ସିଲି  ପଏଣ୍ଟ୍‌: ଫୋର୍ବସ୍‌ ଧନୀ ତାଲିକାରେ ସିନ୍ଧୁ ସପ୍ତମ

ନ୍ୟୁୟର୍କ: ଭାରତୀୟ ବ୍ୟାଡ୍‌ମିଣ୍ଟନ ଲଳନା ପିଭି ସିନ୍ଧୁ ଫୋର୍ବସ୍‌ ପତ୍ରିକା ଦ୍ୱାରା ପ୍ରସ୍ତୁତ ଧନୀ ମହିଳା ଆଥ୍‌ଲେଟ୍‌ଙ୍କ ତାଲିକାରେ ଶୀର୍ଷ-୧୦ ମଧ୍ୟରେ ସାମିଲ ହୋଇଛନ୍ତି। ତେବେ ଏଥର ତାଲିକାରେ ଟେନିସ୍‌ ଖେଳାଳିଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। ଆମେରିକୀୟ ଟେନିସ୍‌ ତାରକା ସେରେନା ଓ୍ଵିଲିୟମ୍‌ସ କ୍ରମାଗତ ତୃତୀୟ ବର୍ଷ ପାଇଁ ଏହି ତାଲିକାର ସର୍ବାଗ୍ରେ ରହିଥିଲା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ସିନ୍ଧୁ ଶୀର୍ଷ-୧୦ ମଧ୍ୟରେ ଯୋଡ଼ି ହୋଇଯାଇଛନ୍ତି। ସେରେନା ୧୮.୧ ମିଲିୟନ୍‌ ଡଲାର ଆୟ କରୁଥିଲା ବେଳେ ଡେନ୍‌ମାର୍କ ଟେନିସ୍‌ ଖେଳାଳି କାରୋଲିନେ ଓ୍ଵଜ୍‌ନିଆକି (୧୩ ମିଲିୟନ୍‌ ଡଲାର), ସ୍ଲୋଆନେ ଷ୍ଟିଫେନ୍‌ସ (୧୧.୨ ମିଲିୟନ୍‌ ଡଲାର), ସ୍ପେନ୍‌ର ଗାର୍ବିନେ ମୁଗୁରୁଜା (୧୧ ମିଲିୟନ୍‌ ଡଲାର) ଏବଂ ରୁଷିଆ ସୁନ୍ଦରୀ ମାରିଆ ସାରାପୋଭା (୧୦.୫ ମିଲିୟନ୍‌ ଡଲାର) ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ସିନ୍ଧୁ (୮.୫ ମିଲିୟନ୍‌ ଡଲାର) ଏବଂ ଅବସରପ୍ରାପ୍ତ ଫର୍ମୁଲା ଓ୍ଵାନ୍‌ ଚାଳକ ଡାନିକା ପାଟ୍ରିକ୍‌ (୭.୫ ମିଲିୟନ୍‌ ଡଲାର) କେବଳ ଦୁଇ ଅଣଟେନିସ୍‌ ଖେଳାଳି ଭାବେ ଶୀର୍ଷ-୧୦ରେ ସାମିଲ ଅଛନ୍ତି। ସିନ୍ଧୁ ସପ୍ତମ ଓ ପାଟ୍ରିକ୍‌ ନବମ ସ୍ଥାନ ପାଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ଗତ ଜୁନ୍‌ ମାସରେ ଫୋର୍ବସ୍‌ ପକ୍ଷରୁ ପ୍ରକାଶିତ ବିଶ୍ୱର ୧୦୦ ଧନୀ ଆଥ୍‌ଲେଟ୍‌ଙ୍କ ମାନ୍ୟତା ତାଲିକାରେ ଜଣେ ହେଲେ ମହିଳା ସାମିଲ ନଥିଲେ। ସେତେବେଳେ ମାତୃତ୍ୱ ଲାଭ ପାଇଁ ବିଶ୍ରାମ ନେଉଥିବା ସେରେନା ତାଲିକାରୁ ବାଦ୍‌ ପଡ଼ିଥିଲେ।

ସମ୍ବନ୍ଧିତ ଖବର