ସିଲି ପଏଣ୍ଟ୍‌: ନାଟେଓ୍ଵଷ୍ଟ ବିବାଦ ପେଡ଼ି ଖୋଲିଲେ କୈଫ ‘ନାସିର ମୋତେ ବସ୍‌ ଚାଳକ ବୋଲି ଡାକିଥିଲେ’

ନୂଆଦିଲ୍ଲୀ: ୧୬ ବର୍ଷ ତଳେ ନାଟେଓ୍ଵଷ୍ଟ ଶୃଙ୍ଖଳାର ଫାଇନାଲରେ ଭାରତର ଦୁଇ ଯୁବ ତାରକା ଯୁବରାଜ ସିଂହ ଏବଂ ମହମ୍ମଦ କୈଫ ଇଂଲଣ୍ଡ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଭାରତକୁ ନିଜ ସାହସିକ ବ୍ୟାଟିଂ ବଳରେ ସ୍ମରଣୀୟ ଶୃଙ୍ଖଳା ବିଜୟ ଉପହାର ଦେଇଥିଲେ। ସେହି ମ୍ୟାଚ୍‌ରେ ଇଂଲଣ୍ଡ ୩୨୬ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଭାରତ ୧୪୬ ରନ୍‌ରେ ୫ ଓ୍ଵିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ସେତେବେଳେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନୂଆ କରି ପାଦ ଥାପିଥିବା ଯୁବି ଏବଂ କୈଫ ଧମାକାଦାର ବ୍ୟାଟିଂ କରି ଭାରତକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ। କୈଫ ୮୭ ରନ୍‌ରେ ଅପରାଜିତ ରହିବା ସହ ଯୁବି ୬୯ ରନ୍‌ କରିଥିଲେ। ଏହି ଦୁଇ ଯୁବ ତାରକାଙ୍କ ୧୪୬ ରନ୍‌ର ଭାଗୀଦାରି ବଳରେ ଭାରତ ୩ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ସମଗ୍ର ଇଂଲଣ୍ଡ ଏହି ପରାଜୟକୁ ସହଜରେ ବିଶ୍ୱାସ କରି ପାରି ନଥିଲା। ଏହା ପରେ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଐତିହାସିକ ଲର୍ଡସ ପଡ଼ିଆର ବାଲକୋନିରୁ ପୋଷାକ ଖୋଲି ଉଗ୍ର ବିଜୟ ଉତ୍ସବ ପାଳିଥିଲେ। ଯାହା ସେତେବେଳେ ସମଗ୍ର କ୍ରିକେଟ୍‌ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲା। ହେଲେ ଯୁବି ଓ କୈଫ ବ୍ୟାଟିଂ କରୁଥିଲା ବେଳେ ଇଂଲଣ୍ଡ ଖେଳାଳିମାନେ ସେମାନଙ୍କ ଧ୍ୟାନ ଭଗ୍ନ କରିବା ଲାଗି ବରାବର ତାତ୍ସଲ୍ୟ କରିବା ବା ସ୍ଲେଜିଂ କରିଥିଲେ। ତେବେ ସେମାନେ କ’ଣ କହିଥିଲେ ତାହା ଗତ ୧୬ ବର୍ଷ ହେବ ରହସ୍ୟ ଘେରରେ ରହିଛି। ବୁଧବାର କିନ୍ତୁ ଏହା ଉପରୁ କୈଫ ଆଶିଂକ ପରଦା ଉଠାଇଛନ୍ତି। ଟ୍ଵିଟରରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ କୈଫ କହିଛନ୍ତି ଯେ ସେତେବେଳେ ଇଂଲଣ୍ଡର ଅଧିନାୟକ ଥିବା ନାସିର ହୁସେନ ମୋତେ ବସ୍‌ ଡ୍ରାଇଭର ବାଳକ ଭାବେ ସମ୍ବୋଧନ କରିଥିଲେ। ଏଣୁ ଯୁବି ଓ ମୁଁ ବଡ଼ ସଟ୍‌ ଖେଳି ସେମାନଙ୍କୁ ଦିନରେ ତାରା ଦେଖାଇ ଦେଲୁ।

ଟୋକିଓ ଅଲିମ୍ପିକ୍ସର ନୀଳ-ଗୋଲାପି ମାସ୍କଟ୍‌

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ୨୦୨୦ରେ ଆୟୋଜିତ ହେବାକୁ ଥିବା ପରବର୍ତୀ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ମାସ୍କଟ ବୁଧବାର ଉନ୍ମୋଚିତ ହୋଇଛି। ଏ ପର୍ଯ୍ୟନ୍ତ ନାମକରଣ ହୋଇ ନଥିବା ଦୁଇଟି ଯାକ ମାସ୍କଟକୁ ଭବିଷ୍ୟତର ସୁପରହିରୋ ଭାବେ ଚିତ୍ରଣ କରାଯାଇଛି। ଜାପାନର ୧୬୦୦୦ ସ୍କୁଲ୍‌ ପିଲାଙ୍କୁ ନେଇ ଅନୁଷ୍ଠିତ ଏକ ପ୍ରତିଯୋଗିତାରୁ ଏହି ମାସ୍କଟ ଦୁଇଟିକୁ ବଛା ଯାଇଛି। ବିଜେତା ହୋଇଥିବା ଦୁଇଟି ଚିତ୍ରକୁ ମୋଟ ୧ ଲକ୍ଷ ୯ ହଜାର ଭୋଟ ମିଳିଥିଲା। ପରମ୍ପରା ସହ ଆଧୁନିକ ଉଦ୍ଭାବନକୁ ମିଶାଇ ମାସ୍କଟ ଦୁଇଟିର ରୂପରେଖ ପ୍ରସ୍ତୁତ ହୋଇଛି। ଗୋଟିକର ଦେହର ରଙ୍ଗ ଗୋଲାପି ଥିଲା ବେଳେ ଅନ୍ୟଟିର ରଙ୍ଗ ହେଉଛି ନୀଳ।

କ୍ୟାଚ୍‌ ପାଇଁ ୨୪ ଲକ୍ଷ

ମାଉଣ୍ଟ୍‌ ମଙ୍ଗନୁଇ: ବୁଧବାର ଏଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ୍‌-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ବେଳେ ମୋଟ ୧୦ ଛକା ଦେଖିବାକୁ ମିଳିଥିଲା। ନ୍ୟୁଜିଲାଣ୍ଡ୍‌ ବ୍ୟାଟ୍‌ସମ୍ୟାନ୍‌ମାନେ ମୋଟ ୩ ଛକା ମାରିଥିଲା ବେଳେ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ମାନେ ୭ ଛକା ମାରିଥିଲେ। ସେଥିରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ବେନ୍‌ ଷ୍ଟୋକ୍‌ସ ଗୋଟିଏ ଛକା ମାରିଥିଲେ। ମ୍ୟାଚ୍‌ର ୩୬ତମ ଓଭରରେ ଟିମ୍‌ ସାଉଦିଙ୍କ ଏକ ବଲ୍‌କୁ ଷ୍ଟୋକ୍‌ସ ଜୋର୍‌ଦାର ପ୍ରହାର କରିଥିଲେ। ବଲ୍‌ ଏତେ ଉପରକୁ ଉଠି ଯାଇଥିଲା ଯେ କ୍ଷେତ୍ରରକ୍ଷକଙ୍କୁ ଆକଳନ କରିବା କଷ୍ଟକର ହୋଇପଡ଼ିଥିଲା। ତଥାପି ଫାଇନ୍‌ ଲେଗ୍‌ କ୍ଷେତ୍ରରକ୍ଷକ ଆକାଶକୁ ଚାହିଁଚାହିଁ ବଲ୍‌ର ପିଛା କରିଥିଲେ। ମାତ୍ର ବଲ୍‌ ତାଙ୍କଠୁ ବହୁ ଉଚ୍ଚରେ ଷ୍ଟାଡିୟମ୍‌ ଗ୍ୟାଲେରିକୁ ଚାଲି ଯାଇଥିଲା। ଷ୍ଟାଡିୟମ୍‌ ଦର୍ଶକ ଗ୍ୟାଲେରିରେ ନ୍ୟୁଜିଲାଣ୍ଡ୍‌ ପ୍ରଶଂସକଙ୍କ ଗହଣରେ ଏହି ବଲ୍‌ ପଡ଼ିଥିଲା। ଏହାକୁ ଗୋଟିଏ ହାତରେ କ୍ୟାଚ୍‌ କରିନେଇଥିଲେ ଜଣେ ପ୍ରଶଂସକ। ଡାହାଣ ହାତରେ କ୍ୟାଚ୍‌ ଧରିବା ପରେ ସେ ମଧ୍ୟ ପାଖରେ ବସିଥିବା ଅନ୍ୟ ପ୍ରଶଂସକଙ୍କ ସହ ଖୁସିରେ ମାତି ଯାଇଥିଲେ। ଆଉ ମ୍ୟାଚ୍‌ ସରିବା ପରେ ଏହି ଭାଗ୍ୟବାନ ପ୍ରଶଂସକଙ୍କୁ କ୍ୟାଚ୍‌ ଧରିବା ପାଇଁ ମିଳିଥିଲା ୨୪ ଲକ୍ଷ ଟଙ୍କାର ପୁରସ୍କାର। ମ୍ୟାଚ୍‌ ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବକୁ ତାଙ୍କୁ ଡକାଯାଇଥିଲା। ସେଠାରେ ତାଙ୍କୁ ୫୦,୦୦୦ ନ୍ୟୁଜିଲାଣ୍ଡ୍‌ ଡଲାର (ଭାରତୀୟ ମୁଦ୍ରାରେ ଆନୁମାନିକ ୨୩,୭୫,୦୦୦ ଟଙ୍କା) ପ୍ରଦାନ କରାଯାଇଥିଲା। ଅବଶ୍ୟ ନ୍ୟୁଜିଲାଣ୍ଡ୍‌ରେ ଏଭଳି ପ୍ରଚାରକ ଅର୍ଥ ପୁରସ୍କାର ପ୍ରଥମ ଥର ଦେଖାଯାଇନଥିଲା। ଏହା ପୂର୍ବରୁ ଆଉ ତିନି ଥର ମଧ୍ୟ ପ୍ରଶଂସକ କ୍ୟାଚ୍‌ ଧରି ପୁରସ୍କୃତ ହୋଇଥିଲେ। ଜଣେ ୨୦ ବର୍ଷ ବୟସ୍କ ଛାତ୍ର ମିଚେଲ୍‌ ଗ୍ରିମ୍‌ଷ୍ଟୋନ୍‌ ଚଳିତ ବର୍ଷ ଇଡେନ୍‌ ପାର୍କରେ ଅଷ୍ଟ୍ରେଲିଆ ବିପକ୍ଷ ଟେ୍ଵଣ୍ଟି-୨୦ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଏକ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ବ୍ୟାଟ୍‌ସମ୍ୟାନ୍‌ ରସ୍‌ ଟେଲରଙ୍କ ଏକ ଛକାକୁ ଗ୍ୟାଲେରିରେ ଧରି ପୁରସ୍କାର ପାଇଥିଲା ବେଳେ ତା’ର ଠିକ୍‌ ପରବର୍ତୀ ମ୍ୟାଚ୍‌ରେ ଡାଓ୍ଵିଡ୍‌ ମଲାନ୍‌ଙ୍କ ଏକ ଛକାକୁ ଗୋଟିଏ ହାତରେ ଧରି ଅନ୍ୟ ଜଣେ ପ୍ରଶଂସକ ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର