ସିଲି ପଏଣ୍ଟ୍‌: ହାଡ୍‌ଲିଙ୍କୁ କର୍କଟ

ଅକ୍‌ଲାଣ୍ଡ୍‌: ନ୍ୟୁଜିଲାଣ୍ଡ୍‌ର ଅଗ୍ରଣୀ ଟେଷ୍ଟ ଓ୍ଵିକେଟ୍‌ ଦଖଲକାରୀ ଦ୍ରୁତ ବୋଲର ସାର୍‌ ରିଚାର୍ଡ ହାଡ୍‌ଲି କର୍କଟ ରୋଗରେ ପୀଡ଼ିତ ହୋଇଛନ୍ତି। ଇତି ମଧ୍ୟରେ ତାଙ୍କ ପେଟ ଭିତରୁ ଟ୍ୟୁମର୍‌ ହଟାଇବା ପାଇଁ ହାଡ୍‌ଲିଙ୍କ ଅସ୍ତ୍ରୋପଚାର ମଧ୍ୟ କରାଯାଇସାରିଛି ବୋଲି ପତ୍ନୀ ଲେଡି ଡିଆନେ ହାଡ୍‌ଲିଙ୍କ ପକ୍ଷରୁ ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ ଏକ ବିବୃତି ରଖିଛି। ଏବେ ତାଙ୍କର କେମୋଥେରାପି ଚିକିତ୍ସା କରାଯିବ ବୋଲି ବୁଧବାର ହାଡ୍‌ଲିଙ୍କ ପରିବାର ସୂତ୍ରରୁ କୁହାଯାଇଛି। ପ୍ରାୟ ୩ ବର୍ଷ ଧରି ପେଟ ଯନ୍ତ୍ରଣା ଭୋଗୁଥିବା ହାଡ୍‌ଲିଙ୍କର ଗତମାସରେ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ୍‌ କରାଯାଇଥିଲା। ତେବେ ସେତେବେଳେ ତାଙ୍କର କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା। ଫଳରେ ତୁରନ୍ତ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ସେ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି ବୋଲି ପରିବାର ପକ୍ଷରୁ କୁହାଯାଇଛି। ଆସନ୍ତା କିଛି ମାସ ମଧ୍ୟରେ ସେ ପୂରା ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି।

ଏଠାରେ ସୂଚନାଯୋଗ୍ୟ, ୬୬ ବର୍ଷ ବୟସ୍କ ହାଡ୍‌ଲି ଏକଦା କ୍ରିକେଟ୍‌ ଦୁନିଆରେ ଜଣେ ଘାତକ ବୋଲର ଭାବେ ପରିଚିତ ଥିଲେ। ଏହି ଡାହାଣ ହାତୀ ଦ୍ରୁତ ବୋଲର କେବଳ ନ୍ୟୁଜିଲାଣ୍ଡ୍‌ର ମହାନ୍‌ କ୍ରିକେଟର୍‌ ନଥିଲେ, ୧୯୮୦ ଦଶକରେ ୪ ମହାନ୍‌ ଦ୍ରୁତ ବୋଲର (ପାକିସ୍ତାନର ଇମ୍ରାନ୍‌ ଖାନ୍‌, ଇଂଲଣ୍ଡର ଇଆନ୍‌ ବୋଥାମ୍‌ ଓ ଭାରତର କପିଳ ଦେବ)ଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ନିଜର ଅବସର ପୂର୍ବରୁ ହାଡ୍‌ଲି ୪୩୧ ଟେଷ୍ଟ ଓ୍ଵିକେଟ୍‌ ଦଖଲ କରି ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଥିଲେ। ମାତ୍ର ୮୬ ଟେଷ୍ଟରୁ ସେ ୪୩୧ ଓ୍ଵିକେଟ୍‌ ଅକ୍ତିଆର କରିବା ବ୍ୟତୀତ ୩୧୨୪ ରନ୍‌ ମଧ୍ୟ କରିଥିଲେ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ୍‌ର ପ୍ରଥମ ବିଜୟରେ ହାଡ୍‌ଲିଙ୍କ ଯଥାକ୍ରମେ ୭/୧୩୦ ଏବଂ ୧୦/୧୦୦ର ବୋଲିଂ ଚିତ୍ର ପ୍ରମୁଖ ଭୂମିକା ନେଇଥିଲା। ନ୍ୟୁଜିଲାଣ୍ଡ୍‌ ଦଳର ଟେଷ୍ଟ ବିଜୟ ଗୁଡ଼ିକରେ ହାଡ୍‌ଲି ହିଁ ଏକାକି ୧୭୩ ଓ୍ଵିକେଟ୍‌ ଦଖଲ କରିଥିଲେ। ୧୯୯୦ରେ ନିଜର ଶେଷ ଇଂଲଣ୍ଡ ଗସ୍ତ ବେଳେ ହାଡ୍‌ଲିଙ୍କୁ କ୍ରିକେଟ୍‌ ପ୍ରତି ଅବଦାନ ପାଇଁ ନାଇଟ୍‌ ଉପାଧି ମିଳିଥିଲା। ୪୦୦ ଟେଷ୍ଟ ଓ୍ଵିକେଟ୍‌ ନେବାରେ ସେ ପ୍ରଥମ ବୋଲର ଥିଲେ। ହେଲେ ପରେ ୧୯୯୪ରେ କପିଳ ଦେବ ହିଁ ତାଙ୍କ କୀର୍ତିମାନକୁ ପଛରେ ପକାଇ ଦେଇଥିଲେ।

ସମ୍ବନ୍ଧିତ ଖବର