ସିଲି ପଏଣ୍ଟ୍‌: ସାନିଆଙ୍କୁ ବାଂଲାଦେଶ କ୍ରିକେଟର୍‌ ଅସଦାଚରଣ କରିଥିଲେ

ଢାକା: ଭାରତୀୟ ଟେନିସ୍‌ ସୁନ୍ଦରୀ ସାନିଆ ମିର୍ଜା ଏକ ଘରୋଇ କ୍ରିକେଟ୍‌ ପ୍ରତିଯୋଗିତା ଲାଗି ନିଜ ପତି ତଥା ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ସହ ବାଂଲାଦେଶ ଯାଇଥିଲା ବେଳେ ଅସଦାଚରଣର ଶିକାର ହୋଇଥିଲେ। ବାଂଲାଦେଶର ଅନ୍ତର୍ଜାତୀୟ କ୍ରିକେଟର ସବିର ରହମାନ ସାନିଆଙ୍କୁ ଅସଦାଚରଣ କରିବାର ଦୁଃସାହସ କରିଥିଲେ। ଏହି ଚାଞ୍ଚଲ୍ୟକର ଘଟଣା ୪ ବର୍ଷ ତଳେ ଘଟିଥିଲା। ହେଲେ ରବିବାର ପଦାକୁ ଆସିଛି। ଏପରିକି ଘଟଣା ପରେ ସୋଏବ ଢାକା କ୍ରିକେଟ୍‌ ସମିତିର ମୁଖ୍ୟଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ମଧ୍ୟ ଜଣାପଡ଼ିଛି। ବାଂଲାଦେଶ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ସୋଏବ ଓ ସାନିଆ ଢାକାରେ ଆୟୋଜିତ ହେଉଥିବା ଏକ ଘରୋଇ କ୍ରିକେଟ୍‌ ପ୍ରତିଯୋଗିତା ଲାଗି ସେଠାକୁ ଯାଇଥିଲେ। ସାନିଆ ଏକ ମ୍ୟାଚ୍‌ରେ ସୋଏବଙ୍କୁ ଉତ୍ସାହିତ କରିବାକୁ ଆସିଥିଲା ବେଳେ ସବିର ତାଙ୍କୁ ପଡ଼ିଆ ଭିତରେ ଅସଦାଚରଣ କରିଥିଲେ। ସବିର ହେଉଛନ୍ତି ବାଂଲାଦେଶର ସବୁଠାରୁ ବିବାଦୀୟ କ୍ରିକେଟର। ପଡ଼ିଆ ବାହାର ବ୍ୟବହାର ପାଇଁ ଶନିବାର ବାଂଲାଦେଶ କ୍ରିକେଟ୍‌ ବୋର୍ଡ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ୬ ମାସ ପାଇଁ ବାସନ୍ଦ କରିଛି। ନିକଟରେ ସେ ଫେସ୍‌ବୁକ୍‌ରେ ଜଣେ ପ୍ରଶଂସକଙ୍କୁ ଧମକ ଚମକ ଦେଇ ଚର୍ଚାକୁ ଆସିଥିଲେ। ସେହିଭଳି ବିନା ଅନୁମତିରେ ହୋଟେଲ କୋଠରିକୁ ବାହାରର ଜଣେ ମହିଳାଙ୍କୁ ଆଣିଥିବାରୁ ବାଂଲାଦେଶ ପ୍ରିମିୟର ଲିଗ୍‌ ଅବସରରେ ମଧ୍ୟ ସେ ଦଣ୍ଡିତ ହୋଇଥିଲେ। ଖରାପ ଫର୍ମ ପାଇଁ ସବିର ବାଂଲାଦେଶ ଜାତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ମଧ୍ୟ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ତା’ର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରି ନାହିଁ।

ସମ୍ବନ୍ଧିତ ଖବର