କୋଲ୍‌କାତାକୁ ଜିତାଇଲେ କ୍ରିସ୍‌

ବେଙ୍ଗାଲୁରୁ : ଶେଷ ଓଭରଗୁଡ଼ିକରେ ରନ୍‌ ରୋକି ନପାରିବାର ଦୁର୍ବଳତା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ପୁଣି ଥରେ କାଳ ହୋଇଛି। ୧୭୫/୪ ରନ୍‌ର ସମ୍ମାନ ସ୍କୋର କରିବା ପରେ ମଧ୍ୟ ଏହି ଦଳ ବୋଲରଙ୍କ ବିଫଳତା ପାଇଁ ଆଉ ଏକ ପରାଜୟ ବରଣ କରିଛି। ଅଧିନାୟକ ବିରାଟ କୋହଲି (୬୮* ରନ୍‌, ୪୪ ବଲ୍‌, ୫ ଚୌକା, ୩ ଛକା) ଙ୍କ ଅର୍ଧଶତକୀୟ ପ୍ରୟାସ ବି ବେକାର ଯାଇଛି। ସେପଟେ ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଲିନ୍‌ (୬୨* ରନ୍‌, ୫୨ ବଲ୍‌, ୭ ଚୌକା, ୩ ଛକା)ଙ୍କ ସହ ଶୀର୍ଷ ୪ ବ୍ୟାଟ୍ସମ୍ୟାନଙ୍କ ସଫଳତା ଲାଗି ୬ ଓ୍ଵିକେଟ୍‌ର ସହଜ ବିଜୟ ହାସଲ କରିଛି। ରବିବାର ୧୭୬ ରନ୍‌ର ବିଜୟ ଲକ୍ଷ୍ୟକୁ କେକେଆର ୧୯.୧ ଓଭରରେ ମାତ୍ର ୪ ଓ୍ଵିକେଟ୍‌ ହରାଇ ହାସଲ କରି ନେଇଥିଲା। ଅଷ୍ଟମ ମ୍ୟାଚ୍‌ରୁ କେକେଆର ଚତୁର୍ଥ ବିଜୟ ଏବଂ ଆରସିବି ସପ୍ତମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଥିଲା।

୧୭୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା କେକେଆର ପାଇଁ ସୁନୀଲ ନରିନ (୨୭ ରନ୍‌, ୧୯ ବଲ୍‌, ୩ ଚୌକା, ୧ ଛକା) ଓ ଲିନ୍‌ ଭଲ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍‌ରେ ୫୯ ରନ୍‌ ଯୋଡ଼ିଥିଲେ। ଏହା ପରେ ରବିନ ଉଥାପ୍ପା କେତେକ ଦର୍ଶନୀୟ ସଟ୍‌ ସହ ମାତ୍ର ୨୧ ବଲ୍‌ରୁ ୩ ଲେଖାଏଁଁ ଚୌକା ଓ ଛକା ସହାୟତାରେ ୩୬ ରନ୍‌ କରି ଅବଶ୍ୟକ ରନ୍‌ ହାରକୁ ବଢ଼ିବାକୁ ଦେଇ ନଥିଲେ। ନୀତିଶ ରାଣା (୧୫ ରନ୍‌, ୧୦ ବଲ୍‌, ୨ ଚୌକା) ଆହତ ହୋଇ ପଡ଼ିଆ ଛାଡ଼ିବା ପରେ ଆନ୍ଦ୍ରେ ରସେଲ କ୍ରିିଜ୍‌କୁ ଆସିଥିଲେ। ତେବେ ନିଜ ଜନ୍ମଦିନରେ ଦୁର୍ଭାଗ୍ୟଜନକ ଭାବେ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ଅଧିନାୟକ ଦୀନେଶ କାର୍ତିକ (୨୩ ରନ୍‌, ୧୦ ବଲ୍‌, ୨ ଚୌକା, ୧ ଛକା) କିନ୍ତୁ ଏହି ଭୁଲ କରି ନଥିଲେ। ପ୍ରତିପକ୍ଷ ଅଧିନାୟକ କୋହଲି ତାଙ୍କୁ ଏକ ଦର୍ଶନୀୟ କ୍ୟାଚ୍‌ରେ ପ୍ୟାଭିଲିୟନ ଫେରାଇବା ପୂର୍ବରୁ କୋଲ୍‌କାତା ତା’ ବିଜୟକୁ ପକ୍କା କରି ନେଇଥିଲା। ତେବେ କେକେଆର ବିଜୟର ନାୟକ ଥିଲେ ଲିନ୍‌। ଅପରାଜିତ ଅର୍ଧଶତକୀୟ ପାଳି ଖେଳି ସେ ଆରସିବି ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ତେବେ ଯୁବ ତାରକା ଶୁଭମନ୍‌ ଗିଲ ଚୌକା ମାରି କେକେଆରର ବିଜୟ ମୁଣ୍ଡି ମାରିଥିଲେ। କେକେଆର ପାଳିରେ କିଛି ସମୟ ପାଇଁ ବର୍ଷା ହୋଇଥିଲେ ମଧ୍ୟ ଏହା ଦ୍ୱାରା କୌଣସି ଓଭର କଟି ନଥିଲା। ରବିବାର ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଲିନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆରସିବିକୁ ରବିବାର ମ୍ୟାଚ୍‌ ଆରମ୍ଭର ଠିକ୍‌ ପୂର୍ବରୁ ଏକ ଶକ୍ତ ଧକ୍କା ଲାଗିଥିଲା। ଭୂତାଣୁ ଜ୍ୱର ପାଇଁ ତାରକା ଖେଳାଳି ଏବି ଡିଭିଲିୟର୍ସ ମ୍ୟାଚରୁ ବାଦ୍‌ ପଡ଼ିଥିଲେ। ଅବଶ୍ୟ ଦୁଇ ପ୍ରାରମ୍ଭିକ ଯୋଡ଼ି କ୍ୱିଣ୍ଟନ ଡି କକ୍‌ (୨୯ ରନ୍‌, ୨୭ ବଲ୍‌, ୩ ଚୌକା, ୧ ଛକା) ଓ ବ୍ରେଣ୍ଡନ ମ୍ୟାକଲମ୍‌ (୩୮ରନ୍‌, ୨୮ ବଲ୍‌, ୪ ଚୌକା, ୨ ଛକା) ଦୃଢ଼ ମୂଳଦୁଆ ପକାଇଥିଲେ। କିନ୍ତୁ କେକେଆର ୧୧ ବଲ୍‌ ଭିତରେ ୩ ଓ୍ଵିକେଟ୍‌ ନେଇ ମ୍ୟାଚ୍‌କୁ ଫେରିଥିଲା। ବିଶେଷ କରି ଜନ୍ମଦିନରେ ଆନ୍ଦ୍ରେ ରସେଲ ଦଶମ ଓଭର ଶେଷ ଦୁଇ ବଲ୍‌ରେ ଦୁଇଟି ଓ୍ଵିକେଟ୍‌ ନେଇ ଆରସିବିର ରନ୍‌ ହାରକୁ କମାଇ ଦେଇଥିଲେ। ତୃତୀୟ ସ୍ଥାନରେ ଆସିଥିବା ଅଧିନାୟକ କୋହଲି କିନ୍ତୁ ତାଙ୍କ ସ୍ୱାଭାବିକ ଖେଳ ଖେଳି ଆରସିବି ସ୍କୋରକୁ ୧୭୫/୪ରେ ପହଞ୍ଚାଇ ଦେଇଥିଲେ। ବିପଜ୍ଜନକ ହୋଇ ଆସୁଥିବା ମନଦୀପ ସିଂହ (୧୯ ରନ୍‌, ୧୪ ବଲ୍‌, ୨ ଛକା)ଙ୍କୁ ରସେଲ ନିଜ ତୃତୀୟ ଶିକାର କରିଥିଲେ। ହେଲେ ଡିଭିଲିୟର୍ସଙ୍କ ସ୍ଥାନ ନେଇଥବା କଲିନ୍‌ ଗ୍ରାଣ୍ଢୋମଙ୍କୁ ସାଥୀ କରି କୋହଲି ଆରସିବି ପାଳିକୁ ଆଗେଇ ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୭୫/୪ (ବିରାଟ କୋହଲି ୬୮*, ବ୍ରେଣ୍ଡନ୍‌ ମ୍ୟାକଲମ୍‌ ୩୮, କ୍ୱିଣ୍ଟନ୍‌ ଡି କକ୍‌ ୨୯, ମନୀଦପ ସିଂହ ୧୯, ଆନ୍ଦ୍ରେ ରସେଲ ୩/୩୧)। କୋଲକାତା ନାଇଟ୍‌ ରାଇଡର୍ସ ୧୯.୧ ଓଭରରେ ୧୭୬/୪ (କ୍ରିସ୍‌ ଲିନ୍‌ ୬୨*, ରବିନ ଉଥାପ୍ପା ୩୬, ସୁନୀଲ ନରିନ ୨୭, ଦୀନେଶ କାର୍ତିକ ୨୩, ମୁରୁଗାନ ଅଶ୍ୱିନ ୨/୩୬, ମହମ୍ମଦ ସିରାଜ ୨/୪୦)।

ସମ୍ବନ୍ଧିତ ଖବର