ସିଲି ପଏଣ୍ଟ୍‌, ମନ କିଣୁଛନ୍ତି ଜିଭା

ୁମ୍ବାଇ: ଚଳିତ ଆଇପିଏଲ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ କୁନି ଝିଅ ଜିଭା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍‌ ବେଳେ ଜିଭା ନିଜ ପିତା ଧୋନିଙ୍କୁ ଉତ୍ସାହିତ କରୁଥିବାର ଦୃଶ୍ୟ ପ୍ରଶଂସକଙ୍କ ମନ କିଣି ନେଇଛି। ଏପରିକି ସୁପରଷ୍ଟାର ଶାହାରୁଖ ଖାନ୍‌ ମଧ୍ୟ ତାଙ୍କ ପ୍ରଶଂସକ ପାଲଟି ଯାଇଛନ୍ତି। ଚେନ୍ନାଇରେ ଖେଳା ଯାଇଥିବା ଚେନ୍ନାଇ-କୋଲକାତା ନାଇଟ୍‌ ରାଇଡର୍ସ ମ୍ୟାଚ୍‌ ଅବସରରେ ୩ ବର୍ଷୀୟା ଜିଭାଙ୍କ ସହ ଶାହାରୁଖ ଢେର କିଛି ସମୟ ପର୍ଯ୍ୟନ୍ତ ବାର୍ତାଳାପ କରୁଥିବା ଦେଖିବାକୁ ମିଳିଥିଲା। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ବେଶ୍‌ ଲୋକପ୍ରିୟ ହୋଇଥିଲା। ସେହିଭଳି କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଧୋନି ୭୯ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ଜିଭା ସେହି ମ୍ୟାଚ୍‌ ବେଳେ ମଧ୍ୟ ବାପାଙ୍କୁ ବରାବର ଉତ୍ସାହିତ କରୁଥିଲେ। ମ୍ୟାଚ୍‌ ଅବସରରେ ଧୋନିଙ୍କୁ ଜିଭା କୁଣ୍ଢାଇବାକୁ ଉଦ୍ୟମ କରୁଥିବାର ଫଟୋ ମଧ୍ୟ ଧୋନି ନିଜ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରିଥିଲେ। ୨୦୧୫ ଆଇପିଏଲ୍‌ରେ ଜିଭାଙ୍କୁ ପ୍ରଥମ ଥର ପାଇଁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। ସେବେଠାରୁ ତାଙ୍କୁ ଧୋନି ଖେଳୁଥିବା ଅଧିକାଂଶ ମ୍ୟାଚ୍‌ ବେଳେ ଦର୍ଶକ ଷ୍ଟାଣ୍ଡରେ ବସିଥିବା ଦେଖିବାକୁ ମିଳି ଆସୁଛି।

ଆଇପିଏଲ୍‌ ନାହିଁ ତ ଚିନ୍ତା ନାହିଁ, ନିର୍ମାଣ ଶ୍ରମିକ ରୂପରେ ଓ୍ଵାର୍ନର୍‌

ମେଲ୍‌ବର୍ନ: ଅଷ୍ଟ୍ରେଲୀୟ କ୍ରିକେଟର୍‌ ଡେଭିଡ୍‌ ଓ୍ଵାର୍ନର୍‌ଙ୍କୁ ଏବେ ନୂଆ ରୂପରେ ଦେଖିବାକୁ ମିଳିଛି। ବଲ୍‌ ବିକୃତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏକ ବର୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବାସନ୍ଦ ହେବା ସାଙ୍ଗକୁ ଚଳିତ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରୁ ବାଦ୍‌ ପଡ଼ିଥିବା ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ ଏବେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଆଇପିଏଲ୍‌ରେ ଖେଳିବା ସୁଯୋଗ ମିଳିଲାନି ତ କିଛି ଚିନ୍ତା ନାହିଁ ବୋଲି ଓ୍ଵାର୍ନର କହିଛନ୍ତି। ଏବେ ଶ୍ରମିକ ଭାବେ ଓ୍ଵାର୍ନର୍‌ କାମ କରୁଥିବା ବେଳର ଏକ ଭିିଡିଓକୁ ତାଙ୍କ ପତ୍ନୀ କ୍ୟାଣ୍ଡିସ୍‌ ଓ୍ଵାର୍ନର୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିବା ପରେ ଏହା ଚର୍ଚାକୁ ଆସିଛି। ଏହି ଭିଡ଼ିଓରେ ଓ୍ଵାର୍ନର୍‌ ମୁଣ୍ଡରେ କ୍ରିକେଟ୍‌ ହେଲ୍‌ମେଟ୍‌ ବଦଳରେ ଶ୍ରମିକମାନେ ବ୍ୟବହାର କରୁଥିବା କଠିନ ହେଲ୍‌ମେଟ୍‌ ପରିଧାନ କରିବା ସହ ଏକ ଟିଣ ଚଦରକୁ ଟେକି ନେଉଥିବାର ଦୃଶ୍ୟ ରହିଛି। ଏଥିସହ ତାଙ୍କ ଦୁଇ ଝିଅ ଇଭି ମାଇ ଏବଂ ଇଣ୍ଡି ରାଇ ମଧ୍ୟ ମୁଣ୍ଡରେ କଠିନ ହେଲ୍‌ମେଟ୍‌ ପିନ୍ଧି ଓ୍ଵାର୍ନର୍‌ଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ। ଏହି ଦୁଇ ଝିଅ କଠିନ ହେଲ୍‌ମେଟ୍‌ ପିନ୍ଧିଥିବାର ଫଟୋକୁ ମଧ୍ୟ କ୍ୟାଣ୍ଡିସ୍‌ ଇନ୍‌ଷ୍ଟାଗ୍ରାମରେ ପ୍ରକାଶ କରିଥିଲେ। ତେବେ ଓ୍ଵାର୍ନର୍‌ ଏବଂ ତାଙ୍କ ଦୁଇ ଝିଅ ଅନ୍ୟ କାହାର କାମ କରୁ ନଥିଲେ। ବରଂ ଓ୍ଵାର୍ନର୍‌ ଲୁରଲାଇନ୍‌ ସମୁଦ୍ର କୂଳରେ କିଣିଥବା ଜମିରେ ହେଉଥିବା ନିଜସ୍ୱ ଘର ନିର୍ମାଣ କାମରେ ସାହାଯ୍ୟ କରୁଥିଲେ। ଏହି ଜମିକୁ ସେ ୨୦୧୫ ମସିହାରେ ୪୦ ଲକ୍ଷ ଡଲାରରେ କିଣିଥିବା ବେଳେ ୨୦୧୬ରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର