ସିଲି ପଏଣ୍ଟ୍‌: ମେରିଙ୍କ ମନ ଦୁଃଖ

ଇମ୍ଫାଲ: ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବା ସତ୍ତ୍ୱେ ଭାରତର କିମ୍ବଦନ୍ତୀ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ଙ୍କ ମନ ଆଜିକାଲି ଆଦୌ ଭଲ ରହୁନାହିଁ। ଜଣେ ଶ୍ରେଷ୍ଠ କ୍ରୀଡ଼ା ତାରକା ହେବା ସହ ରାଜ୍ୟସଭାର ସାଂସଦ ଥିବା ମେରିକମ୍‌ ଛୋଟ ଛୋଟ ନିଷ୍ପାପ ଶିଶୁଙ୍କ ଉପରେ ଦେଶରେ ବଢ଼ି ଚାଲିଥିବା ଲୋମଟାଙ୍କୁରା ଦୁଷ୍କର୍ମ ମାମଲା ନେଇ ବେଶ୍‌ ଦୁଃଖିତ ଅଛନ୍ତି। ଜମ୍ମୁ କଶ୍ମୀରର ୮ ବର୍ଷୀୟା ବାଳିକା ଆସିଫା ହେଉ କି ଉତ୍ତର ପ୍ରଦେଶର ଉନାଓର ଦଳିତ ଝିଅ, ଦେଶର କନ୍ୟା ସନ୍ତାନମାନଙ୍କ ପ୍ରତି ଦୁର୍ବୁତ୍ତମାନେ କରୁଥିବା ପାଶବିକ ଅତ୍ୟାଚାର ତାଙ୍କ ହୃଦୟକୁ ଖଣ୍ଡ ବିଖଣ୍ଡିତ କରି ଦେଇଛି। ସେଥିପାଇଁ ମେରି ନିଜ ପ୍ରଥମ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ପଦକ ବିଜୟର ଉତ୍ସବ ବି ପାଳନ କରି ପାରୁନାହାନ୍ତି। ମେରିଙ୍କ ମନ ଏବେ ଦେଶ ସାରା ଘଟୁଥିବା ଏଭଳି ନିନ୍ଦନୀୟ ଘଟଣା ପାଇଁ ପୂରା ଭାଙ୍ଗିପଡ଼ିଛି। ସେଥିପାଇଁ ଭାବବିହ୍ଵଳ ଟ୍ଵିଟ୍‌ ଜରିଆରେ ସେ ନିଜ ମନର ଭାବନାକୁ ସମସ୍ତଙ୍କ ସହ ବାଣ୍ଟିବାକୁ ପ୍ରୟାସ କରିଛନ୍ତି। ମୋତେ ଏଭଳି ଘଟଣା ବେଶ୍‌ ବାଧୁଛି। ମୁଁ ବହୁତ ଦୁଃଖି ବି ଅଛି। ଏଥିନେଇ କିଛି କରି ପାରୁ ନଥିବାରୁ ଅସହାୟତାର ଭାବନା ମନକୁ ଆନ୍ଦୋଳିତ କରୁଛି ବୋଲି ମେରି ଟ୍ଵିଟ୍‌ କରିଛନ୍ତି। ଅନ୍ୟତମ ଗୋଲ୍‌ଡକୋଷ୍ଟ ସ୍ୱର୍ଣ୍ଣ ବିଜୟିନୀ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହଓ୍ଵାଲ ମଧ୍ୟ ଏଭଳି କୁତ୍ସିତ ଘଣ୍ଟଣାକୁ ତୀବ୍ର ନିନ୍ଦା କରିଛନ୍ତି। କ୍ରିକେଟର୍‌ ଗୌତମ ଗମ୍ଭୀର, ଟେନିସ୍‌ ତାରକା ସାନିଆ ମିର୍ଜା ମଧ୍ୟ ନିଜ ନିଜ ଟ୍ଵିଟର୍‌ ପୃଷ୍ଠାରେ ଉନାଓ ଏବଂ କାଠୁଆ ଘଟଣାକୁ ନିନ୍ଦା କରିଛନ୍ତି।

ସାଥୀ ଖେଳାଳିଙ୍କ ସହ ଶିଖରଙ୍କ ଦୁଷ୍ଟାମି

ହାଇଦ୍ରାବାଦ: ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଭାରତୀୟ କ୍ରିକେଟ୍‌ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ ନିଜ ବେପରୁଆ ଜୀବନ ଶୈଳୀ ସାଙ୍ଗକୁ ସାଥୀ ଖେଳାଳିଙ୍କ ସହ ମଝିରେ ମଝିରେ କରୁଥିବା ଦୁଷ୍ଟାମି ପାଇଁ ବେଶ୍‌ ପରିଚିତ। ଏଥର ତାଙ୍କ ଦୁଷ୍ଟାମିର ଶିକାର ହୋଇଛନ୍ତି ସନ୍‌ରାଇଜର୍ସର ବାଂଲାଦେଶୀ ଅଲ୍‌ରାଉଣ୍ଡର ସକିବ-ଅଲ୍‌-ହାସନ ଏବଂ ଆଫଗାନିସ୍ତାନୀ ସ୍ପିନର ରସିଦ ଖାନ୍‌। ସମଗ୍ର ସନ୍‌ରାଇଜର୍ସ ଦଳ ବିମାନରେ ଯାତ୍ରା କରୁଥିଲା ବେଳେ ଶୟନରତ ସକିବ ଏବଂ ରସିଦଙ୍କ ନାକରେ କାଠି ପୂରାଇ ଶିଖର ତାଙ୍କୁ ବାରମ୍ବାର ହଇରାଣ କରୁଥିବାର ଏକ ଭିଡିଓ ପଦାକୁ ଆସିଛି। ସନରାଇଜର୍ସ ଦଳର ମୋହାଲି ଯାତ୍ରା ବାଟରେ ଏହି ଭିଡିଓ ଉତ୍ତୋଳନ କରାଯାଇଥିବା ଜଣାପଡ଼ିଛି। ପ୍ରଥମ ତିନିଟି ମ୍ୟାଚ୍‌ରେ ଜବରଦସ୍ତ ବିଜୟ ହାସଲ କରିଥିବା ସନରାଇଜର୍ସ ତା’ର ଚତୁର୍ଥ ମ୍ୟାଚ୍‌ ମୋହାଲିରେ ଗୁରୁବାର ଖେଳିବ। ସେଠାକୁ ଯାତ୍ରା କରୁଥିବା ବେଳେ ହିଁ ଶିଖର ସ୍ପିନର ରସିଦ ଏବଂ ସକିବଙ୍କୁ ନୟାନ୍ତ କରିଥିଲେ। ସାଥୀ ଖେଳାଳିମାନେ ଏହାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଦେଇଥିଲେ। ଯାହା ଏବେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି।

ଭାଲୁ କଲା ଫୁଟ୍‌ବଲ୍‌ ମ୍ୟାଚ୍‌ର ଉଦ୍‌ଘାଟନ

ମସ୍କୋ: ଏକ ବିଶାଳକାୟ ଭାଲୁ ଫୁଟ୍‌ବଲ୍‌ ମ୍ୟାଚ୍‌କୁ ଉଦ୍‌ଘାଟନ କରିବା ସହ ତାଳି ମାରି ଦର୍ଶକଙ୍କ ଅଭିବାଦନ ଗ୍ରହଣ କରୁଥିବାର ଭିଡିଓ ଏବେ ଦିନକୁ ଦିନ ଚର୍ଚିତ ହେବାରେ ଲାଗିଛି। ରୁଷିଆରେ ହୋଇଥିବା ଏହି ନିଆରା ଉଦ୍‌ଘାଟନ ଉତ୍ସବରେ ଭାଲୁଟି ପ୍ରଥମେ ଫୁଟ୍‌ବଲ୍‌କୁ ତଳୁ ଉଠାଇ ଏହାକୁ ରେଫରିଙ୍କ ହାତକୁ ବଢ଼ାଇ ଦେଇଥିଲା। ପରେ ଦର୍ଶକଙ୍କୁ ଅନାଇ ତାଳି ମାରିଥିଲା। ଟିମ୍‌ ନାମକ ଏହି ଭାଲୁ ନିଜ ଦୁଇ ଗୋଡ଼ରେ ଛିଡ଼ା ହୋଇ ଅନ୍ୟ ଦୁଇ ଗୋଡ଼ରେ ଏଭଳି କମାଲ୍‌ କରିଥିଲା। ରୁଷିଆର ମାସୁକ କେଏମ୍‌ଭି ଏବଂ ଅଙ୍ଗୁସ୍ତ ଦଳ ମଧ୍ୟରେ ଖେଳା ଯାଇଥିବା ତୃତୀୟ ଡିଭିଜନ ଫୁଟ୍‌ବଲ୍‌ ମ୍ୟାଚ୍‌ ପୂର୍ବରୁ ଏଭଳି ଘଟଣା ଘଟିଥିଲା। ଦର୍ଶକମାନେ ଏହାକୁ ବେଶ୍‌ ପସନ୍ଦ କରିଥିଲେ। ହେଲେ ପ୍ରାଣୀ ଅଧିକାର ପାଇଁ କାମ କରୁଥିବା କେତେକ ସ୍ୱେଚ୍ଛାସେବୀ ଏହାର ତୀବ୍ର ବିରୋଧ କରିଥିଲେ। ଏପରିକି ସେମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆୟୋଜକଙ୍କୁ ଭର୍ତ୍ସନା କରିବାକୁ ଭୁଲି ନଥିଲେ। ଏହା ଏକ ଅମାନବିକ କାର୍ଯ୍ୟ ଏବଂ ବେଶ୍‌ ବିପଜ୍ଜଜନକ ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ।

ସମ୍ବନ୍ଧିତ ଖବର