ହୋଇଥିଲା। ପ୍ରଥମ ୧୦ ଓଭର ଭିତରେ ଇଣ୍ଡିଜ୍‌ର ୮ ଛକା ମଧ୍ୟରୁ ଗେଲ୍ ବ୍ୟକ୍ତିଗତ ଭାବେ ୫ ଛକା ମାରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା କୌଣସି ଦଳର ବ୍ୟାଟ୍ସମ୍ୟାନଙ୍କ ପାଇଁ ମଧ୍ୟ ଏହା ଏକ ନୂଆ କୀର୍ତ୍ତିମାନ ଥିଲା।

ଭାରତୀୟ ଦ୍ରୁତ ବୋଲରମାନେ ପୂରା ବିଫଳ ହେବା ପରେ ଅଧିନାୟକ ବିରା‌ଟ କୋହଲି ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଲଗାଇଥିଲେ। ଚହଲ ହିଁ ଏହି ବିପଜ୍ଜନକ ଯୋଡ଼ିକୁ ଭାଙ୍ଗିଥିଲେ। ଲୁଇସଙ୍କୁ ସେ ସୀମା ରେଖା ପାଖରେ ଶିଖର ଧାୱନଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ଖଲିଲ ଅହମ୍ମଦ ଏକ ଲେନ୍ଥ ବଲ୍‌ରେ ଗେଲ୍‌ଙ୍କୁ ଚକମା ଦେଇ କୋହଲିଙ୍କୁ ଆଶ୍ବସ୍ତ କରିଥିଲେ। କୋହଲି ହିଁ ଗେଲ୍‌ଙ୍କ କ୍ୟାଚ୍ ମିଡ୍ ଅଫ୍ ଅଞ୍ଚଳରେ ନେଇଥିଲେ। ଏହା ପରେ ସାଇ ହୋପ୍ (୧୯*) ଓ ସିମରନ୍ ହେଟମେର (୧୮*) ଦାୟିତ୍ବବାନ ଖେଳ ଖେଳିଥିଲେ। ଉଭୟ ଅସମାପ୍ତ ତୃତୀୟ ୱିକେଟ୍‌ରେ ୩୭ ରନ୍ ଯୋଡ଼ିଥିଲେ। ହେଲେ ୨୨ ଓଭରରେ ଇଣ୍ଡିଜ୍ ସ୍କୋର ୧୫୮/୨ ଥିଲା ବେଳେ ବର୍ଷା ପୁଣି ଥରେ ଆରମ୍ଭ ହୋଇ ଯାଇଥିଲା। ପାଖାପାଖି ଦୁଇ ଘଣ୍ଟା ଧରି ଖେଳ ବନ୍ଦ ରହିବା ପରେ ପୁନର୍ବାର ଆରମ୍ଭ ହୋଇଥିଲା। ସେତେବେଳେ ଖେଳକୁ ୩୫ ଓଭରରୁ କମାଇ ଦିଆଯାଇଥିଲା। ରିପୋର୍ଟ ଲେଖା ବେଳକୁ ଘରୋଇ ଦଳ ୨୭ ଓଭରରେ ୪ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା।

ପୂର୍ବରୁ ୱେଷ୍ଟଇଣ୍ଡିଜ୍ ପାଳିର ଦେଢ଼ ଓଭର ପରେ ବର୍ଷା ହୋଇଥିଲା। ସେଥିପାଇଁ ମଧ୍ୟ ଖେଳ କିଛି ସମୟ ବନ୍ଦ ରହିଥିଲା। ବୁଧବାର ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ ହୋଲ୍ଡର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଇଣ୍ଡିଜ୍ ଦୁଇଟି (ସେଲଡନ୍ କର୍ଟେଲ ଏବଂ ଓସାନେ ଥୋମାସଙ୍କ ଜାଗାରେ କିମୋ ପଲ୍ ଏବଂ ଫାବିଆନ୍ ଆଲେନ୍) ଏବଂ ଭାରତ ଗୋଟିଏ ପରିବର୍ତନ (କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲ) ସହ ପଡ଼ିଆକୁ ଓହ୍ଲାଇଥିଲେ।

ସମ୍ବନ୍ଧିତ ଖବର