ସିଲି ପଏଣ୍ଟ୍‌: ତୀର୍ଥଯାତ୍ରାରେ ସାନିଆ

ହାଇଦ୍ରାବା: ଆସନ୍ତା ଅକ୍ଟୋବରରେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଥିବା ଟେନିସ୍‌ ସୁନ୍ଦରୀ ସାନିଆ ମିର୍ଜା ଏବେ ତୀର୍ଥଯାତ୍ରାରେ ବାହାରି ପଡ଼ିଛନ୍ତି। ପିତା ଇମ୍ରାନ, ମା’ ନସିମା ଏବଂ ଭଉଣୀ ଆନମଙ୍କ ସହ ସେ ସଂପ୍ରତି ମୁସଲମାନ ଧର୍ମର ପବିତ୍ର ଧାର୍ମିକ ସ୍ଥଳୀ ମଦିନାକୁ ତୀର୍ଥଯାତ୍ରାରେ ଯାଇଛନ୍ତି। ୨୦୧୦ ମସିହାରେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିଥିବା ସାନିଆ ଗର୍ଭବତୀ ଥିବା ଖବର ନିକଟରେ ନିଜ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରିଥିଲେ। ନିଜ ପ୍ରଥମ ସନ୍ତାନର ସାଙ୍ଗିଆ ମିର୍ଜା-ମଲ୍ଲିକ ରଖିବେ ବୋଲି ମଧ୍ୟ ସାନିଆ ସେତେବେଳେ ସ୍ପଷ୍ଟ କରି ଦେଇଥିଲେ।

ପଦାର୍ପଣକାରୀ ପ୍ରଥମ ବଲ୍‌ରେ ଆହତ

ଡବଲିନ୍‌: ଆୟର୍ଲାଣ୍ଡର ପ୍ରଥମ ଆନୁଷ୍ଠାନିକ ଟେଷ୍ଟ ମ୍ୟାଚ୍‌ ନାଟକୀୟ ଭାବେ ଆରମ୍ଭ ହୋଇଛି। ବର୍ଷା ପାଇଁ ଶୁକ୍ରବାର ପ୍ରଥମ ଦିନର ଖେଳ ସଂପୂର୍ଣ୍ଣ ବାତିଲ ହେବା ପରେ ଦ୍ୱିତୀୟ ଦିନର ପ୍ରଥମ ବଲ୍‌ରେ ପ୍ରତିପକ୍ଷ ପାକିସ୍ତାନର ପଦାର୍ପଣକାରୀ ଇମାମ-ଉଲ୍‌-ହକ୍‌ ଆହତ ହୋଇଛନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ ଉଞ୍ଜମାମ-ଉଲ୍‌-ହକଙ୍କ ଭଣଜା ଇମାମ ଏହି ମ୍ୟାଚ୍‌ରେ ନିଜ ଖେଳ ଜୀବନର ପ୍ରଥମ ଟେଷ୍ଟ  ଖେଳୁଥିଲେ। ହେଲେ ସାଥୀ ପ୍ରାରମ୍ଭିକ ଖେଳାଳି ଆଝାର ଅଲ୍ଲୀ ରନ୍‌ ପାଇଁ ଡାକିବା ପରେ ଆୟଲାଣ୍ଡ ଓ୍ଵିକେଟ୍‌ ରକ୍ଷକ ନିଲ ଓ’ବ୍ରାଏନ ଓ ଯୁବ କ୍ଷେତ୍ରରକ୍ଷକ ଥାଇରନ୍‌ କେନଙ୍କ ମଝିରେ ଚିପି ହୋଇ ଯାଇଥିଲେ। ଫଳରେ କୌଣସି ବଲ୍‌ ସମ୍ମୁଖୀନ ହେବା ପୂର୍ବରୁ ଆହତ ହୋଇ ପିଚ୍‌ ଉପରେ ଢେର କିଛି ସମୟ ପର୍ଯ୍ୟନ୍ତ ପଡ଼ି ରହିଥିଲେ। ପଡ଼ିଆ ଭିତରେ ଚିକିତ୍ସିତ ହେବା ପରେ ଅବଶ୍ୟ ସେ ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ମାତ୍ର ୭ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଗତବର୍ଷ ନିଜ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଶକତ ଅର୍ଜନ କରି ଚହଳ ସୃଷ୍ଟି କରିଥିବା ଇମାମ ନିଜ ପ୍ରଥମ ଟେଷ୍ଟ ପାଳିରେ ବିଶେଷ କିଛି କରି ପାରି ନଥିଲେ।   ସେପଟେ ଆୟର୍ଲାଣ୍ଡ ଏକାଦଶ ଦେଶ ଭାବେ ଟେଷ୍ଟ କ୍ରିକେଟ୍‌ ଖେଳିଥିଲା। ପାକିସ୍ତାନ ଶନିବାର ଦ୍ୱିତୀୟ ଦିବସ ଷ୍ଟମ୍ପ୍‌ସ ବେଳକୁ ୬ ଓ୍ଵିକେଟ୍‌  ହରାଇ  ୨୬୮ ରନ୍‌ କରିଥିଲା।  ଅସଦ ସଫିକ (୬୨), ଫହିମ ଅସ୍ରଫ (୬୧*) ଓ ସଦବ୍‌ ଖାନ୍‌ (୫୨*) ଅର୍ଧଶତକ ଅର୍ଜନ କରିଥିଲେ।  ଉଭୟ ସଦବ୍‌ ଓ ଫହିମ୍‌ ଅବିଭାଜିତ ସପ୍ତମ ଓ୍ଵିକେଟ୍‌ରେ ୧୦୯ ରନ୍‌ ଯୋଡ଼ିଛନ୍ତି। ବର୍ଷା ଯୋଗୁଁ  ଶନିବାର ୭୬ ଓଭର ଖେଳ ସମ୍ଭବ ହୋଇଥିଲା।

ସମ୍ବନ୍ଧିତ ଖବର